ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ ଶାସ୍ତି: ଯୁବକଙ୍କୁ ପିଟି ମାରିଦେଲେ, ଦମ୍ପତି ସମେତ ୬ ଜଣ ଗିରଫ 

ଜୁଭେନାଇଲ୍ ହୋମ୍ ଗଲା ନାବାଳକ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା କୁମ୍ଭାରଡିଅ ଗ୍ରାମରେ ଜଣେ ବିବାହିତାଙ୍କୁ ଦୁର୍ବ୍ୟବହାର କରିବାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଶଙ୍କର ପ୍ରଧାନ (୨୧) ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ସହ ପିଟି ପିଟି ହତ୍ୟା କରା ଯାଇଥିବା ବେଳେ ଏଥିରେ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେହିପରି ଜଣେ ନାବାଳକକୁ ଜୁଭେଇନାଇଲ୍ ହୋମ୍‌କୁ ପଠାଯାଇଛି। ସୂଚନାନୁସାରେ, ଗ୍ରାମର କନ୍ତାରୁ ବଡ଼ମୁଣ୍ଡିଙ୍କ ପତ୍ନୀ ସନ୍ନିଙ୍କୁ ଦୁଇ ଦିନ ପୂର୍ବେ ଶଙ୍କର ମଦ ପିଇ ଦୁର୍ବ୍ୟବହାର କରିଥିଲେ। ଗତକାଲି ଏ ନେଇ ଜରଡ଼ା ଥାନାରେ ଏତଲା ଦିଆଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଶଙ୍କରଙ୍କୁ ଗିରଫ କରିବାକୁ ପଦକ୍ଷେପ ଆରମ୍ଭ କରିଥିଲା। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ପୂର୍ବରୁ କନ୍ତାରୁ ଓ ତାଙ୍କ ସମର୍ଥକ ଆଇନ ହାତକୁ ନେଇ ଯାଇଥିଲେ।
ଦୁର୍ବ୍ୟବହାରର ପରିଣାମ ସ୍ବରୂପ ଗତକାଲି ରାତିରେ ହିଁ ଶଙ୍କରଙ୍କୁ ଶାସ୍ତି ଦେବାକୁ ନିଷ୍ପତ୍ତି ନେଇଗଲେ। କନ୍ତାରୁ ଓ ତାଙ୍କ ସହଯୋଗୀ ସଂଘବଦ୍ଧ ଭାବେ ଆକ୍ରମଣ କରି ଦେଇଥିଲେ। ପ୍ରବଳ ମାଡ଼ ମାରିବାରୁ ଘଟଣାସ୍ଥଳରେ ହିଁ ଶଙ୍କରଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଗ୍ରାମରେ ପହଞ୍ଚି ଶଙ୍କରଙ୍କୁ ପାତ୍ରପୁର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଶଙ୍କରଙ୍କ ପରିବାରର ଏତଲା କ୍ରମେ ଜରଡ଼ା ଥାନାରେ କେସ୍ ନମ୍ବର ୧୨୪ ଅନୁସାରେ ଏକ ମାମଲା ରୁଜୁ ସହ କନ୍ତାରୁ ବଡ଼ମୁଣ୍ଡି ଓ ପତ୍ନୀ ସନ୍ନିଙ୍କ ସମେତ ଜାଗିଲି ବଡ଼ମୁଣ୍ତି, ଭଗବାନ ବଡ଼ମୁଣ୍ତି, ଋକୁଣା ବଡ଼ମୁଣ୍ତି, ରାଧି ବଡ଼ମୁଣ୍ତିଙ୍କୁ ପୁଲିସ ଗିରଫ କରିଛି। ଏହାସହ ଜଣେ ନାବାଳକକୁ ଜୁଭେନାଇଲ୍ ହୋମ୍‌କୁ ପଠା ଯାଇଥିବା ଥାନାଧିକାରୀ ଭବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।
ସମ୍ବନ୍ଧିତ ଖବର