ରାଉରକେଲା: ଆଇନ ବ୍ୟବସ୍ଥା ଯେତେ କଡାକଡ଼ି ହେଲେ ମଧ୍ୟ ରୋକାଯାଇପାରୁନି ଦୁଷ୍କର୍ମ। ୨୦୧୨ର ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲା ହେଉ ଅବା ୨୦୨୦ ହାତରସ୍‌ ଘଟଣା ସାରା ଦେଶରେ ସୃଷ୍ଟି କରିଥିଲା ଆଲୋଡ଼ନ। ସେମିତି  ବହୁ ଚର୍ଚ୍ଚିତ ମମିତା, ବେବିନା ଓ ଇତିଶ୍ରୀ ଦୁଷ୍କର୍ମ ଘଟଣା ଏବେ ରାଜ୍ୟ ସରକାରଙ୍କୁ ଅକଳରେ ପକାଇଛି। ଏହା ସତ୍ବେ ମଧ୍ୟ ଦୁଷ୍କର୍ମ ମାମଲା ତାଲିକା ଲମ୍ବି ଲମ୍ବି ଯାଉଛି।  ନିର୍ଭୟା ଘଟଣା ପରେ ଦେଶରେ ପାଖାପାଖି ୨ ଲକ୍ଷ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ‌

Advertisment

ଏନ୍‌ସିଆର୍‌ବି (ନେସ୍‌ନାଲ କ୍ରାଇମ୍‌ ରେକର୍ଡ ଅଫ୍‌ ବ୍ୟୁ‌ରୋ) ପରିସଂଖ୍ୟାନ ଅନୁଯାୟୀ ଗତ ୨୦୧୯ରେ ଦେଶରେ ଦିନକୁ ୮୮ ଜଣ ଓ  ୨୦୨୦ରେ ଦିନକୁ ୭୭ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ନାବାଳକ, ଯୁବତୀ ଓ ମହିଳା। ନାବାଳିକା ସଂଖ୍ୟା ରହିଛି ସବୁଠୁ ଆଗରେ। ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରାଉରକେଲା ପୁଲିସ ଜିଲ୍ଲାରେ ଏହି ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ଗତ ୨୦୧୮ରୁ ୨୦୨୧ ନଭେମ୍ବର ଅର୍ଥାତ୍‌ ୪୭ ମାସରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୨୮୨ ନାବାଳିକା, ମହିଳା ଓ ଯୁବତୀ। କିଏ ଦୁଷ୍କର୍ମ ତ ଅନ୍ୟ କିଏ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଯଦି ୪ବର୍ଷର ଦୁଷ୍କର୍ମ ସ୍ଥିତିକୁ ଧରିନିଆଯାଏ ତେବେ ୨୦୧୮ରେ ୬୭, ୨୦୧୯ରେ ୬୪, ୨୦୨୦ରେ ୮୨, ୨୦୨୧ ନଭେମ୍ବର ସୁଦ୍ଧା ୬୯ ଦୁଷ୍କର୍ମ ମାମଲା ଏଭଳି ୨୮୨ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି।

publive-image Change.org

୨୮୨ ଜଣଙ୍କୁ ମଧ୍ୟରୁ କେବଳ ୧୬୨ ନାବାଳିକା ଦୁ‌ଷ୍କର୍ମ ଓ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଅର୍ଥାତ୍ ରାଉରକେଲା ପୁଲିସ ଜିଲ୍ଲାରେ ମାସକୁ ଦୁଷ୍କର୍ମର ଶିକାର ହେଉଛନ୍ତି ୬ ଜଣ। ଧରାପଡ଼ିଛନ୍ତି ବନ୍ଧା ହୋଇଛନ୍ତି ୩୧୭ ଦୁଷ୍କର୍ମକାରୀ। ସର୍ବାଧିକ ୩୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି ଲହୁଣୀପଡା ଥାନାରେ। ଦ୍ବିତୀୟ ସ୍ଥାନରେ ରହିଛି ପ୍ଲାଣ୍ଟସାଇଟ୍‌ ଥାନା।  ୪୭ ମାସରେ ମୋଟ ୨୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତୃତୀୟ ସ୍ଥାନରେ ରହିଛି ବ୍ରାହ୍ମଣୀତରଙ୍ଗ ଥାନା। ଏଠି ମୋଟ ୨୦ଟି ମାମଲା ରୁଜୁ ହୋଇଛି।

ରାଉରକେଲା ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୨୮ରୁ ୨୦୨୧ ନଭେମ୍ବର ଅର୍ଥାତ୍‌ ୪୭ ମାସରେ ବ୍ରାହ୍ମଣୀତରଙ୍ଗ ଥାନାରେ ୨୦ଟି ମାମଲା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୧୩ ମହିଳା,୧୭  ନାବାଳିକା ଦୁଷ୍କର୍ମ ଓ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ବନ୍ଧା ହୋଇ ଜେଲ ଯାଇଛନ୍ତି ୪୫ ଦୁଷ୍କର୍ମକାରୀ। ଲହୁଣୀପଡା ଥାନାରେ ୩୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୨୪ ନାବାଳିକା ଓ ପାଖାପାଖି ୧୩ ମହିଳା ଓ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ବନ୍ଧା ହୋଇଛନ୍ତି ମାତ୍ର ୧୭ ଜଣ। ବନ୍ଧମୁଣ୍ଡା ଥାନାରେ ୧୫ଟି ମାମଲା ରୁଜୁ ହୋଇଛି। ୭ ନାବାଳିକା ସହ ୮ ମହିଳା ଓ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ବନ୍ଧା ହୋଇଛନ୍ତି  ୧୮ ଦୁଷ୍କର୍ମକାରୀ। ପ୍ଲାଣ୍ଟସାଇଟ୍‌ ଥାନାରେ ମୋଟ ୨୯ଟି ମାମଲା ରୁଜୁ ହୋଇଛି। ସର୍ବାଧିକ ୨୧ ନାବାଳିକାଙ୍କ ସହ ୮  ମହିଳା ଓ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି।

publive-image YesPunjab.com

ସେହିପରି ବଣାଇ ଓ ରଘୁନାଥପାଲୀ ଥାନାରେ ୧୭ଟି ଲେଖାଏଁ ମାମଲା ରୁଜୁ ହୋଇଛି। ରଘୁନାଥପାଲୀ ଅଞ୍ଚଳରେ ୧୦, ବଣାଇ ଥାନା ଅଞ୍ଚଳରେ ୫ ଏମିତି ମୋଟ ୧୫ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ବିଶ୍ରା ଥାନାରେ ଦୁଷ୍କର୍ମ  ମାମଲାର ମଧ୍ୟ ସମାନ ସ୍ଥିତି। ବିଶ୍ରା ଥାନାରେ ମୋଟ ୧୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୯ ନାବାଳିକାଙ୍କ ସହ  ୫ ଯୁବତୀ ଓ ମହିଳା ଦୁଷ୍କର୍ମରୁ ବାଦ୍‌ ପଡ଼ି ନାହାନ୍ତି। ବନ୍ଧା ହୋଇଛନ୍ତି ୧୯ ଦୁଷ୍କର୍ମକାରୀ। କେ. ବଲଙ୍ଗ ଥାନାରେ ୧୬ଟି ମାମଲା ରୁଜୁ ହୋଇଛି। ୧୨ ନାବାଳିକା ଓ ୪ ସାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ପୁଲିସ ମୋଟ ୨୪ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରି ଜେଲ ପଠାଇଛି। ଉପାନ୍ତ ବ୍ଲକ କୋଇଡା, ଚାନ୍ଦିପୋଷ, ଟିକାୟତପାଲିରେ ଯଥାକ୍ରମେ ୯, ୧୨ ଓ ୯ଟି ଲେଖାଏଁ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। କେ. ବଲାଙ୍ଗ ଥାନା ଅଞ୍ଚଳରେ ୧୨, କୋଇଡା ଓ ଚାନ୍ଦିପୋଷରେ ୮ ଜଣ ଲେଖାଏଁ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଉପାନ୍ତ ବ୍ଲକ ଭଳି ରାଉରକେଲା ସହରରେ ମଧ୍ୟ ଅନେକ ନାବାଳିକା, ଯୁବତୀ ଓ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଉଦିତନଗର ଥାନା ୧୬ଟି, ଝିରପାଣିରେ ୮ଟି, ସେକ୍ଟର-୧୯ରେ ୯ଟି, ସେକ୍ଟର-୧୩ରେ ୭ଟି,  ଛେଣ୍ଡ ଥାନାରେ ୧୧ଟି ଓ ମହିଳା ଥାନାରେ ୮ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେକ୍ଟର-୧୯ରେ ୬, ସେକ୍ଟର-୭ରେ ୭, ଛେଣ୍ଡରେ ୫ ନାବାଳିକା ଦୁଷ୍କର୍ମରୁ ବାଦ୍‌ ପଡ଼ିନାହାନ୍ତି। ସେକ୍ଟର-୭ ଥାନା‌ ମୋଟ ୧୯, ଛେଣ୍ଡ ଥାନା ୧୫ ଓ ମହିଳା ଥାନା  ୬ ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।