ଶିଳ୍ପ ଭିତ୍ତିଭୂମି ପାଇଁ ୬ ନୂଆ ପ୍ରକଳ୍ପକୁ ଅନୁମୋଦନ

ବିନିଯୋଗ ହେବ ୪୦୦୦ କୋଟି, ଶିଳ୍ପାଞ୍ଚଳରେ ଭୂତଳ ଜଳ ବ୍ୟବହାର ନିଷେଧ ନିର୍ଦ୍ଦେଶ

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ଆଜି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୬ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଶିଳ୍ପାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଆଇଆଇଡିଏଫ୍‌) ଅନ୍ତଃ ବିଭାଗୀୟ ସମନ୍ଵୟ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରି ସେଗୁଡ଼ିକୁ ମଞ୍ଜୁରି ଦେଇଛନ୍ତି।

ରାଜ୍ୟରେ ଥିବା ଇଡ୍‌କୋର ବିଭିନ୍ନ ଶିଳ୍ପାଞ୍ଚଳରେ ଭୂତଳ ଜଳର ବ୍ୟବହାର ନିଷିିଦ୍ଧ କରିବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଇଡ୍‌କୋ ମାଧ୍ୟମରେ ଶିଳ୍ପାଞ୍ଚଳ ଗୁଡ଼ିକୁ ଯୋଗାଇ ଦିଆଯାଉଥିବା ଜଳଯୋଗାଣ ବ୍ୟବସ୍ଥାରୁ ଆବଶ୍ୟକୀୟ ଜଳ ନେବାକୁ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ସେ ନିର୍ଦ୍ଦେଶ ଦେଇଥିଲେ। ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ ପ୍ରକଳ୍ପ ଗୁଡ଼ିକର ବୈଷୟିକ ଓ ଆର୍ଥିକ ଦିଗ ସମ୍ପର୍କରେ ବିସ୍ତତ ତଥ୍ୟ ରଖିଥିଲେ।

ବୈଠକରେ ପାରାଦୀପର ପ୍ଲାଷ୍ଟିକ୍‌ ପାର୍କ, ଅନୁଗୁଳ ଆଲୁମିନିୟମ ପାର୍କ, ଖୋର୍ଧା ଜିଲ୍ଲାର ଜଳମଙ୍ଗଳ ଓ ଛତାବର ଶିଳ୍ପାଞ୍ଚଳ, କଟକ ଜିଲ୍ଲାର ରାମଦାସପୁର ଶିଳ୍ପାଞ୍ଚଳ ଓ ନବରଙ୍ଗପୁର ଜିଲ୍ଲାର ବାମୁଣୀ ଶିଳ୍ପାଞ୍ଚଳ ଆଦିର ଭିତ୍ତିଭୂମି ବିକାଶ ନେଇ ଆଲୋଚନା ହୋଇଥିଲା। ଏସବୁ ସ୍ଥାନରେ ମୁଖ୍ୟତଃ ହାଇ ଲେଭେଲ ବ୍ରିଜ୍‌ ନିର୍ମାଣ, ବାହ୍ୟ ସଂଯୋଗୀକରଣ ରାସ୍ତାର ବିକାଶ, ବିଦ୍ୟୁତ ଯୋଗାଣ, ବାହ୍ୟ ଜଳଯୋଗାଣ ଆଦି ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ କରାଯାଇଥିଲା। ଏହି ପ୍ରକଳ୍ପ ବାବଦରେ ୪୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ୨୦୧୮-୧୯ ଆର୍ଥିକ ବର୍ଷରେ ଯୋଗାଇ ଦେବେ।

ଶିଳ୍ପ ନୀତି ୨୦୧୫ ଅନୁଯାୟୀ ରାଜ୍ୟ ସରକାର ଶିଳ୍ପାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଗଠନ କରିଛନ୍ତି। ୨୦୧୭-୧୮ରେ ଏହି ପାଣ୍ଠିରୁ ୩ଟି ଶିଳ୍ପାଞ୍ଚଳରେ ରାସ୍ତା, ଲୁଣା ଘେରିବନ୍ଧ ଓ ଡ୍ରେନେଜ୍‌ ଆଦି ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରାୟ ୪୮୨୯ କୋଟି ଟଙ୍କା ମଞ୍ଜୁର କରିଥିଲେ। ଇତି ମଧ୍ୟରେ ଏସବୁ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ଵୟନ ତ୍ୱରାନ୍ଵିତ ହୋଇଛି ବୋଲି ଇଡ୍‌କୋ ସିଏମ୍‌ଡି ଶ୍ରୀ ସିଂ କହିଥିଲେ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା, ଶକ୍ତି ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ହେମନ୍ତ କୁମାର ଶର୍ମା, ପୂର୍ତ୍ତ ବିଭାଗର ଶାସନ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସହ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର