ବଡ଼ଭଉଣୀକୁ କୁମ୍ଭୀର ମୁହଁରୁ ବଞ୍ଚାଇବା ଘଟଣା : ମମତାକୁ ମିଳିଲା ସାହସିକତା ପୁରସ୍କାର

ରାଜନଗର : କୁମ୍ଭୀର ପାଟିରୁ ବଡ଼ ଭଉଣୀକୁ ବଞ୍ଚାଇଥିବା ୬ ବର୍ଷୀୟା ସାହସୀ ବାଳିକା ମମତାକୁ ଆଜି ମିଳିଛି ସାହସିକତା ପୁରସ୍କାର। ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ମମତାର ବଡ଼ଭଉଣୀ ଅଶାନ୍ତିକୁ ମଧ୍ୟ ସେଠାରେ ସମ୍ବର୍ଦ୍ଧିତ କରାଯାଇଛି।

୧୯୯୯ ମହାବାତ୍ୟା ପୂର୍ତ୍ତି ଅବସରରେ ଆଜି ରବୀନ୍ଦ୍ରମଣ୍ଡପରେ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ରିଲିଫ୍‌ କମିସନର ବିଷ୍ଣୁ ପ୍ରସାଦ ସେଠୀ, ଓସ୍‌ଡମା ଏମ୍‌ଡି ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କୁମ୍ଭୀର ମୁହଁରୁ ବଡ଼ ଭଉଣୀ ଅଶାନ୍ତିର ଜୀବନ ବଞ୍ଚାଇଥିବା ମମତାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ୧୦ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରିଥିଲେ। ଅଶାନ୍ତିକୁ ଟ୍ରଫି ପ୍ରଦାନ କରାଯାଇଥିଲା। ମମତାର ମା’, ଜେଜେ ମା’, ରାଜନଗର ତହସିଲଦାର କ୍ଷୀରୋଦ କୁମାର ବେହେରା ଏହି ଅବସରରେ ଉପସ୍ଥିତ ଥିଲେ।

ସୂଚନା ଥାଉ କି, ଭିତରକନିକା ଜାତୀୟ ଉଦ୍ୟାନର ପ୍ରବେଶ ପଥ ନିକଟରେ ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ନିର୍ମଳ ଦଳାଇଙ୍କ ପୋଖରୀ ରହିଛି। ଗତ ଏପ୍ରିଲ୍‌ ୪ ତାରିଖରେ ନିର୍ମଳଙ୍କ ବଡ଼ଝିଅ ଅଶାନ୍ତି ଉକ୍ତ ପୋଖରୀରେ ଗାଧଉଥିଲା। କୂଳରେ ମମତା ଛିଡ଼ା ହୋଇଥିଲା। ଏହି ସମୟରେ ପୋଖରୀ ଭିତରକୁ ପଶି ଆସିଥିବା ଏକ ୫ ଫୁଟ ଲମ୍ବର ବଉଳା କୁମ୍ଭୀର ଅଶାନ୍ତିର ଡାହାଣ ହାତକୁ ଝାମ୍ପ ମାରିଥିଲା। ଏହାଦେଖି ମମତା ବଡ଼ ଭଉଣୀର ହାତକୁ ଧରି ଉପରକୁ ଝିଙ୍କି ଆଣିଥିଲା । କୁମ୍ଭୀରଟି ଛିଟିକି ପଡ଼ି ପାଣି ଭିତରକୁ ଚାଲିଯାଇଥିଲା। ଅଶାନ୍ତିର ଡାହାଣ ହାତରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲେ ବି ସାନଭଉଣୀ ପାଇଁ ନୂଆ ଜୀବନ ପାଇଥିଲା। ‘ସମ୍ବାଦ’ ପ୍ରଥମ ପୃଷ୍ଠାରେ ଏହି ଖବର ପ୍ରକାଶ ପାଇବା ପରେ ସବୁ ମହଲରୁ ମମତାର ସାହସିକତାକୁ ସାବାସୀ ମିଳିଥିଲା। ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ୍‌ କରି ମମତାକୁ ସାବାସୀ ଜଣାଇଥିଲେ। ସଚିବାଳୟ ଡ଼କାଇ ଦୁଇ ଭଉଣୀଙ୍କୁ ସାଇକଲ, ଚକୋଲେଟ୍‌ ପ୍ୟାକେଟ୍‌ ପ୍ରଦାନ କରିବା ସହ ସେଲ୍‌ଫି ଉଠାଇଥିଲେ। ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଏହି ଦୁଇ ବାଳିକା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏବେ ଭୁବନେଶ୍ୱର କିସ୍‌ରେ ପାଠ ପଢୁଛନ୍ତି।

ସମ୍ବନ୍ଧିତ ଖବର