ପୁରୀ: ଜାନୁଆରି ୧୭ ତାରିଖ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଭବ୍ୟ ଆୟୋଜନ କରିଛି ଶ୍ରୀମନ୍ଦିର ପ୍ରଶାସନ। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଥିବା ଏହି ଆୟୋଜନକୁ ବିରାଟ ଆକାରରେ ଲୋକଙ୍କ ଆଗରେ ପରସିବାକୁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଜାନୁଆରି ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ବେଦପାଠ, ନାମସଂକୀର୍ତ୍ତନ, ମହାଯଜ୍ଞର ଆୟୋଜନ କରାଯାଇଛି। ତେବେ ଏତିକିରେ ସୀମିତ ନାହିଁ ପ୍ରସ୍ତୁତି। ଲୋକାର୍ପଣ ଉତ୍ସବ ପରେ ବି ଭକ୍ତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ୧୪୭ ନିର୍ବାଚନମଣ୍ଡଳୀର ୬ଲକ୍ଷ ଲୋକଙ୍କୁ ଆଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବାକୁ ଯୋଜନା କରାଯାଇଛି। ମାସେ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ପ୍ରତିଦିନ ୨୦ହଜାର ଲୋକଙ୍କୁ ପରିକ୍ରମା ପ୍ରକଳ୍ପ ଦେଖାଇବାକୁ ଯୋଜନା କରାଯାଇଛି। ପ୍ରତିଦିନ ୨୦ହଜାର ଲୋକଙ୍କ ପାଇଁ ଭୋଜନ ପ୍ରସ୍ତୁତି ହେବ। ଏଥିପାଇଁ ସମଙ୍ଗ ମୌଜାରେ ସ୍ଥାନ ନିରୂପଣ ପରେ ତମ୍ବୁ ବନ୍ଧା ଆରମ୍ଭ ହୋଇଛି। ପୂର୍ବରୁ ଜାନୁଆରି ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଥିଲା। ଅସୁବିଧା କାରଣରୁ ଏହାକୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରେ କରିବାକୁ ଯୋଜନା ହୋଇଛି।
ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ୧୪୭ ନିର୍ବାଚନମଣ୍ଡଳୀରୁ ଲୋକଙ୍କୁ ବସ୍ରେ ଆଣି ପରିକ୍ରମା ପ୍ରକଳ୍ପର ଦେଖାଇବାର ବ୍ୟବସ୍ଥା କରାଯାଇଛି। ପ୍ରତି ନିର୍ବାଚନମଣ୍ଡଳୀରୁ ପ୍ରାୟ ୫ହଜାର ଲୋକ ଆସିବେ। ଏଥିପାଇଁ ପ୍ରତି ନିର୍ବାଚନମଣ୍ଡଳୀରୁ ୮ରୁ ୧୦ଟି ବସ୍ ବ୍ୟବସ୍ଥା କରାଯାଉଛି। ବସ୍ କେଉଁଠି ପାର୍କିଂ ହେବ ସ୍ଥାନ ଚିହ୍ନଟ ହୋଇଛି। ପ୍ରତିଦିନ ଏକାଧିକ ନିର୍ବାଚନମଣ୍ଡଳୀରୁ ଲୋକ ବସ୍ରେ ଆସି ସମଙ୍ଗ ମୌଜାର ଚିହ୍ନଟ ସ୍ଥାନରେ ଆସି ପହଞ୍ଚିବା ପରେ ସ୍ବତନ୍ତ୍ର ବସ୍ ଓ ଅନ୍ୟ ଗାଡ଼ିରେ ଆସି ପରିକ୍ରମା ପ୍ରକଳ୍ପ ଦେଖିବେ। ଜିଲ୍ଲା ପ୍ରଶାସନ ଏହି ବ୍ୟବସ୍ଥା କରିବ। ପରିକ୍ରମା ପ୍ରକଳ୍ପ ବୁଲିବା ସହ ମହାପ୍ରଭୁଙ୍କ ଦର୍ଶନ ପରେ ପୁଣି ଆସିଥିବା ଗାଡ଼ିରେ ପାର୍କିଂ ସ୍ଥଳକୁ ଫେରିବେ। ସମଙ୍ଗ ମୌଜାର ଏହି ସ୍ଥାନରେ ଆସୁଥିବା ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ୨୦ହଜାର ଲୋକଙ୍କୁ ଭାତ, ଡାଲମା, ମହୁର, ଖିରି, ଖଟା ଆଦି ଦେବାକୁ ଯୋଜନା କରାଯାଇଛି। ୧୨ଟାରୁ ଖାଇବାକୁ ଦିଆଯିବ। ମଧ୍ୟାହ୍ନଭୋଜନ ସହ ଜଳଖିଆ ବି ଦିଆଯିବ। ଫେରିବା ବେଳେ ତାଳ ଭୋଗେଇରେ ଖଜା ପ୍ୟାକେଟ୍ ବି ଦେବାକୁ ଯୋଜନା କରାଯାଇଛି। ସମଙ୍ଗ ମୌଜାରେ ଚିହ୍ନଟ ଏହି ସ୍ଥାନରେ ଦୁଇଟି ଜର୍ମାନ ହ୍ୟାଙ୍ଗରର ବ୍ୟବସ୍ଥା କରାଯାଉଛି। ଆଜିଠାରୁ ଏହି ସେଡ୍ ନିର୍ମାଣ କାମ ବି ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/hfshshfffhfhs.jpg)