ଘୁ.ଉଦୟଗିରି: ଗ୍ରାମ ପଞ୍ଚାୟତ ଗୁଡ଼ିକରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟକରିବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କାହାର ଇଛା ଶକ୍ତି ଅଭାବ ନା ଆଉ କିଛି କାରଣ ଯୋଗୁଁ ଆଜି ବିଭିନ୍ନ ପଞ୍ଚାୟତର ବିକାଶ ନିମନ୍ତେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ ଅସମ୍ପୂର୍ଣ୍ଣ ଅବସ୍ଥାରେ ଦୀର୍ଘ ବର୍ଷ ହେବ ପଡ଼ି ରହିଅଛି ଏହାର କାରଣ କଣ ? ଠିକାଦାର ଙ୍କ ଅବହେଳା ନା ଜନପ୍ରତିନିଧିଙ୍କ ଦାୟିତ୍ୱରେ ଅବହେଳା ନା ପ୍ରଶାସନ ପକ୍ଷରୁ କୌଣସି ତ୍ରୁଟି ରହିଛି ? ଏ ବିଷୟରେ ଅଞ୍ଚଳବାସୀ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳୁଛି। ସରକାରୀ ଅନୁଦାନ ବ୍ୟୟ କରିବାରେ ଅସଫଳ ହେଉଥିବା ଦୃଶ୍ୟ ମିଳିଛି କନ୍ଧମାଳ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ। ସରକାର ଅନୁଦାନ ଦେବା ସତ କିନ୍ତୁ ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କଳ ଏହାର କାର୍ଯ୍ୟକାରିତା କେତେ କରିପାରୁଛନ୍ତି ତାହା ଚର୍ଚ୍ଚାର ବିଷୟ। ଏହାର ଏକ ଉଦାହରଣ କଳିଙ୍ଗା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି।
ଦୀର୍ଘ ବର୍ଷ ହେବ କଳିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆ ନିକଟରେ ପଞ୍ଚାୟତ ପିଇଓଙ୍କ ନିମନ୍ତେ ସରକାରୀ ବାସଗୃହ ନିର୍ମାଣ ନିମନ୍ତେ ୨୦୧୯-୨୦ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ୬.୫୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା। ୨୦୨୦ ମସିହାରେ ଉକ୍ତ ଗୃହ କାର୍ଯ୍ୟକୁ ଡିପାର୍ଟମେଣ୍ଟାଲ ଭାବେ ଆରମ୍ଭ କରାଯାଇଥିଲା। କାର୍ଯ୍ୟ ଶେଷ କରିବା ଅବଧି ୬ମାସ ଥିବା ବେଳେ ଆଜକୁ ୪ବର୍ଷ ବିତିଗଲାଣି ହେଲେ ଉକ୍ତ କାର୍ଯ୍ୟ ଛାତ ଲେବେଲରେ ଆଣ୍ଠେଇ ଯାଇଛି। ଦୀର୍ଘ ମାସ ହେବ ଏହା ଅସମ୍ପୂର୍ଣ୍ଣ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପୁଣି ଭଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି।
ପିଇଓଙ୍କ ନିମନ୍ତେ ସରକାରୀ ବାସଗୃହ ନିର୍ମାଣ ହେଉଛି। ଅଥଚ ସେ ଏହି କାର୍ଯ୍ୟକୁ ଅର୍ଦ୍ଧାନିର୍ମିତ ଅବସ୍ଥାରେ ରଖିଛନ୍ତି। ପିଇଓ ପଞ୍ଚାୟତ ସଦର ମହକୁମାରେ ରହୁ ନଥିବା ଯୋଗୁଁ ଏହି ସରକାରୀ ବାସଗୃହ ନିର୍ମାଣ ପ୍ରତି ତାଙ୍କର ଆନ୍ତରିକତା ନାହିଁ। ଯଦି ନିଜେ ରହିବା ନିମନ୍ତେ ଗୃହ ନିର୍ମାଣ କରିବାକୁ ଅସମର୍ଥ ତାହାହେଲେ ପଞ୍ଚାୟତ ଏକାଧିକ ଜନହିତକାରୀ ପ୍ରକଳ୍ପ କିଭଳି ତଦାରଖ କରି ସଫଳ ରୂପାୟନ କରୁଥିବେ ଏଥିରୁ ସ୍ପଷ୍ଟ ବାରି ହୋଇଯାଉଛି।
ଅନ୍ୟ ପକ୍ଷରେ ପ୍ରଶ୍ନ ଉଠୁଛି ଯଦି ପ୍ରକଳ୍ପ ଅଟକଳ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ଅନୁଦାନ ଅଣାଗଲା ତାପରେ ଅର୍ଥ ମଞ୍ଜୁର ହୋଇ ଆସିଲା କାର୍ଯ୍ୟ ଆରମ୍ଭ ହେଲା ତାହାହେଲେ ଅର୍ଦ୍ଧାନିର୍ମିତ ଅବସ୍ଥାରେ ରହିଲା କାହିଁକି? ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଦାୟୀ କିଏ? ସରକାରୀ ଅନୁଦାନ ଖର୍ଚ୍ଚ କରିବାରେ ପ୍ରଶାସନ ବିଫଳ କି? ଯଦି ବିଫଳ ତାହାହେଲେ ଅନୁଦାନ ପରେ ଅନୁଦାନ ଆସୁଛି କାହିଁକି। ଅସମ୍ପୂର୍ଣ୍ଣ ହୋଇ ଦୀର୍ଘ ଦିନ ହେଲା ପଡିରହିଥିବା କାର୍ଯ୍ୟ ଗୁଡିକ ବିଷୟରେ ଉଛପଦାଧିକାରୀମାନେ ତର୍ଜମା କରୁନାହାନ୍ତି କାହିଁକି?। ବର୍ତ୍ତମାନ ଏହି ପଞ୍ଚାୟତର ଏହି ଅର୍ଦ୍ଧାନିର୍ମିତ କାର୍ଯ୍ୟ ଏକ ଉଦାହରଣ ଏପରି ଅନେକ କାର୍ଯ୍ୟ ଗୁଡ଼ିକ ଏହି ପଂଚାୟତରେ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏଣୁ ଯଥାଶୀଘ୍ର ଏ ଅସମ୍ପୂର୍ଣ୍ଣ ପ୍ରକଳ୍ପଟିକୁ ସମ୍ପୂର୍ଣ କରିବା ନିମନ୍ତେ ଅଞ୍ଚଳବାସୀ ଦାବୀ କରିଛନ୍ତି।