ଏପ୍ରିଲ ପହିଲାରୁୁ ଶାନ୍ତିସ୍ତପକୁ ବନ୍ଦ ହେବ ବଡ଼ ବସ୍‌

ଗଡ଼ିବ ୬ଟି ଫୋର୍ସ ଟ୍ରାଭେଲର୍‌

ଧଉଳି: ଧଉଳି ଶାନ୍ତିସ୍ତପ ନିକଟରେ ନିର୍ମିତ ପାର୍କିଂସ୍ଥଳ ଆସନ୍ତା ୧ ତାରିଖରୁ କାର୍ଯ୍ୟକ୍ଷମ ହେବ। ତେଣୁ ପହିଲାରୁ ସ୍ତପ ଉପରକୁ ବଡ଼ ବସ୍‌ ଚଳାଚଳ ବନ୍ଦ ଉପରେ ପ୍ରଶାସନିକସ୍ତରରେ ନିଷ୍ପତ୍ତି ହୋଇଛି। ବଡ଼ ବସ୍‌ଗୁଡ଼ିକ ଏହି ପାର୍କିଂସ୍ଥଳରେ ରହିବ। ସେଠାରୁ ପର୍ଯ୍ୟଟକମାନେ ୬ଟି ଛୋଟ ବସ (ଫୋର୍ସ ଟ୍ରାଭେଲର)ରେ ଶାନ୍ତିସ୍ତପ ଉପରକୁ ଯିବେ। ଏହି ବସ୍‌ଗୁଡ଼ିକ ବ୍ୟାଟେରି ଚାଳିତ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲେ ହେଁ ଏଥିରେ ପରିବର୍ତନ କରାଯାଇଛି। ଏହି ବସ୍‌ଗୁଡ଼ିକ ଡିଜେଲ ଚାଳିତ ଓ ପ୍ରତି ବସ୍‌ରେ ୨୬ ଯାତ୍ରୀଙ୍କ ବସିବା ପାଇଁ ସୁବିଧା ରହିଛି ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ଅର୍ଥାତ୍‌ ୬ଟିଯାକ ବସ୍‌ରେ ଥରକେ ୧୫୬ଜଣ ଯାତ୍ରୀ ଶାନ୍ତିିସ୍ତପ ଉପରକୁ ଯାଇପାରିବେ। ବଡ଼ ବସ୍‌କୁ ଛାଡ଼ିଦେଲେ ଅଟୋ ଓ କାର ଭଳି ଛୋଟଗାଡ଼ି ଶାନ୍ତିସ୍ତପ ଉପରକୁ ସିଧାସଳଖ ଯିବାରେ କୌଣସି କଟକଣା ନାହିଁ। ଗତ ୨୩ତାରିଖ ଅପରାହ୍‌ଣରେ ଭୁବନେଶ୍ୱର ସର୍କିଟ ହାଉସ୍‌ରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ ନୀତିନ ଭାନୁଦାଶ, ପର୍ଯ୍ୟଟନ ଅଧିକାରୀ ଅଜୟ ରାଉତ, ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଏଡିଏମ୍‌ ଭୁବନେଶ୍ୱର ଓ ସ୍ଥାନୀୟ ସରପଞ୍ଚଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ଥିଲେ। ତେବେ ଏଠାରେ ଥିବା ଟୋଲଗେଟ୍‌ରୁ ପର୍ଯ୍ୟଟକମାନଙ୍କଠାରୁ ଟୋଲ୍‌ ଫି’ ଆଦାୟ ବନ୍ଦ ହେବ କି ନାହିଁ, ସେ ନେଇ କୌଣସି ସଠିକ୍‌ ସୂଚନା ମିଳିପାରିନାହିଁ।

ସୂଚନାଯୋଗ୍ୟ, ଶାନ୍ତିସ୍ତପଠାରୁ ପାଖାପାଖି ଏକ କିମି ଦୂର ପାର୍ବତୀ ପୁଷ୍କରିଣୀ ପରିସରରେ ଏହି ପାର୍କିଂସ୍ଥଳ ନିର୍ମିତ ହୋଇଛି। ପାର୍କିଂସ୍ଥଳ ଭିତରେ ୪୦ଟି ଦୋକାନ ଘର ଏବଂ ଯାତ୍ରୀମାନଙ୍କ ସ୍ନାନ, ଶୌଚ ପାଇଁ ଶୌଚାଳୟ ନିର୍ମିତ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ଉପରୋକ୍ତ ସବୁ ପ୍ରକଳ୍ପରେ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଆଗାମୀ ଦିନରେ ୫ଏକରରୁ ଅଧିକ ପରିମିତ ଐତିହ୍ୟ ସଂପନ୍ନ ପାର୍ବତୀ ପୁଷ୍କରିଣୀକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ସେଠାରେ ନୌକାବିହାରର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର