କୋର୍ଟ କୋଠା ଉଦ୍‌ଘାଟନକୁ ବିଧାୟକଙ୍କୁ ଡକାଯାଉ

ବିଧାନସଭାରେ ଉଭୟ ବିରୋଧୀ, ଶାସକ ଦାବି ଉଠାଇଲେ

ଭୁବନେଶ୍ବର: ବିଭିନ୍ନ ସ୍ଥାନରେ କୋର୍ଟ କୋଠା ଉଦ୍‌ଘାଟନ ହେଲା ବେଳେ ବିଧାୟକଙ୍କୁ ଡକାଯାଉ ନ ଥିବାରୁ ଆଜି ବିଧାନସଭା ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଉଭୟ ବିରୋଧୀ ଓ ଶାସକ ଦଳର ସ୍ବର ସମାନ ଥିଲା। ଉଦ୍‌ଘାଟନ କାର୍ଯ୍ୟକୁ ହାଇକୋର୍ଟ ସିଧାସଳଖ ବୁଝୁଛନ୍ତି ବୋଲି ଆଇନ ମନ୍ତ୍ରୀ କହିଥିଲେ ବି ବିଧାୟକମାନେ ଛାଡ଼ି ନ ଥିଲେ। ହାଇକୋର୍ଟଙ୍କ ସହ ଆଲୋଚନା କରି ବିଧାୟକଙ୍କୁ ଡାକିବା ନେଇ ନୀତିଗତ ନିଷ୍ପତ୍ତି ନେବାକୁ ସେମାନେ ଦାବି କରିଥିଲେ।

ରାଜ୍ୟରେ ପ୍ରତିଷ୍ଠା ହେବ ୬୦ ଜେଏମ୍‌ଏଫ୍‌ସି କୋର୍ଟ

ଆଜି ପ୍ରଶ୍ନକାଳରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ପଟ୍ଟାମୁଣ୍ଡାଇରେ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ନେଇ ମୂଳ ପ୍ରଶ୍ନ କରିଥିଲେ। ସେଠାରୁ ଆଲୋଚନା ଆରମ୍ଭ ହୋଇ କୋର୍ଟ କୋଠା ଉଦ୍‌ଘାଟନ ପ୍ରସଙ୍ଗ ଉଠିଥିଲା। ଶାସକ ଦଳ ସଭ୍ୟ ପ୍ରଭୁ ଜାନି ପ୍ରଥମେ ପଚାରିଥିଲେ, ଅଦାଲତ କୋଠା ଉଦ୍‌ଘାଟନ ଫଳକରେ ବିଧାୟକଙ୍କ ନାମ ରହିବ କି ନାହିଁ ? ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ହାଇକୋର୍ଟଙ୍କ ତଦାରଖରେ ଉଦ୍‌ଘାଟନ କାର୍ଯ୍ୟ କରାଯାଇଥାଏ। ତେଣୁ କାହାକୁ ଡକାଯିବ ଓ କାହା ନାମ ଫଳକରେ ରହିବ, ତାହା ହାଇକୋର୍ଟ ନିଷ୍ପତ୍ତି ନିଅନ୍ତି। ଶାସକ ଦଳର ବରିଷ୍ଠ ସଭ୍ୟ ପ୍ରଦୀପ ଅମାତ କହିଲେ, ପୂର୍ବରୁ କୋର୍ଟ କୋଠା ଉଦ୍‌ଘାଟନରେ ବିଧାୟକଙ୍କୁ ଡକାଯାଉଥିଲା। ନରସିଂହ ମିଶ୍ର ଆଇନ୍‌ ମନ୍ତ୍ରୀ ଥିଲା ବେଳେ ଏହି ବ୍ୟବସ୍ଥା ଥିଲା। ବିକ୍ରମ ଆରୁଖ ଆଇନ୍ ମନ୍ତ୍ରୀ ଥିଲା ବେଳେ ମଧ୍ୟ ବିଧାୟକଙ୍କୁ ଡକାଯାଇଥିବାର ନଜିର ରହିଛି। ତେଣୁ ହାଇକୋର୍ଟଙ୍କ ସହ ଆଲୋଚନା କରି ଏ ନେଇ ନୀତିଗତ ନିଷ୍ପତ୍ତି ନେବାକୁ ସେ କହିଥିଲେ। ଅନ୍ୟ ବିଧାୟକମାନେ ଏହାକୁ ସମର୍ଥନ କରିଥିଲେ। ମନ୍ତ୍ରୀ କହିଥିଲେ, ଗୃହର ଉଦ୍‌ବେଗ ସମ୍ପର୍କରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରାଯିବ।

ଧ୍ରୁବ ସାହୁଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇରେ ଏକ ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍ କୋର୍ଟ ପ୍ରତିଷ୍ଠା ପାଇଁ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉକ୍ତ କୋର୍ଟ ପାଇଁ ଆବଶ୍ୟକ ପଦପଦବି ସୃଷ୍ଟି କରିବା ପରେ ସରକାର ଏହି କୋର୍ଟ ପ୍ରତିଷ୍ଠା କରିବାକୁ ବିହିତ ପଦକ୍ଷେପ ‌ଗ୍ରହଣ କରିବେ। ଏହା ବାଦ୍ ରାଜନଗରରେ ଏକ ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ କରାଯାଇଛି ଓ ଏହି କୋର୍ଟଟିକୁ ସରକାର ଜେଏମ୍‌ଏଫ୍‌ସି କ୍ଷମତା ପ୍ରଦାନ ପ୍ରଦାନ କରିଛନ୍ତି। ସୁକାନ୍ତ ନାୟକ, ଅନନ୍ତ ଦାସ, ପ୍ରଭୁ ଜାନି, ସନ୍ତୋଷ ସିଂହ ସାଲୁଜା ଓ ପ୍ରଦୀପ ଅମାତ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ୬୦ଟି ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ପ୍ରକ୍ରିୟା ଆରମ୍ଭ ହେଲାଣି। ବିଭିନ୍ନ ଅଦାଲତର କୋଠା ନିର୍ମାଣ ପାଇଁ ଗୃହ ବିଭାଗ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର