ପିପିଲି: କେଉଁଠି ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକଶିକ୍ଷୟିତ୍ରୀ କେଞ୍ଚାଏ ତ ଆଉ କେଉଁଠି ମେଞ୍ଚାଏ। ତେବେ କେଉଁ ଦୁର୍ଗମ ଅଞ୍ଚଳ ନୁହେଁ; ପୁରୀଜିଲ୍ଲା ପିପିଲି ବ୍ଲକ୍ର ଏକ ସରକାରୀ ଉଚ୍ଚବିଦ୍ୟାଳୟରେ ଅଜବ ସ୍ଥିତି ଦେଖିବାକୁ ମିଳିଛି। ଦାଣ୍ଡମୁକୁନ୍ଦପୁର ଉଚ୍ଚବିଦ୍ୟାଳୟରେ ଏବେ ଜଣେ ମାତ୍ର ଛାତ୍ର ପଢ଼ୁଥିବା ବେଳେ ତାଙ୍କୁ ପଢ଼ାଉଛନ୍ତି ୬ ଜଣ ଶିକ୍ଷୟିତ୍ରୀ। ଏହା ଗଣଶିକ୍ଷା ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଉଛି।
୧୯୭୬ ମସିହାରେ ପ୍ରତିଷ୍ଠିତ ଏହି ସ୍କୁଲ୍ ୫୦ ବର୍ଷ ପୂରଣ କରିବାକୁ ଯାଉଛି। ତେବେ ଏଠାରେ ପିଲା ନାମ ନ ଲେଖାଇବାରୁ ସ୍କୁଲ୍ଟି ବନ୍ଦ ହେବାକୁ ବସିଲାଣି। ଏହି ସ୍କୁଲ୍ରେ ନବମ ଓ ଦଶମ ଦୁଇଟି ଶ୍ରେଣୀ ଥିବାବେଳେ ଏବେ କେବଳ ଦଶମ ଶ୍ରେଣୀରେ ଜଣେ ମାତ୍ର ଛାତ୍ର ପଢ଼ୁଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟାକୁ ନେଇ ସାଧାରଣରେ ଅସମାହିତ ପ୍ରଶ୍ନ ଉଙ୍କିମାରୁଛି। ପିଲା ନାହାନ୍ତି, ପଢ଼ାଇବାକୁ ପଡ଼ୁନି, କିନ୍ତୁ ବସିବସି ଶିକ୍ଷୟିତ୍ରୀମାନେ ମାସକୁ ପ୍ରାୟ ୪ଲକ୍ଷରୁ ଅଧିକ ଟଙ୍କା ଦରମା ନେଉଛନ୍ତି। ସରକାରୀ ତହବିଲରୁ ଏତେଗୁଡ଼ିଏ ଟଙ୍କା ଅଯଥାରେ ବ୍ୟୟ ହେଉଥିବାବେଳେ ଛାତ୍ରଛାତ୍ରୀ ଉପସ୍ଥାନକୁ ନେଇ କେହି କେବେ ଆଲୋଚନା କରୁନାହାନ୍ତି। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ବନିତା ଦାସ କହିଛନ୍ତି ଯେ ବ୍ଲକ୍ ଶିକ୍ଷା ଅଧିକାରୀ ଓ ସ୍କୁଲ୍ ପରିଚାଳନା କମିଟିକୁ ସେ ଅବଗତ କରାଇବା ସହ ସ୍କୁଲକୁ କିଭଳି ଅଧିକ ଛାତ୍ରଛାତ୍ରୀ ଆସିବେ, ପରିଚାଳନା କମିଟିର ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ଶିକ୍ଷାବର୍ଷ ୨୦୨୪-୨୫ରେ ନବମ ଶ୍ରେଣୀରେ ଜଣେ ଓ ଦଶମ ଶ୍ରେଣୀରେ ୫ ଜଣ ମୋଟ ୬ ଜଣ ବିଦ୍ୟାର୍ଥୀ ଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ମାଟ୍ରିକ ପରୀକ୍ଷା ଦେଇ ସ୍କୁଲ୍ ଛାଡ଼ିଛନ୍ତି।
ପୂର୍ବ ବର୍ଷରେ ନବମ ଶ୍ରେଣୀରେ ଥିବା ଛାତ୍ରଜଣକ ଏବେ ଦଶମକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ସେ ଏକମାତ୍ର ଛାତ୍ର ଭାବେ ବିଦ୍ୟାଳୟକୁ ଆସୁଛନ୍ତି। ଜଣେ ବିଦ୍ୟାର୍ଥୀ ପାଇଁ କିଭଳି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଚାଲିବ, ସେ ନେଇ ପ୍ରଧାନଶିକ୍ଷୟିତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି। ୨୦୨୨ ମସିହାଠାରୁ ଏହି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦ରୁ ୧୨ ଜଣଙ୍କ ମଧ୍ୟରେ ସୀମିତ ରହୁଛି। ଛାତ୍ରଛାତ୍ରୀ କମ୍ ଥାଇ ସୁଦ୍ଧା ବିଦ୍ୟାଳୟ ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରୁଥିବା ସେ କହିଛନ୍ତି। ବିଦ୍ୟାଳୟରେ କିଛି ବର୍ଷ ହେଲାଣି ଏପରି କମ ଛାତ୍ରଛାତ୍ରୀ ପଢ଼ୁଥିବା ସଂପର୍କରେ ଶିକ୍ଷା ବିଭାଗ ଅବଗତ ଥିଲେ ମଧ୍ୟ କିଛିମାସ ପୂର୍ବରୁ ଏଠାକୁ ଦୁଇଜଣ ଶିକ୍ଷୟିତ୍ରୀ ବଦଳି ହୋଇ ଆସିଛନ୍ତି। ସ୍ଥାନୀୟ ସରପଞ୍ଚ ପରେଶ କୁମାର ମିଶ୍ର କହିଛନ୍ତି ଯେ, ପିଲାମାନଙ୍କୁ ଉକ୍ତ ସ୍କୁଲ୍ରେ ପଢ଼ିବା ପାଇଁ ପ୍ରତି ସାହି ଓ ଗାଁରେ ବୁଲି ଅଭିଭାବକଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ସେହିପରି ପିପିଲି ବ୍ଲକ୍ ପୋପରଙ୍ଗା ପଞ୍ଚାୟତର ପାଚଲପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଜଣେ ପିଲା ପାଇଁ ଦୁଇଜଣ ଶିକ୍ଷକ ରହିଛନ୍ତି। ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ କହିଛନ୍ତି, ଆମେ ଏ ବିଷୟରେ ଅବଗତ ଅଛୁ। ପୂର୍ବରୁ ଏହି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଯାହାକି ଖୁବ୍ଶୀଘ୍ର କାର୍ଯ୍ୟକାରୀ କରାଯିବ। ସମସ୍ତ ଶିକ୍ଷୟିତ୍ରୀ ଓ ଛାତ୍ରଜଣଙ୍କୁ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/27/Kz0yZsFodyJaD9OYOU83.jpeg)