ରେଢ଼ାଖୋଲ: ମା’ ନଥିବାରୁ ପୁଅକୁ ସବୁବେଳେ ପାଖରେ ରଖୁଥିଲେ। ବହୁତ ଭଲ ପାଉଥିଲେ। ଟ୍ରକ୍ ଚଳାଇ ଯାହା ରୋଜଗାର କରୁଥିଲେ ସେଥିରେ ବାପା-ପୁଅ ଚଳୁଥିଲେ। ହେଲେ ଦୁର୍ଘଟଣା ସବୁ ବିଗାଡ଼ିଦେଲା। ୮ ବର୍ଷର ଶିଶୁ ପୁତ୍ର ସମ୍ମୁଖରେ ଚାଲିଗଲା ବାପାଙ୍କ ଜୀବନ। ବାପାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଶିଶୁ ଜଣକ ଏବେ ବି ଅବଗତ ନାହିଁ। ହିନ୍ଦୀରେ ଖନେଇ ଖେନେଇ କହୁଛି, ‘ପିତାଜୀ ବାତ୍ କର୍ନେ କି ହାଲତ୍ ମେ ନେହିଁ। ଘରେ ମା’ ନଥିବାରୁ ଯାଆଡ଼େ ଯାଉଥିଲେ ବାପା ତାଙ୍କୁ ସାଙ୍ଗରେ ନେଇଯାଉଥିଲେ। ଛୋଟ ଶିଶୁର ମୁହଁର ଏହି କଥା ଶୁଣିବା ପରେ ଉପସ୍ଥିତ ଲୋକମାନେ ନିଜର କୋହ ସମ୍ବରଣ କରିପାରି ନଥିଲେ।
ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଞ୍ଚଳରେ ଘଟିଥିବା ଦୁର୍ଘଟଣାରେ ଉତ୍ତରପ୍ରଦେଶର ଅଦବେଶ ଶର୍ମାଙ୍କ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ସମୟରେ ତାଙ୍କ ୮ ବର୍ଷର ପୁଆ ସାଙ୍ଗରେ ଥିଲେ। ସୌଭାଗ୍ୟରୁ ସେ ରକ୍ଷା ପାଇଯାଇଛନ୍ତି। ସୂଚନା ଅନୁଯାୟୀ ଚାରମାଳ ଥାନା ଅର୍ନ୍ତଗତ ୫୫ ନଂ ଜାତୀୟ ରାଜପଥ ଲମକ୍ଷେତା ନିକଟରେ ମଙ୍ଗଳବାର ରାତି ୮ଟାରେ ଟ୍ରକ୍ (ଜିଜେ- ୦୩ ଇଏ-୯୩୧୭) କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ଆସୁଥିବା ଟ୍ରଲର୍ (ଓଡି-୧୫ଏମ-୬୭୨୯) ସହ ମୁହଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣାରେ ଟ୍ରଲର୍ ଚାଳକଙ୍କ କିଛି କ୍ଷତି ହୋଇ ନଥିବା ବେଳେ ଗୁରୁତର ଅବସ୍ଥାରେ ଟ୍ରକ୍ ଚାଳକ ଅଦବେଶଙ୍କୁ ବହୁ କଷ୍ଟରେ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ତ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୮ ବର୍ଷର ପୁଅ ସମ୍ମୁଖରେ ବାପଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ପୁଲିସ ଉଭୟ ଗାଡ଼ି ଓ ଶବ ଜବତ କରିଛି। ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବୁଧବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଉଭୟ ଗାଡି ଦ୍ରୁତ ଗତିରେ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।