ଏନ୍‌କାଉଣ୍ଟରରେ ୬ ନକ୍ସଲ ନିହତ: ହୋଲି ବେଳେ ନକ୍ସଲଙ୍କ ବର୍ବରକାଣ୍ଡ

ତିନି ଗ୍ରାମବାସୀଙ୍କୁ ହତ୍ୟା

ମାଲକାନଗିରି: ରଙ୍ଗ ବଦଳରେ ରକ୍ତର ହୋଲି ଖେଳିଲେ ନକ୍ସଲ। ଗୋଟିଏ ଗାଁର ୩ ଜଣଙ୍କୁ କଲବଲ କରି ହତ୍ୟା କରିଛନ୍ତି। ପୁଲିସ ଏହାର ଜବାବରେ ଏନ୍‌କାଉଣ୍ଟର କରି ୬ ନକ୍ସଲଙ୍କୁ ମାରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକମା ଅଞ୍ଚଳରେ ସୁରକ୍ଷା କର୍ମୀ ଓ ନକ୍ସଲ ମୁହାଁମୁହିଁ ହେବାପରେ ଏମିତି ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ନିହତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ସୂଚନା ମିଳିଛି। ହୋଲିଦିନ ସୁକ୍‌ମା ଅଞ୍ଚଳ ବାସାଗୁଡା ଗାଁର ୩ଜଣ ଗ୍ରାମବାସୀଙ୍କୁ ନକ୍ସଲ ହତ୍ୟା କରିଥିଲେ। ଏହାପରେ ସିଆରପିଏଫ୍‌, ଡିଆରଜି ଏବଂ ସ୍ଥାନୀୟ ପୁଲିସ ମିଳିତ ଭାବେ ବାସାଗୁଡାରେ ଚଢ଼ଉ କରିଥିଲେ। ବାସାଗୁଡା ଥାନା ଚିପୁରଭଟ୍ଟି ଅଞ୍ଚଳର ତାଲପେରୁ ନଦୀ ନିକଟରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସକୁ ଖବର ମିଳିଥିଲା।

ଏହି ଅଞ୍ଚଳ ସୁକମା ଓ ବିଜାପୁର ସୀମାବର୍ତ୍ତୀ। ପୁଲିସକୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ତେଣୁ ଯବାନ ପାଲଟା ଆକ୍ରମଣ କରିଥିଲେ। ଉଭୟପଟୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଅପରେସନରେ ୨୧୦, ୨୦୫ କୋବ୍ରା ବାଟାଲିୟନ, ୨୨୯ ସିଆରପିଏଫ ଯବାନ ସାମିଲ ଥିଲେ। ପୁଲିସ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ବେଳେ ଜଣେ ମହିଳା ନକ୍ସଲଙ୍କ ସମେତ ୬ଜଣଙ୍କ ଶବ ମିଳିଥିଲା। ବହୁ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା। ନିହତ ନକ୍ସଲଙ୍କ ମଧ୍ୟରେ ଜଣେ ଡେପୁଟି କମାଣ୍ଡର ରହିଥିବା ପୁଲିସ କହିଛି। ଅଧିକ ମୃତାହତ ଆଶଙ୍କାରେ ପୁଲିସ
ସର୍ଚ୍ଚ ଜାରି ରଖିଛି।

ସମ୍ବନ୍ଧିତ ଖବର