ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ଏକାଉଣ୍ଟ୍ରୁ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ହଡ଼ପ ଘଟଣା ପରେ ଅନୁଗୁଳ ଏଚ୍ଡିଏଫ୍ସି ବ୍ୟାଙ୍କ୍ର ଚାରି ଜଣ ଅଧିକାରୀ ବିଦା ହୋଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ, ବ୍ୟାଙ୍କ୍ କର୍ତୃପକ୍ଷ ଓ ଟଙ୍କା ହଡ଼ପ ଘଟଣାର ତଦନ୍ତ ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଏ ସମ୍ପର୍କରେ ମୁହଁ ଖୋଲିବାକୁ ସିଧାସଳଖ ମନା କରିବାରୁ ସନ୍ଦେହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସୂତ୍ର ମୁତାବକ, ବିଦା ହୋଇଥିବା ସମ୍ପୃକ୍ତ ଅଧିକାରୀମାନେ ଏହି ଟଙ୍କା ଦେଣନେଣ ପ୍ରକ୍ରିୟାରେ ସମ୍ପୃକ୍ତ ଥିଲେ। ସେ ସମୟରେ ବ୍ୟାଙ୍କ୍ର କ୍ୟାସିୟର ଭାବେ ଦାୟିତ୍ବ ତୁଲାଉଥିଲେ। ପୁଲିସ କୁଆଡ଼େ ସେମାନଙ୍କୁ ସାକ୍ଷୀ କରି ତତ୍କାଳୀନ ବ୍ୟାଙ୍କ୍ ମ୍ୟାନେଜର ଶକ୍ତିବେଦାନ୍ତ ଦାସଙ୍କ ମୁଣ୍ଡରେ ସବୁ ଦୋଷ ଲଦିଥିଲା। ଏତେ ଟଙ୍କା ହଡ଼ପ ମାମଲାରେ ଶକ୍ତିବେଦାନ୍ତଙ୍କୁ ଗିରଫ କରିଥିଲା। କିନ୍ତୁ, ଯେଉଁମାନଙ୍କୁ ପୁଲିସ ସାକ୍ଷୀ କରାଇଥିଲା, ସେମାନଙ୍କୁ ପରବର୍ତ୍ତୀ ସମୟରେ ବ୍ୟାଙ୍କ୍ରୁ ବିଦା କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବାସ୍ତବରେ ଘଟଣାର କେଇଟା ଦିନ ପରେ ମାମଲାର ସାକ୍ଷୀ ହୋଇଥିବା ଏହି କର୍ମଚାରୀମାନେ କାହିଁକି ବିଦା ହେଲେ? ମାମଲାରେ ଏମାନଙ୍କର ସମ୍ପୃକ୍ତି ନାହିଁ ତ? ସେନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଲାଣି।
/sambad/media/post_attachments/wp-content/uploads/2020/01/job-fraud-1.jpg)
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ରାଜପଥ-୬୩ ବାବଦକୁ ଆସିଥିବା ୫୦ଲକ୍ଷ ଟଙ୍କା ୮ଜୁଲାଇ, ୨୦୧୩ରେ ଅନୁଗୁଳ ଜିଲ୍ଲାପାଳଙ୍କ ନାମରେ ଏଚ୍ଡିଏଫ୍ସି ବ୍ୟାଙ୍କ, ଅନୁଗୁଳ ଶାଖାରେ ଜମା କରାଯାଇଥିଲା। ସୁଧ ବାବଦକୁ ବ୍ୟାଙ୍କ୍ରୁ ଅତିରିକ୍ତ ଟଙ୍କା ମିଶାଇ ମୋଟ୍ ଜମା ପରିମାଣ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ହୋଇଥିଲା। ଗତ ୭ଡିସେମ୍ବର ୨୦୧୭ରୁ ୩ ମେ ୨୦୧୮ମଧ୍ୟରେ ୮ଟି ଚେକ୍ ଜରିଆରେ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତରେ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ଉଠାଇ ନିଆଯାଇଥିବା ଜିଲ୍ଲା ପ୍ରଶାସନ ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ଟଙ୍କା ଉଠାଇ ନେବାର କିଛି ଦିନ ପରେ ତତ୍କାଳୀନ ଶାଖା ପରିଚାଳକ ଶକ୍ତିବେଦାନ୍ତ ଚାକିରି ଛାଡ଼ିଥିବା କୁହାଯାଇଥିଲା। ଅନୁଗୁଳ ଥାନା ପୁଲିସ ବ୍ୟାଙ୍କ୍ କର୍ମଚାରୀଙ୍କ ବୟାନ ଆଧାରରେ ଶକ୍ତିବେଦାନ୍ତଙ୍କୁ ଗିରଫ କରିଥିଲା। କିନ୍ତୁ, ଘଟଣା ପରେ ପରେ ବୟାନ ଦେଇଥିବା ଚାରି ଜଣ ବ୍ୟାଙ୍କ୍ କର୍ମଚାରୀ ଏବେ ଚାକିରିରୁ ବିଦା ହୋଇଥିବା କୁହାଯାଉଛି। ଏହି କର୍ମଚାରୀମାନେ କାହିଁକି ବିଦା ହେଲେ? ସେମାନଙ୍କୁ ତଡ଼ି ଦିଆଗଲା ନା ନିଜେ ନିଜେ ଚାକିରି ଛାଡ଼ି ଚାଲିଗଲେ? ଚାକିରିରୁ ବିଦା ହେବା ପଛର କାରଣ ମାମଲାରେ ସେମାନଙ୍କର ସମ୍ପୃକ୍ତି ନୁହେଁ ତ? ଯଦି ଏହି କର୍ମଚାରୀଙ୍କର ସମ୍ପୃକ୍ତି ରହିଛି ତେବେ ପୁଲିସ ଗିରଫ କରୁନାହିଁ କାହିଁକି? ସାକ୍ଷୀମାନଙ୍କୁ ବାନ୍ଧିଲେ ନିଜେ ଅଡ଼ୁଆରେ ପଡ଼ିବା ଭୟରେ ପୁଲିସ ସେମାନଙ୍କୁ ଛାଡ଼ କରି ନାହିଁ ତ? ସେନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ କର୍ମଚାରୀ ବିଦା ହେବା ସମ୍ପର୍କରେ ବ୍ୟାଙ୍କ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରୁନାହିଁ। ପୁଲିସ ମଧ୍ୟ ମୁହଁ ଖୋଲୁନାହିଁ। ଏ ସମ୍ପର୍କରେ ଅନୁଗୁଳ ଥାନା ଅଧିକାରୀ ରମେଶ ବିଶୋଇ କହିଛନ୍ତି, ମାମଲାର ଚାର୍ଜସିଟ୍ ଏଯାବତ୍ ଦାଖଲ ହୋଇନାହିଁ। ତଦନ୍ତ ଚାଲିଛି। କର୍ମଚାରୀମାନଙ୍କୁ ବ୍ୟାଙ୍କ୍ରୁ ବିଦା କରାଗଲା କି ସେମାନେ ଚାକିରି ଛାଡ଼ି ଚାଲିଗଲେ ସେ ସମ୍ପର୍କରେ ମଧ୍ୟ ଆମେ ଜାଣି ନାହୁଁ। ଘଟଣାର ତଦନ୍ତ ଯେହେତୁ ଚାଲିଛି ସେଥିପାଇଁ ଆମେ ଅଧିକ କିଛି କହି ପାରିବୁ ନାହିଁ ବୋଲି ଶ୍ରୀ ବିଶୋଇ କହିଛନ୍ତି।