ସେସ୍, ସରଚାର୍ଜରେ ଭାଗ ଦିଅ, ପ୍ରସ୍ତାବରେ ୬ଟି ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ବର: ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ପୁଣି ଥରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇଛନ୍ତି। କହିଛନ୍ତି, କେନ୍ଦ୍ରରେ ଥିବା ସରକାରମାନେ ଓଡ଼ିଶାକୁ ଲଗାତାର ଭାବେ ଅବହେଳା କରି ଆସୁଛନ୍ତି। ଏଥିସହିତ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ବାରମ୍ବାର ଏଠାରେ ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ଦେଖାଦେଉଛନ୍ତି। ଏଥିରେ ବହୁ ଧନଜୀବନ ନଷ୍ଟ ହେଉଛି। ଏସବୁ ସତ୍ତ୍ବେ ରାଜ୍ୟ ସରକାର ଓଡ଼ିଶାକୁ ଏକ ଉନ୍ନତ ରାଜ୍ୟରେ ପରିଣତ କରିବା ଲାଗି ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ଅପରିହାର୍ଯ୍ୟ େବାଲି ନବୀନ ଅର୍ଥ ଆୟୋଗ ନିକଟରେ ଦାବି କରିଛନ୍ତି। ଅର୍ଥ ଆୟୋଗକୁ ଭେଟିବା ସହିତ ନବୀନ ୫ଟି ପ୍ରସ୍ତାବ ସମେତ ଗୋଟିଏ ସ୍ବତନ୍ତ୍ର ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଲା କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ୪୨% ପରିବର୍ତ୍ତେ ୫୦%କୁ ବୃଦ୍ଧି କରାଯାଉ। ଦ୍ବିତୀୟ ପ୍ରସ୍ତାବ ହେଲା, ସେସ୍ ଏବଂ ସର୍‌ଚାର୍ଜର ଭାଗରୁ ରାଜ୍ୟଗୁଡ଼ିକୁ ଦିଆଯାଉ। ତୃତୀୟ ପ୍ରସ୍ତାବ, ୧୯୭୧ ଜନଗଣନା ରିପୋର୍ଟକୁ ଆଧାର କରି ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିକସ ବଣ୍ଟନ କରାଯାଉ। ନବୀନ ଚତୁର୍ଥ ପ୍ରସ୍ତାବ ହେଲା ଜିଏସଟି କ୍ଷତିପୂରଣ ଅବଧିକୁ ଆଉ ୧୦ ବର୍ଷ ଅର୍ଥାତ୍ ୨୦୩୨ ମସିହା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ପଞ୍ଚମ ପ୍ରସ୍ତାବଟି ହେଲା କେନ୍ଦ୍ର ସରକାର ଆଦାୟ କରୁଥିବା ସବୁଜ ଶକ୍ତି ସେସ୍‌କୁ କୋଇଲା ଖଣି ଅଞ୍ଚଳରେ ଖର୍ଚ୍ଚ କରାଯାଉ। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଅର୍ଥ କମିସନ ନିକଟରେ ଏକ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ମାଗିଛନ୍ତି। ଏ ବାବଦରେ ୧୫୦୦ କୋଟି ଟଙ୍କାର ପ୍ୟାକେଜ ଦେବା ଲାଗି ନବୀନ କହିଛନ୍ତି। ଏହି ଅର୍ଥରେ ରାଜ୍ୟରେ ଅଧିକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ସହିତ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାରେ ଉନ୍ନତି ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି େଦାହରାଇଲେ
କେନ୍ଦ୍ର ଟିକସରେ ରାଜ୍ୟ ଅଂଶ ୫୦%କୁ ବୃଦ୍ଧି କର
୧୯୭୧ ଜନଗଣନା ଆଧାରରେ ଟିକସ ବାଣ୍ଟ
ଜିଏସ୍‌ଟି କ୍ଷତିପୂରଣ ଅବଧି ଆଉ ୧୦ ବର୍ଷ ବଢ଼ାଅ
ସବୁଜ ଶକ୍ତି ସେସ୍‌କୁ କୋଇଲା ଖଣି ଅଞ୍ଚଳରେ ଖର୍ଚ୍ଚକର
୧୫୦୦ କୋଟିର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଦରକାର

ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖିବା ଛଳରେ ଅର୍ଥ ଆେୟାଗ ସାମ୍ନାରେ ରାଜ୍ୟ ଅର୍ଥନୀତି ଚିତ୍ର ଉପସ୍ଥାପନ କରିଥିଲେ। କହିଥିଲେ, ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଓଡ଼ିଶା ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରି ଚାଲିଛି। ଶିଳ୍ପାୟନରେ ଏକ ପଛୁଆ ରାଜ୍ୟ ଭାବେ ପରିଗଣିତ ହୋଇ ଆସୁଥିବା ଓଡ଼ିଶା ଏବେ ଦେଶର ସବୁଠୁ ଅଧିକ ଶିଳ୍ପ ଅଭିବୃଦ୍ଧି ହାସଲ କରୁଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ସ୍ଥାନ ପାଇପାରିଛି। ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ବିଶେଷ ସଫଳତା ହାସଲ କରିଛି। ୨୦୧୪ ମସିହାରୁ ଇତିମଧ୍ୟରେ ରେକର୍ଡ ‌୨୦ ଲକ୍ଷ ପକ୍କା ଘର ନିର୍ମାଣ କରିପାରିଛୁ। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ବିଶେଷ ସ୍ଥାନ ହାସଲ କରିଛି। ଶିକ୍ଷାନୁଷ୍ଠାନର ହଷ୍ଟେଲ ଗୁଡ଼ିକରେ ପ୍ରାୟ ୫ ଲକ୍ଷ ଛାତ୍ରୀ ରହିବା ସୁବିଧା ପାଇଛନ୍ତି। ସର୍ବାଧିକ ସଂଖ୍ୟକ ଛାତ୍ରବୃତ୍ତି ଓଡ଼ିଶା ପ୍ରଦାନ କରୁଛି। ମିସନ୍ ଶକ୍ତି ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କ ସହାୟତାରେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଚିତ୍ରରେ ପରିବର୍ତ୍ତନ ଅଣାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ସହିତ ସ୍ବାସ୍ଥ୍ୟସେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ, ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାରକୁ ହ୍ରାସ କରିବା ସହିତ ବିତ୍ତୀୟ ସ୍ଥିତିରେ ଉନ୍ନତି ଆଣିଛି। ଏକଦା ଦୁର୍ନୀତିଗ୍ରସ୍ତ ଓ ପ୍ରିୟାପ୍ରୀତି ତୋଷଣ ରାଜ୍ୟ ଭାବେ ପରିଚିତ ଥିବା ଓଡ଼ିଶାକୁ ଏକ ସ୍ବଚ୍ଛ ଶାସନର ରାଜ୍ୟରେ ପରିଣତ କରାଯାଇଛି। ଉତ୍କଟ ଦାରିଦ୍ର୍ୟ ପାଇଁ ପରିଚିତ ଥିବା ଓଡ଼ିଶାରେ ଗତ ଏକ ଦଶନ୍ଧି ମଧ୍ୟରେ ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ତଳୁ ଉପରକୁ ଅଣାଯାଇଛି। ଦେଶରେ ଓଡ଼ିଶା ସର୍ବାଧିକ ଅର୍ଥାତ୍ ୨୪.୬୧% ଦାରିଦ୍ର୍ୟ ହ୍ରାସ କରିଛି। ବିଶେଷକରି ୨୦୦୦ ମସିହାରେ ନବୀନ ସରକାର ଆସିବା ପରଠାରୁ ରାଜ୍ୟର ଅଗ୍ରଗତି ସମ୍ପର୍କରେ ସେ ଅର୍ଥ ଆୟୋଗକୁ ଅବଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ସହିତ ଗତ ୭ ବର୍ଷ ମଧ୍ୟରେ ୫ ଥର କୃଷି କର୍ମଣ ପୁରସ୍କାର ପାଇଛି। ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ଏବେ ଏକ ବଳକା ରାଜ୍ୟରେ ପରିଣତ ହୋଇଛି। କେବଳ ସେତିକି ନୁହେଁ, ପିଡିଏସ ‌ବ୍ୟବସ୍ଥାକୁ ଅଧିକ ଖାଦ୍ୟଶସ୍ୟ ଯୋଗାଇବାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ୨୦୧୪ ମସିହାରୁ ରାଜ୍ୟରେ ଅତିରିକ୍ତ ୮ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି। ୨୦୧୯ ଏପ୍ରିଲ ସୁଦ୍ଧା ଧାର୍ଯ୍ୟ ୧୦ ଲକ୍ଷ ହେକ୍ଟରକୁ ଜଳସେଚନ ଯୋଗାଇବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ରାଜ୍ୟ ଅତିକ୍ରମ କରିବ ବୋଲି ନବୀନ କହିଛନ୍ତି। ଏସବୁ ସଫଳତା ସତ୍ତ୍ବେ କେନ୍ଦ୍ରୀୟ ଅବହେଳା କାରଣରୁ ଓଡ଼ିଶା ଟେଲି ଯୋଗାଯୋଗ, ରେଳ ଭିତ୍ତିଭୂମି, ବ୍ୟାଙ୍କ ଓ ରାଜପଥ ଆଦି କ୍ଷେତ୍ରରେ ପଛରେ ରହିଛି ବୋଲି ନବୀନ ଦର୍ଶାଇଥିଲେ। ଏହି ଅବସରରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟ, ଆଇନ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ଅର୍ଥ ସଚିବ ଏ. କେ. ମୀନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର