ଗୋଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ୬୦ ନମ୍ବର ଜାତୀୟ ରାଜପଥ

ଜଳେଶ୍ବର: ସରକାରୀ ନୀତିନିୟମ ଉଲ୍ଲଂଘନ କରି ୬୦ ନମ୍ବର ଜାତୀୟ ରାଜପଥରେ ଓଡ଼ିଶାରୁ ପଶ୍ଚିମବଙ୍ଗ ପ୍ରତିଦିନ ଶହ ଶହ ସଂଖ୍ୟାରେ ଗୋ-ଚାଲାଣ ହେଉଛି। ଏହି ଗୋ-ଚାଲାଣ ପାଇଁ ମାଫିଆ, ପ୍ରଶାସନିକ ଅଧିକାରୀ ଓ ନିର୍ଦ୍ଦିଷ୍ଟ କିଛି ରାଜନେତାଙ୍କ ମଧ୍ୟରେ ଅସାଧୁ ମଧୁଚନ୍ଦ୍ରିକା ମୁଖ୍ୟ କାରଣ ବୋଲି କୁହାଯାଇଛି। ବର୍ଷ ବର୍ଷ ଧରି ସମସ୍ତଙ୍କ ଆଖି ସାମ୍ନାରେ ଏହି ଅବାଧ ଗୋ-ଚାଲାଣ ଚାଲିଥିଲେ ବି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭଦ୍ରକ, ବାରିକପୁର, ସୋର ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ମାଫିଆଙ୍କ ଜରିଆରେ ଗୋ-ସମ୍ପଦ ଅତି ନିର୍ଦ୍ଦୟ ଭାବେ କୋଲକାତା ଚାଲାଣ ହେଉଛି। ଚାଲାଣ ସମୟରେ ଟ୍ରକ, କଣ୍ଟେନର ନହେଲେ ପିକଅପ ବ୍ୟବହାର ହେଉଛି। ଏପରିକି ଗତ କିଛିମାସ ହେଲା ଗୋଠ ଗୋଠ ଗୋରୁ ରାତି ୧୦ଟା ପରେ ପାଦରେ ଚଲାଇ ଚଲାଇ ମଧ୍ୟ ନିଆ ଯାଉଛି। ପଶ୍ଚିମବଙ୍ଗ ସୀମାକୁ ପ୍ରବେଶ କରିବା ପରେ ସେଠାରୁ ସେମାନଙ୍କୁ ଟ୍ରକରେ ଲୋଡ କରି କୋଲକାତା ନିଆ ଯାଉଛି। ଗାଡ଼ିରେ ଗୋରୁଙ୍କୁ ନେବା ବେଳେ ଖୁନ୍ଦାଖୁନ୍ଦି କରି ଓ ଦଉଡ଼ି ସାହାଯ୍ୟରେ ଅତି ନିର୍ଦ୍ଦୟ ଭାବେ ବାନ୍ଧି ନିଆଯାଉଛି। ଏପରିକି ରାସ୍ତାରେ ଖାଇବା ଓ ପିଇବା ଦିଆ ଯାଉ ନଥିବାରୁ କିଛି କିଛି ଗୋରୁଙ୍କର ମୃତ୍ୟୁ ମଧ୍ୟ ହୋଇଯାଉଛି। ଏହି କାରବାର ପଛରେ ବହୁ ପ୍ରଭାବଶାଳୀଙ୍କ ହାତ ରହିଥିବା ବେଳେ ଗୋ-ଚାଲାଣ କରୁଥିବା ଗାଡ଼ି ଗୁଡ଼ିକୁ ଭଦ୍ରକରୁ ସୀମାନ୍ତ ଲକ୍ଷ୍ମଣନାଥ ଯାଏ ମାଫିଆଙ୍କ ପୋଷା ଗୁଣ୍ଡାମାନେ ସୁରକ୍ଷା ଦେଉଛନ୍ତି।

ରାସ୍ତାରେ ଯଦି ଗୋରୁ ଗାଡ଼ି କିଏ ଅଟକାଇଲା କିମ୍ବା ଗାଡ଼ି ଦୁର୍ଘଟଣାର ଶିକାର ହେଲା ତେବେ ମାତ୍ର କେଇ ମିନିଟ ମଧ୍ୟରେ ଘଟଣାସ୍ଥଳରେ ଏହି ମାଫିଆମାନେ ମାରଣାସ୍ତ୍ର ସହ ହାଜର ହୋଇ ଯାଉଛନ୍ତି। ୬୦ ନମ୍ବର ଜାତୀୟ ରାଜପଥର ରାସ୍ତା ପାର୍ଶ୍ବରେ ଥିବା ସମସ୍ତ ଥାନା ଅଞ୍ଚଳରେ ଗୋ-ଚାଲାଣକୁ ସୁଗମ କରିବା ପାଇଁ ଏକାଧିକ ଲୋକଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏଥିପାଇଁ ମାଫିଆ, ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ନିକଟରେ ମାସକୁ ମାସ ଚାନ୍ଦା ମଧ୍ୟ ପହଞ୍ଚି ଯାଉଛି। କୁହାଯାଉଛି ସୀମାନ୍ତ ଲକ୍ଷ୍ମଣନାଥରେ ଏଥିପାଇଁ ଏକ ଅଫିସ ମଧ୍ୟ କାମ କରୁଛି। ଓଡ଼ିଶାର କେଉଁ ସ୍ଥାନରୁ କେଉଁ ଗାଡ଼ି ବାହାରିଲା ପଶ୍ଚିମବଙ୍ଗ ସୀମାକୁ କେତେବେଳେ ପ୍ରବେଶ କରିବ, କୋଲକାତାରେ କେତେବେଳେ ପହଞ୍ଚିବ ଓ ବାଟରେ କେଉଁଠି କିଛି ଅସୁବିଧା ହେଲା କି ସେ ସମସ୍ତ ଖବର ରହୁଛି ଏହି ଅଫିସ ପାଖରେ। ଅଫିସ ପାଇଁ ବ୍ୟବହାର ହେଉଥିବା  ମୋବାଇଲ ଓ ଫୋନ ଡାଏରିରେ ବହୁ ପ୍ରଭାବଶାଳୀ ନେତା, ସରକାରୀ ପଦାଧିକାରୀ ଓ ବହୁ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କ ନମ୍ବର ରହିଛି।

ସପ୍ତାହର ଦୁଇ ତିନିଦିନ ବାଦ୍ ଦେଲେ ଅନ୍ୟ ଦିନରେ ସହସ୍ରାଧିକ ଗୋରୁ ଚାଲାଣ ହେଉଛି। ପୁଣି କୋଲକାତାରୁ ମଧ୍ୟ ସେହି ମାଫିଆମାନଙ୍କ ସହାୟତାରେ ମାଂସ ଗାଡ଼ି ୬୦ ନମ୍ବର ଜାତୀୟ ରାଜପଥ ଦେଇ ଚେନ୍ନାଇ ଅଭିମୁଖେ ଯାଉଛି। ଏଭଳି ଗୋ-ଚାଲାଣ ଯୋଗୁ ଆମ ରାଜ୍ୟରୁ ଯେ ଦିନେ ଗୋ-ସମ୍ପଦ ବିଲୁପ୍ତ ହୋଇଯିବ ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର