ବ୍ରହ୍ମପୁର : ବ୍ରହ୍ମପୁର ପୌର ପରିଷଦର ପ୍ରାୟ ୬ଲକ୍ଷ ଟଙ୍କାର ଅକ୍ଟ୍ରାଇ ଟ୍ୟାକ୍ସ ଫାଙ୍କିବା ମାମଲାର ରାୟ ଦୀର୍ଘ ୨୪ବର୍ଷ ପରେ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ୨୪ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୪ଜଣ ମଦ ବେପାରୀ ରହିଥିବା ବେଳେ ୨୦ଜଣ ‌ବ୍ରହ୍ମପୁର ପୌର ପରିଷଦର ଟ୍ୟାକ୍ସ କଲେକ୍ଟର୍‌ ରହିଛନ୍ତି। ୧୯୯୫ ଜାନୁଆରି ୧ତାରିଖରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ବାହାରୁ ରାଜ୍ୟରୁ ବ୍ରହ୍ମପୁର ସହରକୁ ମଦ ଆଣିବା ବେଳେ ପୌର ପରିଷଦର ଅକ୍ଟ୍ରାଇ ଟ୍ୟାକ୍ସ ବାବଦକୁ ପ୍ରାୟ ୬ଲକ୍ଷ ୬୫ ହଜାର ଟଙ୍କା ଫାଙ୍କିଥିବା ଅଭିଯୋଗ ହୋଇଥିଲା। ମଦ ବେପାରୀ ଜଗନ୍ନାଥ ରାଉତ, ପି.କେ. ସାହୁ, ଏସ୍‌. କେ. ପ୍ରଧାନ, ମହମ୍ମଦ ସମିମ ଓ  ପି.ସି.ଏଚ୍‌ ସାହୁଙ୍କ ନାମରେ ଅଭିଯୋଗ ହୋଇଥିଲା। ସେହିପରି ଟ୍ୟାକ୍ସ ଫାଙ୍କିବାରେ ସହଯୋଗ କରିଥିବା ବ୍ରହ୍ମପୁର ପୌର ପରିଷଦର ତତ୍କାଳୀନ ୨୦ ଜଣ ଟ୍ୟାକ୍ସ କଲେକ୍ଟରଙ୍କ ନାମରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା।

Advertisment

ଏ ନେଇ ଭିଜିଲାନ୍ସ ବିଭାଗ କଟକ ସେଲ୍‌ ତରଫରୁ ୧୯୯୮ ଜୁଲାଇ ୬ ତାରିଖରେ ମାମଲା ରୁଜୁ କରା ଯାଇଥିଲା। ସେହି ସମୟରେ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ବିଭାଗରୁ ଜାମିନ୍‌ ମିଳିଥିଲା। ଏହି ମାମଲାର ବିଚାରଣା ଚାଲିଥିବା ବେଳେ ୧୧ଜଣ ଟ୍ୟାକ୍ସ କଲେକ୍ଟରଙ୍କ ମୃତ୍ୟୁ ଘଟି ସାରିଲାଣି। ସେହିପରି ଜଣେ ମଦ ବେପାରୀ ପି.ସି.ଏଚ୍‌ ସାହୁ କୋର୍ଟରେ ହାଜର ନହେବାରୁ କୋର୍ଟ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲୁ) ଜାରି କରିଛି। ମାମଲାର ବିଚାରଣା ବେଳେ ୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ ହୋଇଥିଲା। ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଅଭାବ ଯୋଗୁଁ କୋର୍ଟ ୪ଜଣ ମଦ ବେପାରୀଙ୍କ ସମେତ ୨୪ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ବିଷୋୟୀ, ଏସ୍‌. ରାମ କୁମାର, ପ୍ରସାଦ ପଟ୍ଟନାୟକ, ବିଜୟ କୁମାର ପ୍ରଧାନ ଓ ପ୍ରଦୀପ କୁମାର ପାଣିଗ୍ରାହୀ ମକଦ୍ଦମା ପରିଚାଳନା କରିଥିଲେ।