ପିଙ୍କି ବସ୍‌ରୁ ୬ ପେଟି ସିରପ୍‌ ଜବତ, କଣ୍ଡକ୍ଟର ଗିରଫ  

ସୋହେଲା: ବରଗଡ଼ ଜିଲାରେ ଦିନକୁ ଦିନ ନିଶା କାରବାର ବଢିଛି। ପୁଲିସ  ବ୍ୟାପକ ଧରପଗଡ଼ କଲେ ବି ନିଶା କାରବାରରେ ଅଂକୁଶ ଲାଗୁ ନାହିଁ। ନିଶା ବେପାରୀମାନେ ପୁଲିସକୁ ଚକମା ଦେଇ ନୂଆ ନୂଆ ଉପାୟରେ  କାରବାର ଚଳାଇଛନ୍ତି। ସୋମବାର ଭୁବନେଶ୍ୱରରୁ ପଦ୍ମପୁର ଆସୁଥିବା  ଘରୋଇ ଯାତ୍ରୀବାହୀ ବସ୍‌ ‘ପିଙ୍କି’ (ଓଡି୧୭ସି–୨୫୫୫) ନିଶା ସାମଗ୍ରୀ ଆସୁଥିବା ଖବର ପାଇ ସ୍ପେସାଲ ସ୍କ୍ବାର୍ଡ ସୋହେଲା ପୁଲିସ ସହାୟତାରେ ଚଢ଼ଉ କରିଥିଲା। ସୋହେଲା ଥାନା ସମ୍ମୁଖରେ ବସ୍‌କୁ ଅଟକାଇ ଯାଂଚ ହୋଇଥିଲା।

ବସ୍‌ର ପଛପଟ ଡିକି ଭିତରେ ୬ପେଟି ଏସ୍‌କପ୍‌  ସିରପ୍‌  (୭୯୮ ବୋତଲ) ଜବତ ହୋଇଥିଲା। ସମସ୍ତ ଯାତ୍ରୀଙ୍କୁ ଛାଡ଼ି ଦେଇ ବସ୍‌କୁ ଜବତ କରିଥିଲା। ପଦ୍ମପୁର ଥାନା କନସିଂହା ନିକଟସ୍ଥ ଗୌଡପାଲି ଗ୍ରାମର କଣ୍ଡକ୍ଟର ସରୋଜ ସାହୁକୁ ଏହି ମାମଲାରେ ଗିଫ କରାଯାଇଛି। ତାକୁ ପଚରାଉଚରା ସମୟରେ ଉକ୍ତ ନିଶା ସାମଗ୍ରୀ ପଦ୍ମପୁରର ଫକୀର ଖାନ ଭୁବନେଶ୍ୱରରୁ ପଦ୍ମପୁରର ସରୋଜ ବାଗ ନିକଟକୁ ପଠାଇଥିବା ସେ କହିଥିଲା। ବସ୍‌ରେ ବୋଝେଇ ହୋଇଥିବା  ସାମଗ୍ରୀ ପରିଚାଳନା ଓ ପରିବହନ ଦାୟିତ୍ୱ ନିର୍ବାହ କରିବା ଏବଂ ଜାଣତରେ ଏହି ନିଶା ସାମଗ୍ରୀ ଆସୁଥିବାରୁ  କଣ୍ଡକ୍ଟରକ ସଂପୃକ୍ତି ପ୍ରମାଣିତ ହେବା ପରେ ତାକୁ ଗିରଫ କରାଯାଇଥିଲା ବୋଲି ପଦ୍ମପୁର ଏସଡିପିଓ ବିଭୁତି ଭୁଷଣ ଭୋଇ ଓ ସୋହେଲା ଥାନା ଆଇଆଇସି ହରିବନ୍ଧୁ ଗଡ଼ତିଆ ସୋହେଲା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର