ପୁଣି ରକ୍ତରଂଜିତ ହେଲା ଚୂନଭାଟି ପ୍ଲଟ

୨୦୦୯ରେ ଏଠାରେ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହୋଇଥିଲା

ଯାଜପୁର/ବ୍ୟାସନଗର : ଯାଜପୁରରୋଡ଼ ଷ୍ଟେସନ୍ ନିକଟ ଚୂନଭାଟି ପ୍ଲଟ୍ ପୁଣି ରକ୍ତରଞ୍ଜିତ ହୋଇଛି। ୨୦୦୯ ମସିହାରେ ଏହି ଚୂନଭାଟି ପ୍ଲଟ୍‌ରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୯ଜଣଙ୍କ ଜୀବନ ଯାଇଥିଲା। ସେହି ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ଥିବା ବଗି ହଠାତ୍‌ ମାଡ଼ିଯାଇ ୬ଜଣ ଠିକାଶ୍ରମିକଙ୍କ ମୃତ୍ୟୁ ଘଟିଛି। ୨ଜଣ ଶ୍ରମିକ ଆହତ ହୋଇଛନ୍ତି। ନିକଟରେ ଜନବସତି ଥିବା ବେଳେ ବର୍ଷ ବର୍ଷ ଧରି ପରିତ୍ୟକ୍ତ ବଗିକୁ ଅଧାବାଟରେ ପକାଇ ରଖାଯାଇଥିଲା କାହିଁକି? ଲାଇନ୍ ଶେଷ ମୁଣ୍ଡରେ ବଗିକୁ ଅଟକାଇ ରଖିଥିଲେ ଗଡ଼ିବାର ସୁଯୋଗ ନଥିଲା। ଝଡ଼ବର୍ଷାରେ ୩୨ଟି ବଗିରୁ ୧୮ଟି ବଗି ବିଚ୍ଛିନ୍ନ ହୋଇ ଗଡ଼ିବା ଘଟଣା ରେଳବିଭାଗର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ଡାକ୍ତରଖାନାରେ ଆତ୍ମୀୟଙ୍କ ବୁକୁଫଟା ଚିତ୍କାର
ବର୍ଷ ବର୍ଷ ଧରି ବଗିଗୁଡ଼ିକୁ ପକାଇ ରଖାଯାଇଛି କାହିଁକି ?
ସ୍ଥାନୀୟ ସ୍ବେଚ୍ଛାସେବୀ ସାଜିଲେ ଦେବଦୂତ
ଲକ୍‌ ଖୋଲିଦେବାରୁ ଘଟିଲା ଦୁର୍ଘଟଣା: ଡିଆରଏମ୍‌

ମୃତ ବ୍ୟକ୍ତିମାନେ ରେଳଧାରଣାରେ କାର୍ଯ୍ୟରତ ଶ୍ରମିକ ଥିଲେ। କାଳବୈଶାଖୀ ବେଳେ ଶ୍ରମିକମାନେ ସୁରକ୍ଷା ପାଇଁ ପରିତ୍ୟକ୍ତ ଟ୍ରେନ ବଗି ତଳ‌େ ଆଶ୍ରୟ ନେବାକୁ କାହିଁକି ବାଛିଲେ? ସଂପୃକ୍ତ ଠିକାଦାର ଶ୍ରମିକମାନଙ୍କର ସୁରକ୍ଷା ପ୍ରତି କାହିଁକି ଧ୍ୟାନ ଦେଇନଥିଲେ? ଠିକାଦାରଙ୍କ ବ୍ୟତୀତ ନିର୍ମାଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ଦାୟିତ୍ବହୀନତା ମଧ୍ୟ ପଦାରେ ପଡ଼ିଛି। ଏବେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଶ୍ରମିକମାନେ ଖରାରେ କାମ କରୁଥିଲେ କିପରି? ମୃତକ ପରିବାରର ବୁକୁଫଟା ଚିତ୍କାର ଆଜି ଯାଜପୁରରୋଡ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଲୋକଙ୍କ ଆଖିରୁ ଲୁହ ନିଗାଡ଼ି ଦେଇଥିଲା। ଆତ୍ମୀୟମାନେ ଚେତାଶୂନ୍ୟ ହୋଇପଡ଼ିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଲୋକପ୍ରତିନିଧି,ରାଜନେତା, ସରକାରୀ କଳ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ବେଚ୍ଛାସେବୀ ସଂସ୍ଥା ଭଗତସିଂ ‌ଯୁବକ ସଂଘ ସଭାପତି ରାଜେନ୍ଦ୍ର ବିଶ୍ବାଳଙ୍କ ସମେତ ତାଙ୍କର ସହଯୋଗୀମାନେ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲେ। ସେହିପରି ସ୍ବେଚ୍ଛାସେବୀ ଟିକିନା ରାଉତ ଓ ତାଙ୍କର ସାଥୀମାନେ ମଧ୍ୟ ଡାକ୍ତରଖାନାରେ ରହି ଗୁରୁତର ଆହତମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାରେ ସକ୍ରିୟ ଭାଗ ନେଇଥିଲେ।

ଖୋର୍ଦ୍ଧା ଡିଆରଏମ ରିକେଶ ରାୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସେ କହିଛନ୍ତି ବଗିକୁ ସୁରକ୍ଷିତ ରଖାଯାଇଥିଲା। ଦୁର୍ବୃତ୍ତମାନେ ଲକ୍ ଖୋଲିଦେଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ମୃତ ଶ୍ରମିକ ପରିବାରକୁ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିବା ବେଳେ ରେଳବାଇ ପକ୍ଷରୁ କୌଣସି ସହାୟତା ରାଶି ଘୋଷଣା କରାଯାଇନି। ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ କହିଛନ୍ତି ଏଭଳି ଘଟଣା ଦୁଃଖଦାୟକ। ଏହାର ତଦନ୍ତ ସହିତ ମୃତ ଶ୍ରମିକଙ୍କ ପରିବାରକୁ ତୁରନ୍ତ ସହାୟତା ଯୋଗାଇଦେବା ଅବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର