ଚିଲିକାରେ ଡଙ୍ଗା ବୁଡି ଘଟଣା : ମୃତ୍ୟୁସଂଖ୍ୟା ୬

ଖୋର୍ଧା/ବାଲୁଗାଁ : ଚିଲିକାର ନୀଳ ଜଳରାଶିରେ ୬ ଜଣ ସମାଧି ନେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଶିଶୁ। ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ସକାଳେ ଅନ୍ୟ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ପ୍ରଶାସନର ଚେତା ପଶିଛି। ଅପରାହ୍ନ ୪ଟା ପରେ ଚିଲିକାରେ ଯାତ୍ରୀ ପରିବହନ କ୍ଷେତ୍ରରେ ବିଭିନ୍ନ କଟକଣା ଜାରି କରାଯାଇଛି।

ଗତକାଲି ଅପରାହ୍ନରେ ବାଲୁଗାଁ ଚିଲିକା କୂଳ ଜେଟିଠାରୁ ୧୬ ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା କାଳିଜାଈ ଅଭିମୁଖେ ବାହାରିଥିଲା। ସେଠାରୁ ଦର୍ଶନସାରି ଫେରିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ସେହି ସମୟରେ ହଠାତ୍‌ କାଳବୈଶାଖୀ ପ୍ରଭାବରେ ଚିଲିକା ହ୍ରଦ ମଧ୍ୟରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପ୍ରତିକୂଳ ପାଗ ଦେଖି ଯାତ୍ରୀମାନେ ଭୟଭୀତ ହୋଇ କିଛି ସମୟ ଅଟକି ଯିବା ପାଇଁ ଡଙ୍ଗା ଚାଳକକୁ ଅନୁରୋଧ କରିଥିଲେ। କିନ୍ତୁ ଚାଳକ ବେଖାତିର କରି ଡଙ୍ଗାକୁ ବାଲୁଗାଁ ଅଭିମୁଖେ ଆଣିଥିଲା ବୋଲି ଉଦ୍ଧାର ପାଇଯାଇଥିବା କେତେଜଣ ଯାତ୍ରୀ କହିଛନ୍ତି। ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଚାଳକ ଜଣେ ଅନଭିଜ୍ଞ ଥିଲେ। ଏହି ଅନଭିଜ୍ଞତା ହିଁ କେତେଜଣ ଯାତ୍ରୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଥିଲା।

ଗତକାଲି ମୃତ୍ୟୁମୁଖରେ ପଡ଼ିଥିଲେ ୨ ଜଣ ଯାତ୍ରୀ। ସେମାନେ ହେଲେ, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଡିମିସର ଗ୍ରାମର ପ୍ରମୋଦିନୀ ଦାସ (୩୦) ଓ ତାଙ୍କ ଝିଅ ଶ୍ରଦ୍ଧାଞ୍ଜଳି (୮)। ଆଜି ସକାଳେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ନରସିଂହପୁର ଗ୍ରାମର ପ୍ରଦୀପ ମହାନ୍ତିଙ୍କ କନ୍ୟା କଳ୍ପନା (୨୧), ଉପେନ୍ଦ୍ର ମହାନ୍ତିଙ୍କ କନ୍ୟା ସୁଚିତ୍ରା(୭) ଓ ବାଲୁଗାଁ ନିକଟ ଶିଖରପଦର ଗ୍ରାମର କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କ କନ୍ୟା ମୀରା(୧୧)। ଅନ୍ୟ ମୃତକ ଜଣକ ହେଲେ ନୟାଗଡ଼ ସ୍ଥିତ ପାଟଣାଜାମୁ ସାହିର ଶ୍ରୀନିବାସ ଦାସଙ୍କ ପୁତ୍ର ସୁଧାଂଶୁ (୪)। ବାଲୁଗାଁ ଡାକ୍ତରଖାନାରେ ୪ ଜଣଙ୍କ ଶବ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ମୃତକଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା।

ଏହି ଘଟଣାରେ ପତ୍ନୀ ଓ ଝିଅକୁ ହରାଇଥିବା ରବୀନ୍ଦ୍ର ଦାସଙ୍କ ଅଭିଯୋଗ କ୍ରମେ ବାଲୁଗାଁ ପୁଲିସ ୬୮/୧୮ରେ ଏକ ମାମଲା ରୁଜୁ କରିଛି। ଶବଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।

ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଜିଲ୍ଲା ରେଡକ୍ରସ ପାଣ୍ଠିରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ତେବେ ଏହି ଘଟଣାରେ ତଦନ୍ତ କରାଯିବ ଓ ପରବର୍ତ୍ତୀ ସମୟରେ ଏହିପରି ଦୁର୍ଘଟଣାକୁ ରୋକିବା ପାଇଁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ବୈଠକ ବସିବାରେ ଲାଗିଛି । ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ବୋଟ୍‌ର ମାଲିକ ବାଲୁଗାଁ ସାମନ୍ତରାପୁରର ବସନ୍ତ କୁମାର ବେହେରା(୪୦) ଓ କର୍ମଚାରୀ ଅର୍ଜୁନ ବେହେରା(୬୨)ଙ୍କୁ ପୁଲିସ ଅଟକ ରଖିଛି ବୋଲି ଏସ୍‌ପି ଦିପ୍ତି ରଂଜନ ରାୟ ସୂଚନା ଦେଇଛନ୍ତି। ଏହି ଘଟଣାରେ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇ ନଥିବା ଜଣାଯାଇଛି।

ଅନ୍ୟପକ୍ଷରେ, ଏହି ନୌକାଟି ପଞ୍ଜୀକୃତ(ବିକେ-୧୨୩) ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ଏଥିରେ ସୁରକ୍ଷା ଜ୍ୟାକେଟ ନଥିଲା। ଫଳରେ ୬ ଜଣଙ୍କର ଅକାଳରେ ଜୀବନ ଚାଲିଗଲା। ଘଟଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଚିଲିକାରେ ଯାତ୍ରୀ ପରିବହନ କ୍ଷେତ୍ରରେ ବିଭିନ୍ନ କଟକଣା ଜାରି କରାଯାଇଛି। ଅପରାହ୍ନ ୪ ଘଟିକା ପରେ ଚିଲିକାକୁ ଯାତ୍ରୀ ପରିବହନ ନିଷିଦ୍ଧ କରାଯିବା ସହିତ ପ୍ରତ୍ୟେକ ଡଙ୍ଗାରେ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ଲାଇଫ୍‌ ଜ୍ୟାକେଟ, ଓଭରଲୋଡ୍‌ କରି ଯାତ୍ରୀ ନନେବା, ଚିଲିକାରେ ଚଳାଚଳ କରୁଥିବା ପ୍ରତ୍ୟେକ ଡଙ୍ଗା ମାଲିକ ନିୟମ ମୁତାବକ ପଞ୍ଜୀକରଣ ଓ ବୀମାଭୁକ୍ତ କରିବା ପାଇଁ ଜିଲ୍ଳାପାଳ ନିର୍ମଳଚନ୍ଦ୍ର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ବିଭିନ୍ନ ବୋଟ୍‌ମାଲିକ ସଂଘକୁ ଚେତାବନୀ ଦିଆଯାଇଛି।

ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା

ଭୁବନେଶ୍ୱର : ଚିଲିକାରେ ଡଙ୍ଗା ବୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ସହ ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର