ରାଉରକେଲା: ଗତ ୧୬ରୁ ଆରମ୍ଭ ହୋଇଥିଲା ରାଜ୍ୟର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଗୁରୁବାର ହେବାକୁ ଯାଉଛି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ସୁନ୍ଦରଗଡ଼ର ଜିଲ୍ଲାର ବାକିଥିବା ୩ ବ୍ଲକରେ ୬ ଜିଲ୍ଲା ପରିଷଦ, ୪୨ ସରପଞ୍ଚ ଓ ସମିତି ସଭ୍ୟ ସହ ୫୫୦ ୱାର୍ଡ ସଭ୍ୟ ପାଇଁ ହେବ ମତଦାନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୁନ୍ଦରଗଡ଼ ସଦର, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ତିନି ବ୍ଲକ କାର୍ଯ୍ୟାଳୟରୁ ପୁଲିଂପାର୍ଟି ନିଜ ନିଜ ବୁଥରେ ପହଞ୍ଚି ସାରିଛନ୍ତି। ତିନିଟି ବ୍ଲକରେ ମୋଟ ୫୫୦ଟି ବୁଥ କରାଯାଇଛି। ଏଥି ମଧ୍ୟରେ ଗୁରୁଣ୍ଡିଆରେ ୧୫୭, ଟାଙ୍ଗରପାଲିରେ ୧୭୯ ଓ ସୁନ୍ଦରଗଡ଼ ସଦର ବ୍ଲକରେ ସର୍ବାଧିକ ୨୧୪ଟି ପୁଲିଂ ବୁଥ୍ କରାଯାଇଛି।
ଗୁରୁଣ୍ଡିଆରେ ୧୫୭ ବୁଥ୍ ମଧ୍ୟରୁ ୩୧ ବୁଥ୍ ସମ୍ବେଦନଶୀଳ ଓ ୧୬ଟି ବୁଥ ଅତି ସମ୍ବେଦନଶୀଳ ବୁଥ୍ ରହିଛି। ଟାଙ୍ଗରପାଲିରେ ୯୮ଟି ସମ୍ବେଦନଶୀଳ ଓ ୨ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି। ସୁନ୍ଦରଗଡ଼ ସଦରରେ ୮୯ ସମ୍ବେଦନଶୀଳ ଓ ୬୮ ଅତି ସମ୍ବେଦନଶୀଳ ବୁଥ୍ ରହିଛି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ ବ୍ଲକରେ ମୋଟ ୧ ଲକ୍ଷ ୫୩ ହଜାର ୩୩୦ ଭୋଟର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ। ଟାଙ୍ଗରପାଲି ଜିଲ୍ଲା ପରିଷଦ (କ) ଜୋନ୍ରେ ୭ଟି ପଞ୍ଚାୟତ ଓ ୯୭ ୱାର୍ଡ ସଭ୍ୟ ଅଛନ୍ତି। ମୋଟ ଭୋଟର ସଂଖ୍ୟା ହେଉଛି ୨୪ ହଜାର ୩୬୦ ଟଙ୍କା। (ଖ) ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ୬ଟି ପଞ୍ଚାୟତ ଓ ୮୨ଟି ୱାର୍ଡ ରହିଛି। ମୋଟ ଭୋଟର ସଂଖ୍ୟା ହେଉଛନ୍ତି ୨୫ ହଜାର ୫୦୧।
ଗୁରୁଣ୍ଡିଆ ବ୍ଲକ (କ) ଜିଲ୍ଲା ପରିଷଦ ଜୋନ୍ରେ ୭ ପଞ୍ଚାୟତ ଓ ୮୪ ୱାର୍ଡ ରହିଛି। ମୋଟର ଭୋଟର ସଂଖ୍ୟା ହେଉଛନ୍ତି ୨୪ ହଜାର ୯୫୩। ସେମିତି (ଖ)ଜୋନ୍ ଅଧୀନରେ ୬ଟି ପଞ୍ଚାୟତ ଓ ୭୩ଟି ୱାର୍ଡ ରହିଛି। ମୋଟ ୨୩ ହଜାର ୪୬୬ ଭୋଟର ରହିଛନ୍ତି। ଅନୁରୂପ ଭାବେ ସୁନ୍ଦରଗଡ଼ ସଦର ବ୍ଳକ (କ) ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ୯ଟି ପଞ୍ଚାୟତ ଓ ୧୨୫ଟି ୱାର୍ଡ ସଭ୍ୟ ରହିଛି। ମୋଟ ଭୋଟର ହେଉଛନ୍ତି ୨୯ ହଜାର ୫୨। ସୁନ୍ଦରଗଡ଼ (ଖ) ଜିଲ୍ଲା ପରିଷଦ ଜୋନ୍ରେ ୭ଟି ପଞ୍ଚାୟତ ଓ ୮୯ ୱାର୍ଡ ରହିଛି। ମୋଟ ଭୋଟର ସଂଖ୍ୟା ହେଉଛି ୨୫ ହଜାର ୯୯୮।
ଉଲ୍ଲେଖଯୋଗ୍ୟ, ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ସୁନ୍ଦରଗଡ଼ ସଦର ବ୍ଲକ ଦୁଇଟି ଜିଲ୍ଲା ପରିଷଦ ଜୋନ୍ ବିଜେପି ଖାତାକୁ ଯାଇଥିଲା। (କ) ଜୋନ୍ରୁ ବିଜେପିର ସୁଖଲାଲ୍ ମୁଣ୍ଡା ସର୍ବାଧିକ ୯ ହଜାର ୪୪୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଥିଲେ କଂଗ୍ରେସର ପ୍ରଦୀପ କୁମାର ନାୟକ। ତାଙ୍କୁ ୭ ହଜାର ୨୭୭ ଖଣ୍ଡ ଭୋଟ ମିଳିଥିଲା। ସେମିତି (ଖ) ଜୋନ୍ର ବିଜେପିର କାର୍ତ୍ତିକ ମାଝି ୮ ହଜାର ୧୮୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଥିଲେ କଂଗ୍ରେସର ଅନିରୁଦ୍ଧ ଥେମେରିଆ।
ସେ ୬ ହଜାର ୧୮୨ ଖଣ୍ଡ ଭୋଟ ପାଇଥିଲେ। ଗୁରୁଣ୍ଡିଆ (କ) ଓ (ଖ) ଜିଲ୍ଲା ପରିଷଦ ଆସନ ଦୁଇଟି ବିଜେଡି ଖାତାକୁ ଯାଇଥିଲା। ବିଜେଡିର ଚନ୍ଦ୍ରାବତୀ ସିଂ ୪ ହଜାର ୬୦୯ ଖଣ୍ଡ ଭୋଟ ପାଇଥିଲେ। ତାଙ୍କର ନିକଟତ ପ୍ରତିଦ୍ବନ୍ଦୀ ଥିଲେ କଂଗ୍ରେସର ପଦ୍ମିନୀ ସିଂହ। ତାଙ୍କୁ ୪ ହଜାର ୧୭୧ ଖଣ୍ଡ ଭୋଟ ମିଳିଥିଲା। (ଖ) ଜିଲ୍ଲା ପରିଷଦ ଜୋନରେ ବିଜେଡିର ମମତା ପାତ୍ର ୮ ହଜାର ୨୯୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି, କଂଗ୍ରେସ ଓ ସିପିଆଇ (ଏମ୍) ପଛରେ ରହିଥିଲେ।
ଟାଙ୍ଗରପାଲି ବ୍ଲକ (କ) ଓ (ଖ) ଦୁଇଟି ବିଜେପି ଖାତାକୁ ଯାଇଥିଲା। (କ) ଜୋନ୍ର ବିଜେପିର ରବିକାନ୍ତ କିସାନ ୭, ୮୩୪ ଓ (ଖ)ଜୋନ୍ରେ ବିଜେପିର ଯୋଗେଶ୍ବର ଭୋଇ ୮, ୭୬୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। (କ)ଜୋନ୍ରେ କଂଗ୍ରେସ ଦ୍ବିତୀୟ ଓ (ଖ)ଜୋନ୍ରେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଥିଲା। ତେବେ ଗୁରୁବାର ହେବାକୁ ଯାଉଥିବା ନିର୍ବାଚନରେ ଭୋଟମାନେ କାହା ସପକ୍ଷରେ ଯାଉଛନ୍ତି ଗଣତି ପରେ ହିଁ ସ୍ପଷ୍ଟ ହେବ।