ବାଲେଶ୍ବର/ବେତନଟୀ : ଫକୀରମୋହନ ବିଶ୍ୱବିଦ୍ୟାଳୟର ସମନ୍ବିତ ବିଏଡ୍‌ ଓ ଏମ୍‌ଏଡ୍‌ ଛାତ୍ରଛାତ୍ରୀଙ୍କ ଅହୋରାତ୍ର ଧାରଣାକୁ ଆଜି ତିନିଦିନ ପୂରିଛି। ଛାତ୍ରଛାତ୍ରୀଙ୍କୁ ମନାଇବା ଲାଗି ଜିଲ୍ଲା ପ୍ରଶାସନ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଥିଲେ ମଧ୍ୟ ଦାବି ପୂରଣ ଜିଦରେ ଅଟଳ ଅଛନ୍ତି ଛାତ୍ରଛାତ୍ରୀ। ଫଳରେ ସମାଧାନ ବାଟ ଏ ପର୍ଯ୍ୟନ୍ତ କିଛି ବାହାରି ପାରିନାହିଁ। ଅନ୍ୟପକ୍ଷରେ, ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରୁ ରାଜଧାନୀ ଅଭିମୁଖେ ପଦଯାତ୍ରାରେ ବାହାରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟର କୁଳସଚିବ ଅମର ସିଂ ସୋରେନ୍‌ ଓ ବାଲେଶ୍ବର ଉପଜିଲ୍ଲାପାଳ ନୀଲୁ ମହାପାତ୍ର ଧାରଣାରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ହେଁ ତାହା ବିଫଳ ହୋଇଥିଲା। ଆଜି ଅପରାହ୍ନରେ ପୁଣିଥରେ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ ଓ କୁଳସଚିବ ଶ୍ରୀ ସୋରେନ୍‌ ପିଲାମାନଙ୍କୁ ଭେଟି ଧାରଣାରୁ ଉଠିଯିବା ପାଇଁ କହିବା ସହ ବିଶ୍ବବିଦ୍ୟାଳୟ ଯାଇ କ୍ଲାସ କରିବାକୁ ବୁଝାଇଥିଲେ। ହେଲେ କ୍ଲାସ ଓ ପରୀକ୍ଷା ଦେଇ ପାଶ୍‌ କରିବା ପରେ ଯଦି ସେଥିରେ ନିଯୁକ୍ତି ସୁଯୋଗ ରହିବ ନାହିଁ ତା’ହେଲେ କାହିଁକି କ୍ଲାସ୍‌ କରିବୁ ବୋଲି ପିଲାମାନେ କୁଳସଚିବଙ୍କୁ ପାଲଟା ପ୍ରଶ୍ନ କରିଥିଲେ। ଏ ନେଇ ସରକାରଙ୍କ ତରଫରୁ ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ର ଚେତାବନୀ ଦେଇଥିଲେ। ଅନ୍ୟପକ୍ଷରେ, ପଦଯାତ୍ରାରେ ବାହାରିଥିବା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ଜଣ ମୟୂରଭଞ୍ଜର ବୈଶିଙ୍ଗାଠ‌ାରେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।