ସୁନ୍ଦରଗଡ଼: ବିଜୁଳି ବନ୍ଧ, ଭବାନୀଭବନ ପଡ଼ିଆ ସହ ଥିମ୍ ଓ ପାରିଜାତ ପାର୍କ ସୁନ୍ଦରଗଡ଼ ସହରର ଶୀରି। ହେଲେ କିଛି ବର୍ଷ ହେଲା ଏସବୁକୁ ଗ୍ରହଣ ଲାଗିଛି କହିଲେ ଭୁଲ ହେବ ନାହିଁ। କାରଣ ସୌନ୍ଦର୍ଯ୍ୟକରଣ ନାମରେ ଆରମ୍ଭ ହୋଇଥିବା ବିଜୁଳି ବନ୍ଧର ରୂପରେଖ ପରିବର୍ତ୍ତନ ଓ ଭବାନୀଭବନ ପଡ଼ିଆରେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ। ୬୦ କୋଟି ବ୍ୟୟ ଅଟକଳର ଏ ଦୁଇ ପ୍ରକଳ୍ପର ନିର୍ମାଣ ବର୍ଷ ବର୍ଷ ଧରି ଚାଲିଛି। କେବେ ସରିବ ତାହା ଖୋଦ୍ ଅନୁଦାନ ଦେଇଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ କି ନିର୍ମାଣକାରୀ ସଂସ୍ଥା ମଧ୍ୟ ନିର୍ଦ୍ଦିଷ୍ଟ ଭାବେ କହିପାରୁ ନାହାଁନ୍ତି। ବିଜୁଳି ବନ୍ଧ ସୌନ୍ଦର୍ଯ୍ୟକରଣ କାମ ତ ଗତ ୪ ବର୍ଷ ହେଲା କେବଳ ଖୋଳାପୋତାରେ ଚାଲିଛି। ଏବେ ବି ମାଟି ପୋତା ସରି ନାହିଁ।
ଅନ୍ୟପଟେ ସହରବାସୀଙ୍କ ଅବସର ବିନୋଦନ ପାଇଁ ବହୁ ବର୍ଷ ତଳେ ସହର ମୁଣ୍ଡରେ ନିର୍ମିତ ପାରିଜାତ ଓ ମହେଶଡିହିର ଥିମ୍ ପାର୍କ ରକ୍ଷଣାବେକ୍ଷଣ ଓ ନବୀକରଣ ଅଭାବରୁ ପୂରା ଉଜୁଡ଼ି ଯାଇଛି। ସହରର ପ୍ରାଣ କେନ୍ଦ୍ରରେ ଥିବା ଏସବୁ ସ୍ଥାନର ଦୁରାବସ୍ଥା ପାଇଁ ସୁନ୍ଦରଗଡ଼ ଏକ ପ୍ରକାର ଶ୍ରୀହୀନ ହୋଇପଡ଼ିଛି। ପ୍ରାୟ ୨୨ ଏକରରୁ ଉର୍ଦ୍ଧ୍ବ ପରିମିତ ଏହି ବିଜୁଳି ବନ୍ଧର ବିକାଶ ବା ସୌନ୍ଦର୍ଯ୍ୟକରଣ ପାଇଁ ୨୦୧୭ରେ ତତ୍କାଳୀନ ଜିଲ୍ଲାପାଳ ନୀତିନ ଭରଦ୍ବାଜଙ୍କ ସମୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ବ୍ୟୟ ଅଟକଳ ହୋଇଥିଲା। ପ୍ରାୟ ୨ କୋଟି ବ୍ୟୟରେ ବନ୍ଧର ପୁନରୁଦ୍ଧାର, କୃତ୍ରିମ ଜଳ ପ୍ରସବଣ (ଫାଉଣ୍ଟେନ୍) ଓ ନୌକାବିହାର ବ୍ୟବସ୍ଥା କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଶ୍ରୀ ଭରଦ୍ବାଜଙ୍କ ବଦଳି ପରେ ଆସିଥିଲେ ସୁରେନ୍ଦ୍ର କୁମାର ମୀନା। ସେତେବେଳେ ବନ୍ଧର ପୁନରୁଦ୍ଧାର ନାମରେ ମାଟିଖୋଳାରେ ଶେଷ ହୋଇଥିଲା ଡିଏମଏଫର ୧.୦୭ କୋଟି ଟଙ୍କା। ତା’ ପରେ କାମ ଆଗେଇ ପାରି ନଥିଲା। ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଯୋଗ ଦେବା ପରେ ବିଜୁଳି ବନ୍ଧ ସୌନ୍ଦର୍ଯ୍ୟକରଣ କଥା ପୁଣି ଉଠିଲା। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବ୍ୟୟ ଅଟକଳ ହେଲା ୨୫.୯୦ କୋଟି। ଏଥିରେ ସଂଗୀତଯୁକ୍ତ ଜଳଫୁଆରା( ମ୍ୟୁଜିକାଲ ଫାଉଣ୍ଟେନ), ସାଇକଲ ଚାଳନା ପଥ, ସକାଳ-ସାନ୍ଧ୍ୟ ଭ୍ରମଣ ପଥ, ଶିଶୁ କ୍ରୀଡ଼ା ଉଦ୍ୟାନ, ଖୋଲା ବ୍ୟାୟାମଶାଳା, ମୁକ୍ତାକାଶ ନାଟ୍ୟଶାଳା ନିର୍ମାଣ କରାଯିବାକୁ ଏକ ସୁନ୍ଦର ରୂପକଳ୍ପ ପ୍ରସ୍ତୁତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ଭୌଗୋଳିକ ମାନଚିତ୍ର ଢାଞ୍ଚାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ସହରବାସୀଙ୍କ ଜୀବନଶୈଳୀ ପାଇଁ ସହାୟକ ହେବା ସହ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଏକ ଆକର୍ଷଣୀୟ ସ୍ଥାନ ନେବ ବୋଲି ସ୍ବପ୍ନ ଦେଖାଇଥିଲା ପ୍ରଶାସନ। ପୂର୍ବରୁ ୧.୦୭ କୋଟିର ମାଟି ଖୋଳା ଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବନ୍ଧର ଚାରିକଡ଼ର ୨୦ ପ୍ରତିଶତ ଅଂଶକୁ ପୋତାବାକୁ ୨.୬୨ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି।
ଏହା ପରେ ବ୍ୟୟ ଅଟକଳ ୩୨ କୋଟିକୁ ବୃଦ୍ଧି କରାଯାଇଛି। ଏହା ସତ୍ତ୍ବେ କାମ ମାଟି ପୋତାରୁ ପାଦେ ବି ଆଗେଇ ପାରି ନାହିଁ। ସେହିପରି ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ‘ଯତରା’ ସମେତ ଅନ୍ୟ ମେଳା, ଉତ୍ସବ ଓ ସହରର ଖେଳାଳିଙ୍କ କ୍ରୀଡ଼ା ଅଭ୍ୟାସ ପାଇଁ ଥିବା ଏକ ମାତ୍ର ଖେଳିପଡ଼ିଆକୁ ଭାଙ୍ଗି ପ୍ରସ୍ତୁତ କରାଯାଉଛି ବିବିଧ କ୍ରୀଡ଼ା ଭିତ୍ତିଭୂମି। ଜିଲ୍ଲା କ୍ରୀଡ଼ା ସଂସଦ ଷ୍ଟାଡ଼ିୟମ ସହ ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ କରାଯାଇଛି ୨୮ କୋଟି। କିନ୍ତୁ ଗତ ଦୁଇ ବର୍ଷ ହେଲା ଭବାନୀଭବନ ପଡ଼ିଆରେ କେବଳ ଲୁହା ଜାଲି, କିଛି କୋଠା କାମ ସହ ପଡ଼ିଆ ପ୍ରସ୍ତୁତି ଚାଲିଛି ଯେ ସରିବାର ନା ନେଉ ନାଛହିଁ। ଅନ୍ୟପଟେ ଷ୍ଟାଡ଼ିୟମରେ କିଛି ଅଂଶରେ କେବଳ ଲୁହାଜାଲିର ବ୍ୟାରିକେଡ୍ ଓ ପଡ଼ିଆ କାମ ମାସ ମାସ ଧରି ଶେଷ ହେଉ ନାହିଁ। ଏସ୍ଥିତିରେ ଭବାନୀଭବନ ପଡ଼ିଆ ଓ ଷ୍ଟାଡ଼ିୟମରେ ୨ ବର୍ଷ ହେଲା ବିଭିନ୍ନ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଓ କ୍ରୀଡ଼ା ଅଭ୍ୟାସ ସହ ଅନ୍ୟ କାର୍ଯ୍ୟକ୍ରମ ବନ୍ଦ ରହିଛି। ଏପରିକି ଗତ ବର୍ଷର ସାହାଣୀକପ୍ ଫୁଟବଲ ଓ ଜିଲ୍ଲାସ୍ତରୀୟ ଅନ୍ତଃବ୍ଲକ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ ଖେଳ ପାଇଁ ଅନ୍ୟ ପଞ୍ଚାୟତର ମିନି ଷ୍ଟାଡ଼ିୟମର ସାହାଯ୍ୟ ନେବାକୁ ପଡ଼ିଥିଲା। ଏହା ଛଡ଼ା ବିଭିନ୍ନ ବର୍ଗର ଫୁଟବଲ, କ୍ରିକେଟ ଓ ଅନ୍ୟ ଖେଳର ଚୟନ ଓ ଖେଳ ଅଭ୍ୟାସ ମଧ୍ୟ ଷ୍ଟାଡ଼ିୟମରେ ବନ୍ଦ ଥିବାରୁ ଜିଲ୍ଲା କ୍ରୀଡ଼ା ସଂସଦ ଅଡ଼ୁଆରେ। ସେପଟେ ଖେଳାଳି ଓ ମେଳା ଆୟୋଜକ ଏବେ ବାରଦୁଆର ହେଉଛନ୍ତି। ଠିକା ସଂସ୍ଥା ନିଜ ମନମର୍ଜିରେ କାମ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ରହସ୍ୟମୟ ଭାବେ ନିରବ ରହୁଛି। ସହରର ହୃତ ସୌନ୍ଦର୍ଯ୍ୟ ଫେରାଇବାକୁ ତୁରନ୍ତ ଏସବୁ ପ୍ରକଳ୍ପ ନିର୍ମାଣକୁ ତ୍ବରାନ୍ବିତ କରିବା ଓ ଦୁଇ ପାର୍କର ପୁନରୁଦ୍ଧାର ବା ନବୀକରଣ କରିବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/88fa20bd-51f1-4ef6-99e6-88e953bd1ba5.jpg)