କୁକୁଡ଼ାଖଣ୍ଡି/ବ୍ରହ୍ମପୁର: ବ୍ରହ୍ମପୁର ସହରତଳି ଅଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ଗୁଟ୍ଖା କାରଖାନା ଠାବ କରିଛି ପୁଲିସ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି ରାସ୍ତା ନିକଟରେ ଥିବା ଟେକ୍ନୋ ପାର୍କ ସ୍ଥିତ ଏକ ଘରେ ଚଢ଼ଉ କରି ପୁଲିସ ପ୍ରାୟ ୧କୋଟି ଟଙ୍କାର ଗୁଟ୍ଖା, କଞ୍ଚାମାଲ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି। ଏ ସଂକ୍ରାନ୍ତରେ ସଦର ଥାନା କେସ୍ ନମ୍ବର ୧୦୮/୨୦ରେ ୬ଜଣ ଶ୍ରମିକଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଲୋଚାପଡ଼ାର ଦାଶରଥୀ ସାହୁ, ଉତ୍ତରପ୍ରଦେଶ ଜାଲାଉନ୍ ଜିଲ୍ଲାର ସାହାରୁଖ ଖାନ୍, କୁଲଦୀପ ୟାଦବ, ଅକ୍ଷୟ ୟାଦବ, ଭୁରା ୟାଦବ, ଚନ୍ଦ୍ରଦେବ ପାଶୱାନ୍ ବୋଲି ସଦର ଏସ୍ଡିପିଓ ଜୟନ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଏହି ଗୁଟ୍ଖା କାରବାର ପଛରେ କିଛି ବିଜେପି ନେତାଙ୍କ ନାଁ ରହିଛି। ସେ ଦିଗରେ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି। ଏତଲାରେ ଲୋଚାପଡ଼ାର କୀର୍ତ୍ତନ ସାହୁ, ମୋହନ ଦାସ, ଶମ୍ଭୁ ବେହେରା, ବାବୁଲା ସାହୁ ଏବଂ ଉତ୍କଳ ସିନେମା ହଲ୍ ରୋଡ଼ର ରାଜା ରାଓଙ୍କ ନାମ ରହିଥିବା ଏସ୍ଡିପିଓ କହିଛନ୍ତି।
ସଦର ଥାନା ଅନ୍ତର୍ଗତ ଟେକ୍ନୋ ପାର୍କରେ ଥିବା ଏକ ଭଡ଼ାଘରେ ଗୁଟ୍ଖା ତିଆରି ଚାଲିଥିବା ପୁଲିସ ଖବର ପାଇଥିଲା। ସେ ନେଇ ଏସ୍ଡିପିଓ ଶ୍ରୀ ମହାପାତ୍ର ଓ ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍ଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ଚଢ଼ଉ କରିଥିଲା। ପୁଲିସ ସେହି ଘରୁ ୬ଜଣ ଶ୍ରମିକଙ୍କୁ ଗିରଫ କରିଥିବା ବେଳେ କାରଖାନା ଚଳାଉଥିବା ୪ଜଣ ଭାଗୁଆଳି ଫେରାର୍ ହୋଇ ଯାଇଥିଲେ। ପୁଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଛି। ତନ୍ମଧ୍ୟରେ ବିଜେପି ନେତା ମଧ୍ୟ ରହିଥିବା ପୁଲିସ କହିଛି। ଯାଞ୍ଚ ପରେ ଦୁଇଟି ମେସିନ୍, ୩ଶହ ବସ୍ତା ବିଭିନ୍ନ କମ୍ପାନିର ଗୁଟ୍ଖା, ୩୮ବଣ୍ଡଲ୍ ଲେବଲ୍ ଏବଂ ପଲିଥିନ୍, କଭର୍ ଭଳି ସାମଗ୍ରୀ ଜବତ ହୋଇଛି। ଜବତ ସାମଗ୍ରୀ ଟ୍ରାକ୍ଟର୍ରେ ଥାନାକୁ ନିଆଯାଇଛି। ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ କହିଛି।