ରାଜ୍ୟ ବାହାରେ ୬ ଓଡ଼ିଆ ଶ୍ରମିକ ମୃତ: ସମସ୍ତେ ଇଟାଭାଟିରେ କାର୍ଯ୍ୟ କରୁଥିଲେ

ବିଦ୍ୟୁତ୍‌ ଆଘାତ ଓ ଝାଡ଼ାବାନ୍ତିରେ ପ୍ରାଣ ହରାଇଛନ୍ତି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଦିନକୁଦିନ ଦାଦନ ଶ୍ରମିକଙ୍କ ଦୁଃଖ ବଢ଼ିବାରେ ଲଗିଛି। ଗତ ୩ ମାସରେ ଜିଲ୍ଲାର ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଗତ ଜାନୁଆରି ୫ ତାରିଖ ଦିନ ବୋଡ଼େନ ବ୍ଲକ୍‌ ସୁନାପୁର ଗ୍ରାମର ମଧୁ କାଣ୍ଡଙ୍କ ୩ ବର୍ଷର ଝିଅ ନେହା କାଣ୍ଡଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିଲା। ସେ ପରିବାର ଲୋକଙ୍କ ସହ ତେଲେଙ୍ଗାନାକୁ ଯାଇଥିବା ବେଳେ ଏହିଭଳି ଭାବେ ମୃତ୍ୟୁର ଶିକାର ହୋଇଥିଲେ। ଫେବ୍ରୁଆରି ୧୩ ତାରିଖରେ କୋମନା ଥାନା ରୂପିଆମ ଗ୍ରାମର ଲଲିତ ମାଝୀ (୨୧) ତେଲଙ୍ଗାନା ରାଜ୍ୟ ପୈଦାପାଲ୍ଲି କାଲିନଗର ନିକଟସ୍ଥ ଏକ ଇଟାଭାଟିରେ ନିୟୋଜିତ ଥିବାବେଳେ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିଲେ। ତେବେ, କେତେଜଣ ଇଟାଭାଟିରେ କାମ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ସେମାନେ ହେଲେ, ଖଡ଼ିଆଳ ଥାନା କିକିରିବେଡ଼ା ଗ୍ରାମର ଅକ୍ଷୟ ମାଝୀ (୩୨) ଓକୋମନା ଥାନା ମିଛାପାଲି ପଞ୍ଚାୟତ ମଝିଗାଁର ପର୍ଶୁରାମ ମାଝୀ (୧୭) । ସେମାନେ ସମସ୍ତେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଇଟାଭାଟିରେ କାମ କରୁଥିବା ବେଳେ ଏହିଭଳି ଅଘଟଣର ଶିକାର ହୋଇଛନ୍ତି। ଆଜି ମଧ୍ୟ କୋମନା ଥାନା ଡୋଙ୍ଗରିପାଲି ଗ୍ରାମର ନାରାୟର ସୁନ୍ଦୁର(୪୫) ତେଲେଙ୍ଗାନା ମଦାପୁରଗ୍ରାମର ଇଟାଭାଟିରେ କାମ କରୁଥିବା ବେଲେ ବିଦ୍ୟୁତ୍‌ ତାର ଲାଗି ପ୍ରାଣ ହରାଇଛନ୍ତି।

ସେହିପରି, ଖଡ଼ିଆଳ ଥାନା ନେହେନା ପଞ୍ଚାୟତ ବିଛନାପାଲି ଗ୍ରାମର କରୁଣା ଝାଙ୍କର (୩୩) ତେଲେଙ୍ଗାନା ରାଜ୍ୟ ରୁଣ୍ଡି ଜିଲ୍ଲା ଚିକନମାମଲି ଥାନା ଅଞ୍ଚଳରେ ଇଟାଗଢ଼ା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ମଙ୍ଗଳବାର ତାଙ୍କ ମୃତ୍ୟୁ ହୋଇଥିଲା। ୩ ମାସରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଜିଲ୍ଲା ଶ୍ରମ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର