ବିପଦରେ ସାଢ଼େ ୬ କିମି ସୁବର୍ଣ୍ଣରେଖା ନଦୀବନ୍ଧ

ତଟ ସୁରକ୍ଷା ପାଇଁ ଆବଶ୍ୟକ ୫୩.୭୪ କୋଟି, ଭୟରେ ଦିନ କାଟୁଛନ୍ତି ୨୦ ମୌଜାର ଅଧିବାସୀ

ଜଳେଶ୍ବର : ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା ପରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକର ଲକ୍ଷ୍ମଣନାଥରୁ ଗୋପ ଓ ଜମାଳପୁରରୁ କୋଟସାହି ଏହି ଦୁଇ ସ୍ଥାନରେ ପାଖାପାଖି ସାଢ଼େ ୬ କିମି ନଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବନ୍ୟା ଛାଡ଼ିବା ପରେ ନଦୀର ଜଳପତ୍ତନ ଯେତେ ତଳକୁ ଖସୁଛି, ଏହି ସାଢ଼େ ୬ କିମି ନଦୀବନ୍ଧର ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖଲିବାରେ ଲାଗିଛି। ଫଳରେ ଏହି ଦୁଇ ନଦୀତଟ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ୨୦ ମୌଜାର ଲୋକ ଆତଙ୍କିତ ହୋପଡ଼ିଛନ୍ତି। ନଦୀବନ୍ଧର ସୁଦୃଢ଼ୀକରଣ ନହେଲେ ଆଗାମୀ ଦିନରେ ବ୍ୟାପକ ସ୍ଥଳଭାଗ ନଦୀଗର୍ଭକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଗୁରୁଦାସପୁର ସେତୁ ନିକଟରେ ଥିବା ଲକ୍ଷ୍ମଣନାଥଠାରୁ ଗୋପଯାଏ ପ୍ରାୟ ଦେଢ଼କିମି ସ୍ଥାନରେ ନଦୀବନ୍ଧ ଗତକିଛି ବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏପରି ଅବସ୍ଥାରେ ଗତ ୨୨ ତାରିଖରେ ନଦୀରେ ବନ୍ୟା ଯୋଗୁ ଏସବୁ ସ୍ଥାନରୁ ଅତଡ଼ା ଖସିବା ଆରମ୍ଭ ହୋଇଛି। ଏପରିକି ଗୁରୁଦାସପୁର ସେତୁ ଲକ୍ଷ୍ମଣନାଥ ଗାଁ ନିକଟରେ ନଦୀବନ୍ଧ ସୁରକ୍ଷା ଲାଗି ଗତବର୍ଷ ଯେଉଁ ବାଲିବସ୍ତା ପକା ଯାଇଥିଲା ତାର ବେଶ୍‌ କିଛି ଅଂଶ ବନ୍ୟା ସମୟରେ ନଦୀଗର୍ଭକୁ ଖସି ପଡ଼ିଛି। ସୁବର୍ଣ୍ଣରେଖା ନଦୀର ଏହି ସ୍ଥାନ ସମ୍ବେଦନଶୀଳ ହୋଇଥିବାରୁ ଗତ ୨୪ ତାରିଖରେ ଜଳସମ୍ପଦ ବିଭାଗର ଏସ୍‌ଇ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍‌ ସେହି ସ୍ଥାନ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏଠାରେ ତଟସୁରକ୍ଷା ପାଇଁ ୧୮ କୋଟି ୩୧ ଲକ୍ଷ ୨୪ ହଜାର ଟଙ୍କାର ଏକ ପ୍ରକଳ୍ପକୁ ରାଜ୍ୟ ବୈଷୟିକ ପରାମର୍ଶଦାତା କମିଟି ଅନୁମୋଦନ ଦେଇଥିଲେ ମଧ୍ୟ ଅର୍ଥାଭାବରୁ ବର୍ଷେ ହେଲା ତାହା ଫାଇଲ ଭିତରେ ପଡ଼ି ରହିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହି ସ୍ଥାନରେ ୪ଟି ସ୍ପର ନିର୍ମାଣ ସହ ଦେଢ଼କିମି ବନ୍ଧରେ ଲଞ୍ଚିଂ ପ୍ୟାକିଂ ହେବାକଥା। ଏହ ଦ୍ବାରା ଲକ୍ଷ୍ମଣନାଥ, ବୀରେଶପୁର, ଗୋପ, ଗୁରୁଦାସପୁର, ବଜାରଶୂଳ, ପଞ୍ଚୁଘଣ୍ଟା ସମେତ ଜଳେଶ୍ବର ସହରକୁ ମଧ୍ୟ ସୁରକ୍ଷା ମିଳି ପାରନ୍ତା ବୋଲି କୁହାଯାଇଛି।

ଅନ୍ୟପକ୍ଷରେ, ଜମାଳପୁରରୁ କୋଟସାହି ପାଖାପାଖି ୪ କିମି ନଦୀବନ୍ଧ ମଧ୍ୟ ଗତ ଦଶନ୍ଧି ଧରି ବିପଦପୂର୍ଣ୍ଣ ହୋଇ ରହିଛି। ଏଥର ବନ୍ୟା ପରେ ଅତଡ଼ା ଖସିବା ଯୋଗୁ ସ୍ଥିତି ଆହୁରି ସଙ୍ଗିନ ହୋଇଛି। ବିଶେଷକରି, ସାନରାଉତପଡ଼ା ଓ କୋଟସାହି ଗାଁ ନିକଟରେ ନଦୀରୁ ଅତଡ଼ା ଖସି ଭୟଙ୍କର ଭାବେ କୂଳ ଖାଉଥିବା ଦେଖାଯାଇଛି। ସାନରାଉତପଡ଼ା ଗାଁ ନିକଟରେ ୬.୬୬ ଲକ୍ଷ ଓ କୋଟସାହି ଗାଁ ନିକଟରେ ୪.୭୮ ଲକ୍ଷ ଟଙ୍କାର ଦୁଇଟି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ୬ ବର୍ଷ ତଳେ ଟିଏସି ଅନୁମୋଦନ ଦେଇଥିଲା। ଏହି ଦୁଇଟି ପ୍ରକଳ୍ପରେ ମୋଟ ୭ଟି ସ୍ପର ଓ ୯୦୦ ମିଟର ଲଞ୍ଚିଂ ପ୍ୟାକିଂ ହେବାକଥା। ଅର୍ଥ ମଞ୍ଜୁର ହେଉନଥିବାରୁ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଏପରି ସ୍ଥଳେ ପୁଣି ଏଥର ବନ୍ୟାରେ ନଦୀ କରାଳ ରୂପ ଧାରଣ କରିଛି। ଏହାକୁ ପ୍ରତିହତ କରିବା ପାଇଁ ଉପରୋକ୍ତ ଦୁଇ ପ୍ରକଳ୍ପକୁ ବାଦ ଦେଇ ଅବଶିଷ୍ଟ ପ୍ରାୟ ୩ କିମି ସ୍ଥାନରେ ଲଞ୍ଚିଂ ପ୍ୟାକିଂ ପାଇଁ  ୨୪ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ବିଭାଗ ତରଫରୁ ଆକଳନ କରି ପ୍ରସ୍ତାବ ଦିଆଯାଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଜମାଳପୁର, ସାନ ରାଉତପଡ଼ା, କୋଟସାହି, ଗୋବର୍ଦ୍ଧନପୁର, ଚୌଘନୀ, ବାଘମାରୀ, ବାରକଣା, କାଶିପୁର, ବଡ଼ ରାଉତପଡ଼ା ଆଦି ଗାଁକୁ ସୁରକ୍ଷା ମିଳିବ। ‌‌‌‌‌‌‌ଏହି ୨୪ କୋଟି ଟଙ୍କାର ଯୋଜନାଟି ଖୁବଶୀଘ୍ର ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। କହିବାକୁ ଗଲେ ଉପରୋକ୍ତ ଦୁଇ ସ୍ଥାନରେ ମୋଟ ୪ଟି ପ୍ରକଳ୍ପ ପାଇଁ ୫୩ କୋଟି ୭୪ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ଅବିଳମ୍ବେ ଏହି ୪ଟି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିବାକୁ ଲକ୍ଷ୍ମଣନାଥ ସମିତି ସଭ୍ୟ ଜିତେନ୍ଦ୍ର ଦାସ, ରାୟାଁରାମଚନ୍ଦ୍ରପୁର ସମାଜସେବୀ ପ୍ରବୀର ଦାସ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର