କ୍ଷୟକ୍ଷତି ଆକଳନ ନେଇ ବଢୁଛି ଅସନ୍ତୋଷ : କଟକ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଛି ୬ଲକ୍ଷ ୭୦ ହଜାର ଘର, ଆଜି ବି ରାସ୍ତାରୁ ହଟିନି ଗଛ, ଅଧା ଗାଁ ଅନ୍ଧାର

କଟକ : ସାରା ଜିଲ୍ଲାରେ ‘ଫନି’ କ୍ଷୟକ୍ଷତି ଆକଳନକୁ ନେଇ ବିଭିନ୍ନ ବ୍ଲକ୍‌ରେ ବଢୁଛି ଅସନ୍ତୋଷ। ବିପନ୍ନଙ୍କୁ ପଲିଥିନ ବଣ୍ଟନ ହେଉ ବା ଘରଭଙ୍ଗା ଓ କ୍ଷୟକ୍ଷତି ତାଲିକା ଆକଳନ ହେଉ, ସବୁକୁ ନେଇ ବଢୁଛି ଅସନ୍ତୋଷ। ପ୍ରଶାସନର ରିପୋର୍ଟ ଅନୁସାରେ ୬ଲକ୍ଷ ୭୦ହଜାର ଘର ‘ଫନି’ ଦ୍ବାରା କ୍ଷୟକ୍ଷତି ହୋଇଛି। ‘ଫନି’ର ମାସେ ପରେ ବି ନିଆଳି ଓ କଣ୍ଟାପଡା ବ୍ଲକ୍‌ର ଅଧାରୁ ଅଧିକ ଗାଁ ଅନ୍ଧାରରେ। କେବଳ ସେତିକି ନୁହେଁ ଏବେ ବି ରାସ୍ତା ଉପରୁ ହଟୁନି ଭଙ୍ଗା ଗଛ କି ବିଦ୍ୟୁତ୍‌ ଖୁଣ୍ଟ। କିନ୍ତୁ କ୍ଷୟକ୍ଷତି ଆକଳନ ପାଇଁ ହେଉ କି ଅନ୍ୟ ସହାୟତା ପାଇଁ ଲୋକେ ସରକାରୀ ଅଧିକାରୀଙ୍କ ଦେଖା ପାଉ ନଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ନିଆଳିରେ ଜଣେ ଅଧିକାରୀ ଉଭୟ ତହସିଲଦାର ଓ ବିଡିଓ ଦାୟିତ୍ବରେ ରହିବା ଘଟଣା ସମସ୍ୟାର କାରଣ ହେଉଥିବା କୁହାଯାଉଛି।

ସରକାରୀ ତଥ୍ୟ ଅନୁସାରେ, କଟକ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଛି ୬ଲକ୍ଷ ୯୬ହଜାର ୫୭୪ ପକ୍କା ଓ କଚ୍ଚା ଘର। ୨୮ହଜାର ୭୫ଟି ଗାଈ ଗୁହାଳ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ଘର ଭଙ୍ଗା ଓ ଗୃହ ନିର୍ମାଣ ଭିତ୍ତିଭୂମି ବାବଦକୁ ୧୭୩କୋଟି ୭୫ଲକ୍ଷ ୯୯ହଜାର ୪ଶହ ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟରୁ ଜଣାପଡିଛି। କଟକ ଜିଲ୍ଲାରେ କେବଳ ରାଜସ୍ବ ବିଭାଗରେ ୮୧ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଜିଲ୍ଲାର ୧୭୭୮ଟି ଗାଁ ଭିତରୁ ‘ଫନି’ ପ୍ରଭାବରେ ୯ଟି ପକ୍କା ଘର ଓ ୩୭୨ଟି ମାଟି ବା କଚ୍ଚା ଘର ସଂପୂର୍ଣ୍ଣ ଭାବେ ଭାଙ୍ଗିଛି। ସେହିପରି ୧୪ହଜାର ୨୮୯ଟି କଚ୍ଚା ଘର ଓ ୧୩୮ଟି ପକ୍କା ଘର ଗୁରୁତର ଭାବେ ଭାଙ୍ଗିଥିବା ରିପୋର୍ଟରେ ଦର୍ଶାଯାଇଛି। ୬ଲକ୍ଷ ୭୦ ହଜାର ୯୭୮ଟି କଚ୍ଚା ଘର ଓ ୧୦ ହଜାର ୭୬୧ଟି ପକ୍କା ଘର ଆଂଶିକଭାବେ କ୍ଷତିଗ୍ରସ୍ତ ହୋଇଛି। ୨୭ଟି କୁଡିଆ ଘର ଓ ଗୁହାଳ ୨୮ହଜାର ୭୫ଟି ଗୁହାଳ ଘର ଭାଙ୍ଗିଥିବା ସରକାରୀ ତଥ୍ୟରେ ଦର୍ଶାଯାଇଛି। କିନ୍ତୁ ସରକାରୀ ତଥ୍ୟ ଯାହା କହୁଛି ତା’ଠାରୁ ଅଧିକ ଘର ଭାଙ୍ଗିଥିବା ଓ କ୍ଷୟକ୍ଷତି ଆକଳନରେ ପାତରଅନ୍ତର କରାଯାଉଥିବାନେଇ ଅନେକ ସଂଗଠନ ଅଭିଯୋଗ କରିଛନ୍ତି। ନିଆଳି ଓ କଣ୍ଟାପଡା ବ୍ଲକ୍‌ରେ ଯେହେତୁ ଅଧିକ କ୍ଷୟକ୍ଷତି ହୋଇଛି ତେଣୁ ସେହି ଦୁଇ ବ୍ଲକ୍‌ରେ ପଲିଥିନ ବଣ୍ଟନ ମଧ୍ୟ ଠିକ୍‌ ଭାବରେ ହୋଇନଥିବା ଅଭିଯୋଗ ହୋଇଛି।

‘ଫନି’ର ମାସେ ବିତିଯାଇଥିଲେ ସୁଦ୍ଧା ଆଜି ବି ସବୁ ଗାଁରେ ପହଞ୍ଚିପାରିନି ବିଜୁଳି ସେବା। ଏପଟେ ପ୍ରଶାସନ ପକ୍ଷରୁ ଯୋଗାଣ ହେଉଥିବା ପାନୀୟ ଜଳ ଟ୍ୟାଙ୍କର ମଧ୍ୟ ସମସ୍ତଙ୍କୁ ଠିକ୍‌ ଭାବରେ ମିଳୁନଥିବା ଅଭିଯୋଗ ହେଉଛି। କିନ୍ତୁ ପ୍ରଶାସନ ପକ୍ଷରୁ ଆଜିଠାରୁ ଟ୍ୟାଙ୍କର ପାଣି ଯୋଗାଣ ବ୍ୟବସ୍ଥା ବନ୍ଦ କରାଯାଇଛି। ନିଆଳି ବ୍ଲକ୍‌ରେ ବିଡିଓ ପଦ ଖାଲି ପଡିଥିବାବେଳେ ତହସିଲଦାରଙ୍କ ହାତରେ ବିଡିଓ ଦାୟିତ୍ବ ରହିଛି। ମାର୍ଚ୍ଚ ୩୧ରେ ବିଡିଓଙ୍କ ଅବସର ପରେ ନୂଆ ଅଧିକାରୀ ଆସି ନାହାନ୍ତି। ନିଆଳି ଓ କଣ୍ଟାପଡା ବ୍ଲକ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କ୍ଷୟକ୍ଷତି ଆକଳନ ପାଇଁ ରାଜସ୍ବ ଅଧିକାରୀମାନେ ବିପନ୍ନଙ୍କ ପାଖରେ ପହଞ୍ଚୁ ନଥିବାରୁ ଏହାକୁ ନେଇ ଅସନ୍ତୋ‌ଷ ବଢୁଛି। ଅଞ୍ଚଳରେ ଆଜି ବି ସ୍ବଭାବିକ ହୋଇପାରିନି ବିଜୁଳି ସେବା। କଣ୍ଟାପଡା ବ୍ଲକ୍‌ର ଅଡଶପୁର, ଦାମୋଦରପୁର, ବାଗଲପୁର, ସଳେଇ ଅଂଚଳକୁ ଛାଡିଦେଲେ ବାକି ସବୁ ଅଂଚଳ ଅନ୍ଧାର। ନିଆଳିରେ ବି ସମାନ ଅବସ୍ଥା। ବଡ ବଡ ଗଛ ଏବେ ବି ରାସ୍ତାକୁ ମାଡି ପଡିରହିଛି। ବିଦ୍ୟୁତ୍‌ ଖୁଣ୍ଟର ଅବସ୍ଥା ବି ସମାନ। ତୁରନ୍ତ ବିଦ୍ୟୁତ୍‌ ଯୋଗାଣ ସହ ରାସ୍ତାରେ ଭାଙ୍ଗି ପଡିଥିବା ଓ ଅଧାଭାଙ୍ଗି ରାସ୍ତାରେ ଝୁଲୁଥିବା ଗଛଗୁଡିକୁ ହଟାଇବା, କ୍ଷୟକ୍ଷତିର ଠିକ୍‌ ଆକଳନ ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର