୬ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ, ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

ଯାତ୍ରାପାର୍ଟି ନାଚ ମାଷ୍ଟର୍ ଗିରଫ

ନିଶ୍ଚିନ୍ତକୋଇଲି/ନେମାଳ : ନାଚ ଶିଖେଇବାକୁ ଡାକି ନେଇ ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଛି ଦୁର୍ବୃତ୍ତ। ଶିଶୁଟିର ବୟସ ମାତ୍ର ୬ ବର୍ଷ। ଗ୍ରାମବାସୀ ଆଜି ବାଉଁଶ ବୁଦା ମୂଳରୁ ଶିଶୁଟିକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଝାଡ଼େଶ୍ବରପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ଗିରଫ କରି ପୁଲିସ୍‌ ଜେରା ଚଳାଇଛି।

ସୂଚନା ମୁତାବକ, ପ୍ରଥମାଷ୍ଟମୀ ଉପଲକ୍ଷେ ଝାଡ଼େଶ୍ବରପୁର ମା ବୁଢ଼ୀ ଜାଗୁଳାଇଙ୍କ ପୀଠରେ ଭଦ୍ରକର ତପସ୍ବିନୀ ଅପେରା ପକ୍ଷରୁ ଦୁଇ ଦିନ ହେଲା ନାଟକ ପରିବେଷଣ କରାଯାଉଥିଲା। ଗତକାଲି ଯାତ୍ରାର ଶେଷ ରାତି ଥିଲା। ସେହି ସନ୍ଧ୍ୟାରେ ନାଚ ଶିଖାଇବା ଆଳ ଦେଖାଇ ଅପେରାର ନାଚ ମାଷ୍ଟର ସିମୁଳିଆର ରମାକାନ୍ତ ସିଂ (ନଣ୍ଡା) ସାଲେପୁରସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଦ୍ବିତୀୟ ଷ୍ଟାଣ୍ଡାର୍ଡରେ ପଢୁଥିବା ଝାଡ଼େଶ୍ବରପୁର ଅଞ୍ଚଳର ୬ ବର୍ଷୀୟା ଛାତ୍ରୀକୁ ଡାକି ନେଇଥିଲେ। ସନ୍ଧ୍ୟା ୫ଟାରୁ ଛାତ୍ରୀଜଣକ ଘରୁ ନିଖୋଜ ଥିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ତା’ର ପତ୍ତା ମିଳି ନ ଥିଲା। କାଲି ରାତିରେ ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଅପେରାକୁ ଅଧାରୁ ବନ୍ଦ କରି ଦେଇଥିଲେ।

ଆଜି ସକାଳେ ଗୋପୀନାଥପୁର ଗ୍ରାମ ନିକଟସ୍ଥ ଏକ ବାଉଁଶ ବୁଦା ନିକଟରୁ ଶିଶୁଟିକୁ ମୁମୂର୍ଷୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ। ଶିଶୁକନ୍ୟା ଶରୀରର ବିଭିନ୍ନ ସ୍ଥାନରେ ଧୂଳି, ବାଲି ଲାଗିଥିବା ବେଳେ ପାଟି, ମୁହଁ ଓ ଗାଲରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ତୁରନ୍ତ ତାକୁ ନେଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଶିଶୁଟିକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏ ସମ୍ପର୍କରେ ଝିଅର ବାପା ନେମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା (କେସ୍‌ ନଂ-୧୨୧/୧୯) ରୁଜୁ କରାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଅପେରାର ୪ଜଣ କଳାକାରଙ୍କୁ ଅଟକ ରଖିଥିଲେ। ଖବର ପାଇ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ ରାଧାବିନୋଦ ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଦ୍ୟୁମ୍ନ କୁମାର ଜେନା, ସାଲେପୁର ଏସ୍‌ଡିପିଓ ନିମାଇଁ ସେଠୀ, ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡ଼ା, ନେମାଳ ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି ପ୍ରମୁଖ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଅଟକ ୪ ଜଣ କଳାକାରଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରିଛି। ଅଭିଯୁକ୍ତ ନୃତ୍ୟ ନିର୍ଦ୍ଦେଶକ ରମାକାନ୍ତ ସିଂକୁ ଗିରଫ କରାଯାଇଥିବା ଏସ୍‌ପି ଶ୍ରୀ ପାଣିଗ୍ରାହୀ ସୂଚନା ଦେବା ସହ ଅଭି‌ଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର