ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକଙ୍କ ତାଲିକା ବଢ଼ିବାରେ ଲାଗଛି। ତଦନ୍ତରେ ଯେଉଁ ଶିକ୍ଷକଙ୍କ ସାର୍ଟିଫିକେଟ୍ ଜାଲ୍ ପ୍ରମାଣିତ ହେଉଛି ସେମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବହିଷ୍କୃତ କରାଯାଉଛି। ଫଳରେ ଜାଲ୍ ସାର୍ଟିଫିକେଟ୍ରେ ଚାକିରି କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି।
ଛତ୍ରପୁର ବ୍ଲକ୍ରେ ଏବେ ସୁଦ୍ଧା ଜାଲ୍ ସିଟି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ୬ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦା କରାଯାଇ ସାରିଲାଣି। ସେମାନେ ହେଲେ ପି.ଲକ୍ଷ୍ମୀପୁର ୟୁପି ସ୍କୁଲର ଶିକ୍ଷୟିତ୍ରୀ ଜେ.ସୁକାନ୍ତି ରେଡ୍ଡି, ଲୋକନାଥପୁର ସ୍କୁଲର ଶିକ୍ଷକ ଦିଲ୍ଲୀ ସାହୁ, ସାନଆର୍ଯ୍ୟପଲ୍ଲୀ ସ୍କୁଲର ଶିକ୍ଷୟିତ୍ରୀ ସୁନିତା କର, ବରଙ୍ଗ ସ୍କୁଲର ଶିକ୍ଷକ ସୁରେନ୍ଦ୍ର କୁମାର ନାୟକ, ବଡ଼ମାଧପୁର ସ୍କୁଲର ଶିକ୍ଷକ ନରେନ୍ଦ୍ର କୁମାର ନାୟକ, କାଳିଆବାଲି ସ୍କୁଲର ଶିକ୍ଷୟିତ୍ରୀ କେ.ଲକ୍ଷ୍ମୀ ରେଡ୍ଡି। ସେହିପରି ଛତ୍ରପୁର ବ୍ଲକ୍ର ଆଉ ଜଣେ ଶିକ୍ଷୟିତ୍ରୀ ଜାଲ୍ ଜାତି ପ୍ରମାଣପତ୍ରରେ ଚାକିରି କରୁଥିବା ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଥିବା ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଠାରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଛତ୍ରପୁର ବ୍ଲକ୍ର ବିଭିନ୍ନ ବର୍ଗର ପ୍ରାୟ ୮ଶହରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମାଟ୍ରିକ୍ ବୋର୍ଡ଼ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡ଼ ଅଫିସ୍କୁ ପଠାଯାଇଛି। ପ୍ରତି ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ୨ଶହ ଟଙ୍କା ଲେଖାଏଁ ପ୍ରାୟ ୧ଲକ୍ଷ ୬୮ହଜାର ଟଙ୍କା ଜମା କରାଯାଇଛି। କଟକ ବୋର୍ଡ଼ ଅଫିସରୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ଗୁଡ଼ିକ ଯାଞ୍ଚ ହୋଇ ଆସିଲେ ଅସଲି ଓ ନକଲି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।