ବୌଦ୍ଧ: ରବିବାର ବୌଦ୍ଧ ଥାନା ଅନ୍ତର୍ଗତ ସ୍ଥାନୀୟ ବ୍ରିଜ୍ ଛକରୁ ମୁର୍ଷୁଣ୍ଡି-ବଘିଆପଡା ରାସ୍ତାରେ ଏକ ମାରୁତି ଡିଜାୟର୍ (ଓଡି୨୭ବି-୪୬୫୦)ରୁ ତିନୋଟି ଜରି ବ୍ୟାଗରେ ଭର୍ତ୍ତି ଥିବା ୬୦କିଲୋ ୩୫୦ ଗ୍ରାମ୍ ଚୋରା ଗଂଜେଇ ଜବତ କରିଛି ବୌଦ୍ଧ ପୁଲିସ୍। ଏହି ଘଟଣାରେ କେହି ଗିରଫ ହୋଇ ନାହିଁ।
ତେବେ ଜବତ ହୋଇଥିବା କାର୍ଟି କଣ୍ଟାମାଲ ସମବାୟ ବ୍ୟାଙ୍କ ଶାଖା ମ୍ୟାନେଜର୍ ସୁନିଲ ସାହୁଙ୍କର ବୋଲି ଥାନା ଅଧିକାରୀ ତପସ୍ୱିନୀ କହଁର କହିଛନ୍ତି। ଥାନାରେ ଏନେଇ ଏକ ଏନ୍ଡିପିଏସ୍ ମାମଲା କେସ ନମ୍ବର ୨୯୫/୨୦ ରୁଜୁ ହୋଇଛି। ଏହି ମାମଲାରେ କେହି ଗିରଫ ହୋଇ ନାହିଁ।
ସୂଚନା ଅନୁସାରେ ରବିବାର ଫୁଲବାଣୀ ଅଞ୍ଚଳରୁ ରେଢାଖୋଲକୁ ଏକ ଘରୋଇ କାର୍ରେ ଗଂଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ପୁଲିସ୍କୁ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା। ଏସ୍ଆଇ ପୁରୁଷୋତ୍ତମ ସ୍ୱାଇଁ ସହଯୋଗୀ ଟିମ୍ ସହ ରାତି ପ୍ରାୟ ୮ଟାରେ ମୁର୍ଷୁଣ୍ଡି-ବଘିଆପଡା ରାସ୍ତାରେ ଚଢାଉ କରିଥିଲେ। ତେବେ ପୁଲିସ୍ ଆସୁଥିବା ଦେଖି ଚାଳକ ଜଣକ କାର୍ ଛାଡି ଫେରାର୍ ହୋଇଯାଇଥିଲା। ପୁଲିସ୍ ପକ୍ଷରୁ ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ଜବତ କା ଯାଂଚ କରାଯାଇ ଗଂଜେଇ ଜବତ ହୋଇଥିବା କୁହାଯାଇଛି।