ଭୁବନେଶ୍ୱର: ‘ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ଭାରତକୁ ଶୋଷଣ, ଦୁର୍ନୀତି ଓ ବୈଷମ୍ୟମୁକ୍ତ ସମାଜ ଗଠନ କରିବାକୁ ସଂକଳ୍ପ ନେଇଥିଲେ। ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ସେ ଉଦ୍ୟମ କରିଥିଲେ। ଯୁବକମାନେ ସମ୍ଭାବନାର ଶକ୍ତି। ଆଜିର ଯୁବପିଢ଼ି ମଦ, ମାଂସ ଓ ପ୍ରଲୋଭନରେ ଭାସି ନଯାଇ ରାଜୀବ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ।’ ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍‌, ‘ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ୍‌ ଓ ୟାଦି’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ୮୧ତମ ଜୟନ୍ତୀ ଓ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଏଭଳି କହିଛନ୍ତି।

Advertisment

ଜୟଦେବଭବନରେ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥାଇ ବି ରାଜସ୍ୱର ୧ ଟଙ୍କାରୁ ୮୦ ପଇସା ବାଟମାରଣା ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି କହି ନିଜ ସରକାରଙ୍କୁ ବି ସମାଲୋଚନା କରିବାକୁ ପଛାଇ ନଥିଲେ। ମୁଖ୍ୟବକ୍ତା ପ୍ରଫେସର କୁମରବର ଦାସ ରାଜୀବ ଗାନ୍ଧୀଙ୍କ ସମୟରେ ଭାରତର ଉନ୍ନତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଭୋଟଦାନ ଅଧିକାରରେ ରାଜୀବ ଗାନ୍ଧୀଙ୍କ ଭୂମିକା ସମ୍ପର୍କରେ କହିଥିଲେ। ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଭାରତୀୟ ବାୟୁସେନାର ପ୍ରାକ୍ତନ ଏୟାର୍‌ ଭାଇସ୍ ମାର୍ଶାଲ୍‌ ମହାରାଜା ମହନ୍ତ, ‘ପର୍ଯ୍ୟବେକ୍ଷକ’ ଖବରକାଗଜର ମୁଖ୍ୟ ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ଓଡ଼ିଶା ପ୍ରଭାରୀ କରନ୍ ତାମ୍‌ସେତ୍‌ୱାର୍‌ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଫୋରମ୍‌ର ଉତ୍ତର ଓଡ଼ିଶା ସଂଯୋଜକ ଦେବେନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟର ଅଧ୍ୟାପକ ଓ ଶିକ୍ଷକ ଏନ୍‌ସିସି(ଏଏନ୍‌ଓ),ଏନ୍‌ଏସ୍‌ଏସ୍ ପ୍ରୋଗାମ୍‌ ଅଫିସର୍‌, ଯୁବ ରେଡ୍‌କ୍ରସ୍‌ର କାଉନ୍‌ସିଲର୍‌, ସ୍କାଉଟ୍ ଗାଇଡ୍‌ ରେଞ୍ଜର୍‌, ରୋଭର୍‌ ଶିକ୍ଷକ, ସମାଜସେବୀଙ୍କ ସମେତ ୬୦ଜଣଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଂଗଠନର ସଂଯୋଜକ ପ୍ରିୟବ୍ରତ ନାୟକ, ଅନୀଲ ଛୁଆଳସିଂହ, ଦେବେନ୍ଦ୍ର ଦାସ, ବିନୋଦ ରାଉତ, ଶିବ ପ୍ରସାଦ ଦାସ ଓ ସତ୍ୟବ୍ରତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଗଠନର ସମ୍ପାଦକ ସାଗର ରଞ୍ଜନ ପରିଡ଼ା ଧନ୍ୟବାଦ ଦେଇଥିଲେ।