ଫୁଲ ଚାରା ଚୋରିକୁ ନେଇ ଗୋଷ୍ଠୀ ସଙ୍ଘର୍ଷ: ଠେଙ୍ଗା ମାଡ଼ରେ ୪ ଗୁରୁତର ୧୧ ଗିରଫ

ଖଇରା: ବାଲେଶ୍ବର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗ୍ରାମର ଅଙ୍ଗନବାଡି କର୍ମୀ ମଞ୍ଜୁଲତା ମାହାନାଙ୍କ ଉପରକୁ ଆକ୍ରମଣର ଅଭିଯୋଗ ହୋଇଛି। ଏନେଇ ପୁଲିସ ଜଣେ ମହିଳା ସମେତ ୧୧ ଜଣଙ୍କୁ ଗିରଫ କରିଛି।

ଫୁଲ ଚାରା ଚୋରି ହୋଇଥିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୧ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ ବାରିଙ୍ଗିଆ ଗ୍ରାମରେ।

ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର  ଅଙ୍ଗନବାଡି କର୍ମୀ ମଞ୍ଜୁଲତା ମାହାନାଙ୍କ ଘରେ ଗତ ତିନିଦିନ ତଳେ ଫୁଲଚାରା ଚୋରି ହୋଇଥିବା ନେଇ ଭାସ୍କର ଚନ୍ଦ୍ର ସାହୁ ଓ କାଶୀନାଥ ସାହୁଙ୍କୁ ପଚାରିବା ସହିତ ଏ ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ l ଗ୍ରାମବାସୀ ଉଭୟ ପକ୍ଷଙ୍କ କଥା ଶୁଣିବା ପାଇଁ ରବିବାରକୁ ଦିନ ଧାର୍ଯ୍ୟ କରାଯାଇଥିଲା l  କିନ୍ତୁ ଗତକାଲି ସନ୍ଧ୍ୟାରେ ଅଙ୍ଗନବାଡି କର୍ମୀ ମଞ୍ଜୁଲତା ଗିରି ଭାସ୍କର ସାହୁ ଓ କରୁଣା ସାହୁଙ୍କୁ ଗାଳିଗୁଲଜ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇ ଏହା ଉଗ୍ର ରୂପ ନେବାରୁ ଉଭୟଙ୍କ ମଧ୍ୟରେ ମାଡ଼ପିଟି ଆରମ୍ଭ ହୋଇଥିଲା।

ପରେ ସେଠାରେ ଗ୍ରାମବାସୀମାନେ ପହଞ୍ଚିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏହି ଆକ୍ରମଣରେ ୪ଜଣ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ଖଇରା ଥାନାର ଏସଆଇ ସୁଜାତା ମଲିକ, ଏସକେ ମାଝି ଓ ଅଶ୍ଵିନୀ ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ଅଙ୍ଗନବାଡି କର୍ମୀ ମଞ୍ଜୁଲତା ମାହାନାଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଜଣେ ମହିଳାଙ୍କ ସମେତ ୧୧ଜଣଙ୍କୁ ଗିରଫ କରି ଥାନାକୁ ଆଣିବା ସହିତ ୧୧୮/୨୦ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅପର ପକ୍ଷରେ ଗ୍ରାମବାସୀ ମାନେ ଭାସ୍କର ସାହୁ ଓ କାଶୀନାଥ ସାହୁଙ୍କର ଦୁଇଟି ଗାଡ଼ି ଜାଳିଦେବା ସହିତ ଘରର ଗେଟ ଭାଙ୍ଗିଦେଇଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର