କୁଚିଣ୍ଡା : କୁଚିଣ୍ଡା ରେଞ୍ଜ ବାମଣ୍ଡା ବନଖଣ୍ଡର ନିଘଞ୍ଚ ଖଜୁରିଆ ଜଙ୍ଗଲ ବଡ଼ବାହାଲ ନିକଟରେ ହାତୀ ପଲ ଠାବ କରିବା ପାଇଁ ଯାଇଥିବା ୬ ଜଣ ବନ କର୍ମଚାରୀ ଜଙ୍ଗଲରେ ବାଟବଣା ହୋଇଯାଇଥିଲେ। ଫଳରେ ସେମାନେ ଶୀତ କାକରରେ ସାରା ରାତି ଜଙ୍ଗଲରେ କଟାଇଥିବା ଜଣାଯାଇଛି।
ଜଣ୍ଡା ଫରେଷ୍ଟ ଗାର୍ଡ ଆତିଶ ନାଏକ, ସଂଗ୍ରାମ ସାହୁ, ସଞ୍ଜୟ କୁମରା, ବୁଲୁ ପୃଷେଠ୍, ପ୍ରକାଶ କିସାନ ଓ ପ୍ରବୀନ କିସାନ ୬ ଜଣ ବନ କର୍ମଚାରୀ ଏକ ହାତୀ ପଲକୁ ଠାବ କରିବାକୁ ପଶିଥିଲେ। ଜଙ୍ଗଲ ଭିତରେ ହାତୀ ପଲକୁ ଠାବ କରୁକରୁ ହଠାତ୍ ଏହି ୨୨ ଟିକିଆ ହାତୀ ପଲ ସହ ସାମ୍ମାସାମ୍ନି ହୋଇଥିଲେ। ଏହି ଦଳରେ ୮ ପୁରୁଷ, ୧୦ ମାଈ ଓ ୪ ଛୋଟ ହାତୀ ଥିଲେ। ସାମ୍ନାରେ ହାତୀ ଦେଖିବା ପରେ ସେମାନେ ଭୟରେ ଗୋଟିଏ ପଟକୁ ଚାଲି ଯାଇ ବାଟବଣା ହୋଇଯାଇଥିଲେ। ସଂରକ୍ଷିତ ଜଙ୍ଗଲ ଭିତରେ ମୋବାଇଲ ନେଟ୍ୱାର୍କ ନଥିବାରୁ କାହାରି ସହ ଯୋଗାଯୋଗ ବି କରି ପାରିନଥିଲେ। ଏହା ଭିତରେ ରାସ୍ତା ଖୋଜୁ ଖୋଜୁ ରାତି ହୋଇ ଯାଇଥିଲା। ରାତିରେ ଅନ୍ୟ ଉପାୟ ନପାଇ ଏହି ବନ କର୍ମଚାରୀମାନେ ଅନ୍ୟ ବନ୍ୟ ଜନ୍ତୁଙ୍କଠାରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ପଥର ଚଟାଣ ଉପରେ ଚଢିଯାଇ ଥିଲେ। ପଥର ଉପରେ ଆଦିମ ଲୋକଙ୍କ ପରି ପଥରକୁ ପଥର ଘସି ଶୁଖା ପତ୍ର ଝାଟି କୁଟାରେ ନିଆଁ ଜଲାଇ ପ୍ରବଳ ଶୀତରେ ରାତ୍ରୀ ବିତାଇଥିଲେ। ସକାଳ ହେବା ପରେ କିଛି ଦୂର ଆସିବା ପରେ ନେଟ୍ୱାର୍କ ପାଇବାରୁ ଯୋଗାଯୋଗ କରିଥିଲେ। କୁଚିଣ୍ଡା ରେଞ୍ଜର ଶରତ ଚନ୍ଦ୍ର ପଣ୍ଡା ଓ ଦୀପକ ମହାନନ୍ଦ ପ୍ରମୁଖ ସହାୟତାରେ ସେମାନଙ୍କୁ ଜଙ୍ଗଲ ଭିତରେ ଉଦ୍ଧାର କରିଥିଲେ। ବର୍ତ୍ତମାନ ହାତୀପଲ କଂସର ଜଙ୍ଗଲ ଉଷାକୋଠି ଅଞ୍ଚଳ ପଟକୁ ଯାଇଥିବା ଜଣାପଡ଼ିଛି। ହତୀପଲ ସୁରକ୍ଷିତ ଥିବା ଜଣାଯାଇଛି। ତେବେ ହାତୀପଲକୁ ଠାବ ପାଇଁ ଯାଉଥିବା ବନ କର୍ମଚାରୀଙ୍କୁ ଜିପିଏସ୍ ମୋବାଇଲ ଟ୍ରାକର ଯୋଗାଇ ଦେବାକୁ ଦାବି ହେଉଛି।