ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ସପ୍ତଶଯ୍ୟା ପଞ୍ଚାୟତ ବାରସବାଣିଆ ଗ୍ରାମ ନିକଟସ୍ଥ ଗୋଜାପଡ଼ା ପ୍ରୋଜେକ୍ଟ ବନ୍ଧ ହୁଡ଼ାରେ ପାଣି ନିଷ୍କାସନ ପାଇଁ ପଡ଼ିଥିବା ହୋମ୍ ପାଇପ୍ ଭିତରେ ୬ଟି ବିଶାଳ ଅଜଗର ସାପ ଥିବା ଜଣାପଡ଼ିଥିଲା। ଏହି ଅଜଗର ସାପ ସମ୍ପର୍କ ଖବର ପାଇ ଘଟଣାସ୍ଥଳରେ ‘ସାପ ବନ୍ୟ ଫାଉଣ୍ଡେସନ’ ଅନୁଷ୍ଠାନର ସଦସ୍ୟମାନେ ପହଞ୍ଚି ୬ଟି ବିଶାଳ ଅଜଗର ସାପକୁ ଉଦ୍ଧାର କରି ମେଘା ସରଂକ୍ଷିତ ଜଙ୍ଗଲରେ ଛାଡ଼ିଛନ୍ତି ।
ସପ୍ତଶଯ୍ୟା ପାହାଡ଼ ପାଦଦେଶସ୍ଥିତ ଗୋଜାପଡା ବନ୍ଧ ହୁଡ଼ାରେ ପାଣି ନିଷ୍କାସନ ପାଇଁ ପ୍ରାୟ ୮୦ ଫୁଟ ଲମ୍ବ ଓ ୫ଫୁଟ ଗୋଲେଇର ହୋମ୍ ପାଇପ୍ ବିଛା ଯାଇଥିଲା । ତେବେ ସେହି ପାଇପ୍ର ଏକ ପାଖକୁ ରାସ୍ତା ତିଆରି ବେଳେ ବନ୍ଦ କରି ଦିଆଯାଇଥିବାରୁ ସେଥିରେ ପାଣି ନିଷ୍କାସନ ହେଉ ନଥିଲା । ଦୀର୍ଘ ଦିନ ଧରି ହୋମ୍ ପାଇପ୍ ଭିତର ଖାଲି ଥିବା ସୁଯୋଗ ନେଇ ସେଠାରେ ବଡ଼ବଡ଼ ଅଜଗର ସାପ ବସବାସ କରି ରହୁଥିଲେ ।
ଗତ ଦୁଇଦିନ ତଳେ ସେଠାରୁ ଏକ ଅଜଗର ସାପକୁ ଗ୍ରାମବାସୀମାନେ ଉଦ୍ଧାର କରିଥିବା ବେଳେ ତା’ ଭିତରେ ଅନେକ ସାପ ଥିବା ସନ୍ଧାନ ପାଇଥିଲେ । ଏ ସଂପର୍କରେ ସେମାନେ ବନ ବିଭାଗ ଏବଂ ସାପ ବନ୍ୟ ଫାଉଣ୍ଡେସନକୁ ଖବର ଦେଇଥିଲେ । ଫାଉଣ୍ଡେସନର ସଦସ୍ୟ ସେକ୍ ଲାଲୁ, ପପୁନ୍ ଦାସ, ମନୋଜ ଦାସ, ଆଲୋକ ମହାନ୍ତି, କାହ୍ନଚରଣ ମହାନ୍ତି ପ୍ରମୁଖ ଆଜି ଘଟଣା ସ୍ଥଳରେ ପହଞ୍ଚିଥିଲେ।
/sambad/media/post_attachments/3d2701503afaa3e0125ed232cb0c2b2981d0dcfdb9e97081bdf2aeee48f2af75.jpeg)
ଗ୍ରାମବାସୀମାନେ ଏକ ଜେସିବି ସହଯୋଗରେ ହୋମ୍ ପାଇପ୍ ମୁହଁକୁ ଖୋଲିବା ପରେ ଫାଉଣ୍ଡେସନର ସଦସ୍ୟମାନେ ତା’ ଭିତରେ ପଶି ସେଠାରୁ ୧୮, ୧୬,୧୨, ୧୦, ୯ ଓ ୮ ଫୁଟ ଲମ୍ବର ୬ଟି ଅଜଗର ସାପକୁ ଉଦ୍ଧାର କରିଥିଲେ । ସାପକୁ ଉଦ୍ଧାର କରିବା ପରେ କପିଳାସ ପାହାଡ଼ ପାଦଦେଶସ୍ଥିତ ମେଘା ସରଂକ୍ଷିତ ଜଙ୍ଗଲରେ ନେଇ ଛାଡି ଦିଆଯାଇଥିବା ଫାଉଣ୍ଡେସନର ସଦସ୍ୟମାନେ ପ୍ରକାଶ କରିଛନ୍ତି ।