ଭୁବନେଶ୍ବର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଚମ୍ପଟ୍‌ ମାରିଥିବା ବାଘୁଣୀ ‘ଜୀନତ୍‌’କୁ ଫେରାଇ ଆଣିବାକୁ ପାଖାପାଖି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପଶ୍ଚିମବଙ୍ଗ ସରକାର ସବୁଠାରୁ ଅଧିକ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଓଡ଼ିଶା ସରକାର ପ୍ରାୟ ୨୦ ଲକ୍ଷ ଓ ଝାଡ଼ଖଣ୍ଡ ସରକାର ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆଣିବାକୁ ‌ଯେତିକି ଟଙ୍କା ଖର୍ଚ୍ଚ ହୋଇ ନ ଥିଲା ଏବେ ତାକୁ  ଧରି ଆଣିବାକୁ ବହୁ ଅଧିକ ଖର୍ଚ୍ଚ ହୋଇଛି। ଏ ବାବଦରେ ଯାହା ଖର୍ଚ୍ଚ ହୋଇଛି ତାହା ସମ୍ପୃକ୍ତ ରାଜ୍ୟର ବନ ବିଭାଗ ଭରଣା କରିବ ବୋଲି ଜଣାପଡ଼ିଛି।

Advertisment

୩୫ ଲକ୍ଷ ଖର୍ଚ୍ଚ କରିଛି ପଶ୍ଚିମବଙ୍ଗ ବନ ବିଭାଗ
ମହାରାଷ୍ଟ୍ରରୁ ଓଡ଼ିଶା ଆଣିବାକୁ ଖର୍ଚ୍ଚ ହୋଇଥିଲା ୭ ଲକ୍ଷ

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ୧୦ ଦିନ ରହିବା ଏବଂ ଟ୍ରାଙ୍କୁଲାଇଜ୍‌ କରି ସ୍ଥାନାନ୍ତର କରିବା କାର୍ଯ୍ୟରେ ୧୭୦ରୁ ଅଧିକ ବନ କର୍ମଚାରୀ ସାମିଲ ହୋଇଥିଲେ। ଝାଡ଼ଗ୍ରାମ, ବାଙ୍କୁରା ଓ ପୁରୁଲିଆ ଡିଭିଜନ୍‌ର କର୍ମଚାରୀ ମୁଖ୍ୟତଃ ସାମିଲ ହୋଇଥିବା ବେଳେ ଆଖାପାଖ ଡିଭିଜନ୍‌ର କିଛି କର୍ମଚାରୀଙ୍କୁ ‘ଜୀନତ୍‌’ ଧରିବା ଅଭିଯାନରେ ସାମିଲ କରାଯାଇଥିଲା। ବାଘୁଣୀକୁ ପରିବହନ କାର୍ଯ୍ୟରେ ସ୍ଥାନୀୟ ଶ୍ରମିକ ମଧ୍ୟ ନିୟୋଜିତ ହୋଇଥିଲେ। ରାତ୍ରି ପାଟ୍ରୋଲିଂ, ଟ୍ରାଙ୍କୁଲାଇଜ୍‌ ସମୟରେ ବ୍ୟବହୃତ ଲାଇଟ୍‌, ଟ୍ରାଙ୍କୁଲାଇଜ୍‌ ସ୍ଥଳରୁ ଚିଡ଼ିଆଖାନାକୁ ପରିବହନ, ଜାଲ କିଣିବା, କର୍ମଚାରୀଙ୍କୁ ଖାଦ୍ୟ ପାନୀୟ ବାବଦ, ତିନୋଟି ଆର୍ଥ ମୁଭର୍‌ ମେସିନ୍‌ ବ୍ୟବହାର ବାବଦରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ପେ’ ରୋଲ୍‌ରେ ଥିବା ବନ ବିଭାଗ କର୍ମଚାରୀଙ୍କୁ କୌଣସି ପ୍ରକାର ଅତିରିକ୍ତ ଅର୍ଥ ପ୍ରଦାନ କରାଯିବ ନାହିଁ। ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି ତାହା ରାଜ୍ୟ ବନ ବିଭାଗ ବଜେଟ୍‌ରୁ ଭରଣା କରାଯିବ। ଖର୍ଚ୍ଚ ହୋଇଥିବା ଅର୍ଥ ପରିମାଣ ‌ସେତେ ବେଶି ହୋଇ ନ ଥିବାରୁ ଓଡ଼ିଶା ସରକାରଙ୍କୁ କୌଣସି ଚିଠି ଲେଖାଯିବ ନାହିଁ। ତେବେ ବାଘୁଣୀଙ୍କୁ ଟ୍ରାଙ୍କୁଲାଇଜ୍‌ କରିବା ବଡ଼ ଆହ୍ବାନ ଥିଲା ବୋଲି ପଶ୍ଚିମବଙ୍ଗ ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଓଡ଼ିଶା ବନ ବିଭାଗ ୨୪ ଦିନ ମଧ୍ୟରେ ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।

 ବାଘୁଣୀ ‘ଜୀନତ୍‌’ ଝମ୍ପଟ୍‌ ହେବାଠାରୁ ହିଁ ବନ ବିଭାଗର ୧୫ ଜଣିଆ ଦଳ ତାହାର ପିଛା କରିଥିଲା। କର୍ମଚାରୀଙ୍କ ଦୈନିକ ଖର୍ଚ୍ଚ, ଗାଡ଼ି ଭଡ଼ା, ଜଙ୍ଗଲରେ ରାତି କାଟିବା, ଟେକ୍ନିକାଲ ସହାୟତା, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ ବାବଦରେ ଏହି ସବୁ ଅର୍ଥ ଖର୍ଚ୍ଚ ହୋଇଛି। ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା କହିଛନ୍ତି ଯେ ପଶ୍ଚିମବଙ୍ଗ ବନ ବିଭାଗ ସହଯୋଗରେ ଆମେ ‘ଜୀନତ୍‌’କୁ ଫେରାଇ ଆଣିବାରେ ସଫଳ ହୋଇଛୁ। ଏବାବଦରେ ସେମାନେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସେସମ୍ପର୍କରେ ଆମକୁ କିଛି ଜଣାଇ ନାହାନ୍ତି। ନଭେମ୍ବର ତୃତୀୟ ସପ୍ତାହରେ ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିଲା ବାଘୁଣୀ ‘ଜୀନତ୍‌’। ବନ ବିଭାଗର ସ୍ବତନ୍ତ୍ର ଗାଡ଼ି ସହ ଏକ ଟିମ୍‌ ସେଠାକୁ ଯାଇ ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆଣିଥିଲା। ଏବାବଦରେ ଓଡ଼ିଶା ବନ ବିଭାଗ ପାଖାପାଖି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା।