କଟକ: ଧାନରୁ ଚାଉଳ ପ୍ରସ୍ତୁତ କରିବା ପାଇଁ କେବଳ କଟକ ଜିଲ୍ଲାରେ ସରକାର ୬୦ କୋଟି ଟଙ୍କା କ୍ଷତି ସହିଛନ୍ତି। ଗଲା ୩ ବର୍ଷ ହେଲା ଏଭଳି ପ୍ରକ୍ରିୟା ଚାଲିଥିବା ବେଳେ ଚଳିତ ବର୍ଷ ହଠାତ ବୁଦ୍ଧି ଉଦୟ ହେବାରୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ କେଉଁ କାରଣରୁ ଗଲା ୩ ବର୍ଷ ହେଲା କଟକରୁ ବରଗଡ଼କୁ ଧାନ ପଠାଇ ସେଠାରୁ ଚାଉଳ ଆଣିବା କାର୍ଯ୍ୟ ଚାଲିଥିଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ତଥ୍ୟ ଅନୁଯାୟୀ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳ ପାଇଁ ପ୍ରାୟ ୩ ବର୍ଷ ହେବ ଜିଲ୍ଲାରୁ ଧାନ ସଂଗ୍ରହ କରାଯାଇ ମିଲିଂ ଅର୍ଥାତ ଚାଉଳ ପ୍ରସ୍ତୁତ କରିବାକୁ ପଠାଯାଇଛି ବରଗଡ଼। ପ୍ରତିବର୍ଷ ଦେଢଲକ୍ଷ କ୍ବିଣ୍ଟାଲ ଧାନ ମିଲିଂ ପାଇଁ କଟକରୁ ବରଗଡ଼ ଯାଉଛି। ଦେଢ ଲକ୍ଷ କ୍ବିଣ୍ଟାଲ ଧାନ ପରିବହନ ପାଇଁ ପାଖାପାଖି ୫ହଜାର ଗାଡି ବ୍ୟବହାର ହୋଇଥିବାବେଳେ ଚାଉଳ ଆଣିବା ପାଇଁ ୩ ହଜାର ଗାଡି ବ୍ୟବହାର କରାଯାଉଛି। ଏହି ପରିବହନ ଖର୍ଚ୍ଚରେ ପାଖାପାଖି ୨୫ କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ସେହି ଦେଢ ଲକ୍ଷ କ୍ବିଣ୍ଟାଲ ଧାନ ଯଦି କଟକ ଜିଲ୍ଲା ଅଥବା କଟକ ଆଖପାଖ ଜିଲ୍ଲାର ମିଲର ମିଲିଂ କରିଥାନ୍ତେ ତାହେଲେ ସେଥି ପାଇଁ ଅତିବେଶୀରେ ୫କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। କିନ୍ତୁ କଟକରୁ ବରଗଡ଼ ୩୧୦ କିଲୋମିଟର ଦୂରତ୍ବ ହେଉଥିବାରୁ ପରିବହନ ଖର୍ଚ୍ଚ ପ୍ରାୟ ୫ ଗୁଣ ବଢି ଯାଉଛି। ଯୋଗାଣ ନିଗମ କଟକ ପାଶ୍ବବର୍ତ୍ତୀ ଜିଲ୍ଲାକୁ ଧାନ ମିଲିଂ ପାଇଁ ନଦେଇ ବରଗଡ଼ ପଠାଇବା ଓ ଯୋଗାଣ ନିଗମ ମଧ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ ନକରିବା ଯୋଗୁଁ ଏଭଳି କୋଟି କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଉଛି।

Advertisment

କିନ୍ତୁ ଚଳିତବର୍ଷ ଜିଲ୍ଲାରେ ମିଲର ସଂଖ୍ୟା ବୃଦ୍ଧି କରାଯାଇ ମିଲିଂ ପାଇଁ ବାହାର ଜିଲ୍ଲାକୁ ଧାନ ପଠାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ଦ୍ବାରା ଖର୍ଚ୍ଚ ହ୍ରାସ ସହ କଟକ ଜିଲ୍ଲାର ହିତାଧିକାରୀ କଟକ ଜିଲ୍ଲାର ଚାଉଳ ପାଇବେ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବିଭୁ ରଞ୍ଜନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। କଟକ ଜିଲ୍ଲାରେ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନାରେ ୫ଲକ୍ଷ ୫ହଜାର ୫୩୧ ହିତାଧିକାରୀ ରହିଛନ୍ତି। ସେମାନଙ୍କ ପାଇଁ ମାସକୁ ୧ ଲକ୍ଷ କ୍ବିଣ୍ଟାଲ ଚାଉଳ ପ୍ରଦାନ କରାଯାଉଛି। ଫଳରେ ହିତାଧିକାରୀ ବର୍ଷକୁ ୧୨ଲକ୍ଷ କ୍ବିଣ୍ଟାଲ ଚାଉଳ ବିଭିନ୍ନ ଯୋଜନାରେ ପାଉଛନ୍ତି। କଟକ ଜିଲ୍ଲାରେ ଗତବର୍ଷ ୧୭ ଲକ୍ଷ ୫୬ ହଜାର କ୍ବିଣ୍ଟାଲ ଧାନ କିଣାଯାଇଥିଲା। ସେଥିରୁ ଜିଲ୍ଲାର ୧୦ଜଣ ମିଲରଙ୍କୁ ମିଲିଂ ପାଇଁ ତାଙ୍କର କୋଟା ବାବଦକୁ ୧୬ଲକ୍ଷ କ୍ବିଣ୍ଟାଲ ଦିଆଯାଇଥିବା ବେଳେ ବାକି ଦେଢ ଲକ୍ଷ କ୍ବିଣ୍ଟାଲ ଧାନ ବରଗଡକୁ ପଠାଯାଇଥିଲା ମିଲିଂ ପାଇଁ। ବରଗଡ଼କୁ ଯେଉଁ ଧାନ ପଠାଯାଇଥିଲା ମିଲିଂ ପାଇଁ ସେହି ବାବଦକୁ ପାଖାପାଖି ୩୦କୋଟି ଟଙ୍କା ପରିବହନ, ମିଲିଂ ତଥା ବିଭିନ୍ନ ବାଦବକୁ ଖର୍ଚ୍ଚ କରାଯାଇଛି। କଟକ ଜିଲ୍ଲାର ମିଲରଙ୍କୁ ମିଲିଂ, ଷ୍ଟୋରିଂ ବାବଦକୁ ମିଲରଙ୍କୁ ପାଖାପାଖି ୫୦ଟଙ୍କା ଓ ପରିବହନ ବାବଦକୁ କିଲୋମିଟର ପିଛା ଟଙ୍କା ଦିଆଯାଏ। ବାହାର ଜିଲ୍ଲାକୁ ଯେଉଁ ଧାନ ମିଲିଂ ପାଇଁ ପଠାଯାଉଛି ସେଥିରେ ମିଲିଂ ଓ ଷ୍ଟୋରିଂ ବାବଦକୁ ମିଲର ସମାନ ଟଙ୍କା ପାଉଛନ୍ତି। କିନ୍ତୁ କିଲୋମିଟର ବା ଦୂରତ୍ବ ଯୋଗୁଁ ପରିବହନ ଖର୍ଚ୍ଚ ବଢୁଛି। ଅର୍ଥାତ୍‌ ପାଖାପାଖି ୧୦ରୁ ୧୫ଗୁଣ ଅଧିକ ରହୁଛି ପରିବହନ ଖର୍ଚ୍ଚ। ବରଗଡ଼ର ୪/୫ଜଣ ମିଲରଙ୍କୁ ଧାନ ମିଲିଂ ପାଇଁ ୨/୩ବର୍ଷ ହେଲା ଅର୍ଥାତ୍‌ କୋଭିଡ୍‌ ପରଠାରୁ ଦିଆଯାଉଛି। କିନ୍ତୁ ଚଳିତବର୍ଷ ଜିଲ୍ଲାରେ ଧାନ ଉତ୍ପାଦନ କମିଥିବା କୁହାଯାଉଛି। ଏପଟେ ମିଲର ସଂଖ୍ୟା ବି ୧୦ରୁ ୧୨କୁ ବୃଦ୍ଧି ପାଇଛି। ଫଳରେ ଚଳିତବର୍ଷ ଧାନ ଆଉ ବରଗଡ଼ ଯବନି ମିଲିଂ ପାଇଁ। ରାଜ୍ୟ ଯୋଗାଣ ନିଗମର ଏଭଳି ଚାଉଳ ମିଲିଂ ପାଇଁ କଟକ ଧାନ ବରଗଡ ପଠାଯିବା ଦ୍ବାରା କେବଳ ଗତବର୍ଷ ୨୫କୋଟି ଟଙ୍କା କ୍ଷତି ସହିଛି ଯୋଗାଣ ନିଗମ। କଟକରେ କଣ ପାଇଁ ୧୦ଜଣ ମିଲର ଧାନ ମିଲିଂ କରିବାକୁ ସକ୍ଷମ ହେଲେ ନାହିଁ, କଣ ପାଇଁ ନିକଟବର୍ତ୍ତୀ ଜିଲ୍ଲାକୁ ଧାନ ମିଲିଂ ପାଇଁ ପଠା ନଯାଇ ବରଗଡକୁ ୩ବର୍ଷ ହେଲା ଚୟନ କରାଯାଉଛି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।