କଟକ: ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଉଚ୍ଛେଦ ପାଇଁ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ହାଇକୋର୍ଟରେ କ‌ାଏମ ରହିଛି। ସ୍ୟାଟ୍ ଉଚ୍ଛେଦ ନେଇ କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯, ଅଗଷ୍ଟ ୨ରେ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ସମସ୍ତ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାର୍ଚ୍ଚ ୩ରେ ହାଇକୋର୍ଟ ଏ ସଂପର୍କିତ ସମସ୍ତ ମାମଲାର ଏକତ୍ର ଶୁଣାଣି କରି ରାୟ ସରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି।

Advertisment

ସ୍ୟାଟ୍ ଉଚ୍ଛେଦ ସଂପର୍କିତ ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ ବୋଲି ହାଇକୋର୍ଟ କହିବା ସହିତ ସମସ୍ତ ୬ଟି ରିଟ୍ ପିଟିସନକୁ ଖାରଜ କରିଛନ୍ତି। ଏଥି ସହିତ ସ୍ୟାଟରେ ବିଚାରାଧୀନ ମାମଲା ଅନ୍ୟ ଅଦାଲତକୁ ସ୍ଥାନାନ୍ତ ପ୍ରସଂଗରେ ଅଙ୍କୁଶ ଜାରି କରି ୨୦୧୯, ଅଗଷ୍ଟ ୭ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକ ଓଏଟି ବାର୍ ଆସୋସିଏସନ୍, ଭୁବନେଶ୍ବର ଓଏଟି ବାର୍ ଆସୋସିଏସନ୍, ଓଡ଼ିଶା ଅବସରପ୍ରାପ୍ତ  ପୁଲିସ ଅଧିକାରୀ କଲ୍ୟାଣ ସଂଘ ଓ ଅନ୍ୟ ତିନି ଜଣଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଯେହେତୁ ସ୍ୟାଟ୍‌ରେ ବିଚାରାଧୀନ ମାମଲା ଆପେ ଆପେ ହାଇକୋର୍ଟକୁ ସ୍ଥାନାନ୍ତର ହୋଇ ଆସିବ ତେଣୁ ଅଗଷ୍ଟ ୭ର ଅନ୍ତରୀଣ ନିର୍ଦ୍ଦେଶ ଜାରି ରହିବା ଆବଶ୍ୟକ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ଏହାକୁ ଉଠାଇ ଦେଇଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ଉଚ୍ଛେଦ ସମୟରେ ସ୍ୟାଟ୍‌ରେ ବିଚାରାଧୀନ ଥିବା ପ୍ରାୟ ୭୦ ହଜାର ମାମଲାର ଭବିଷ୍ୟତକୁ ନେଇ ରହିଥିବା ଅନିଶ୍ଚିତତା ଦୂର ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬, ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବୁନାଲ  ପ୍ରତିଷ୍ଠା ହୋଇଥିଲା। ଏଭଳି ସ୍ଥିତିରେ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ୍ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା। ସ୍ୟାଟ୍‌ ଉଚ୍ଛେଦ ପାଇଁ ସରକାର ନେଇଥିବା ନିଷ୍ପତ୍ତି ପଛରେ ଏହି ଟ୍ରିବୁନାଲ  ସ୍ଥାପନର ମୂଳ ଉଦ୍ଦେଶ୍ୟ ସଫଳ ହୋଇ ନାହିଁ ବୋଲି କୁହାଯାଇଥିଲା। ୨୦୧୯, ଅଗଷ୍ଟ ୨ରେ ସ୍ୟାଟ୍ ଉଚ୍ଛେଦ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଡିଓପିଟି  ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ୧୯୮୬, ଜୁଲାଇ ୪ରେ ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ନେଇ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରାଯାଇଛି। ସ୍ୟାଟ୍ ଉଚ୍ଛେଦ ନେଇ ପ୍ରକାଶିତ ଗେଜେଟ ନୋଟିଫିକେସନକୁ ଚାଲେଞ୍ଜ କରି କଟକ ଓଏଟି ବାର୍ ଆସୋସିଏସନ୍ ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରୁ ଜାବାବ ତଲବ କରିଥିଲେ। ସ୍ୟାଟରେ ବିଚାରାଧୀନ ମାମଲା ଅନ୍ୟ ଅଦାଲତକୁ ସ୍ଥାନାନ୍ତ ପ୍ରସଂଗରେ ଅଙ୍କୁଶ ଜାରି କରି ହାଇକୋର୍ଟ ସହିତ ୨୦୧୯, ଅଗଷ୍ଟ ୭ରେ ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ।