କାଏଁଶିର ଆଶ୍ରମ ସ୍କୁଲ୍‌ରେ ଝାଡ଼ାବାନ୍ତି: ୬୦ଛାତ୍ରୀ ଆକ୍ରାନ୍ତ

ବରପାଲି: ବରପାଲି ବ୍ଲକ୍‌ ଅନ୍ତର୍ଗତ କାଏଁଶିର ଆଶ୍ରମ ସ୍କୁଲ୍‌ର ୬୦ରୁ ଅଧିକ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କୌଣସି କାରଣରୁ ମଂଗଳବାର ସକାଳ ପ୍ରାୟ ୮ଟାରୁ ଛାତ୍ରୀଙ୍କୁ ପେଟ ମୋଡ଼ିବା ସହ ଝାଡ଼ା ହୋଇଥିଲା। ପରେ ସ୍ଥିତି ଅସମ୍ଭାଳ ହେବାରୁ ଅସୁସ୍ଥ ଛାତ୍ରୀମାନଙ୍କୁ ବରପାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରଧାନ ଶିକ୍ଷକ ପ୍ରଦୀପ ନାଗ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନେଇ ଆସିଥିଲେ। ୩୫ ଜଣଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଔଷଧ ଦେଇ ଛାଡ଼ି ଦିଆଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ନାଗଙ୍କ କହିବା ଅନୁସାରେ, ସୋମବାର ଜାତୀୟ କୃମିନାଶକ ଦିବସରେ ସମସ୍ତ ଛାତ୍ରୀଙ୍କୁ ବଟିକା ଦିଆଯାଇଥିଲା। ରାତିରେ ଭାତ,ଡାଲି ଓ ଖଟା ଖାଇ ସମସ୍ତେ ଶୋଇଥିଲେ। ମଂଗଳବାର ସକାଳୁ ସୁଜି ହାଲୁଆ ଦିଆଯାଇଥିଲା। କିନ୍ତୁ ଛାତ୍ରୀମାନଙ୍କ କହିବା ହେଲା, ସକାଳ ୮ରୁ ୯ଟା ସମୟରୁ ପେଟ କାଟିବା ଆରମ୍ଭ ହୋଇଥିଲା। ପରେ ସକାଳ ୧୦ଟାରେ ସେମାନେ ଭାତ ଖାଇଥିଲେ। ଖାଦ୍ୟରେ ବିଷକ୍ରିୟା କିମ୍ବା ଦୂଷିତ ପିଇବା ପାଣି ଯୋଗୁଁ ଏହା ଘଟିଥିବା ଶିଶୁ ବିଶେଷଜ୍ଞ ଡା. ନିମେଇ ଚରଣ ସାହୁ ଅନୁମାନ କରିଛନ୍ତି। ଆଶ୍ରମର ଖାଦ୍ୟ ଓ ପାଣିର ନମୁନା ପରୀକ୍ଷା ପାଇଁ ବରଗଡ଼କୁ ପଠାଯାଇଛି । ବିଡିଓ ତ୍ରିବିକ୍ରମ କୁମଡା ଓ ବ୍ଲକ୍‌ ଅଧ୍ୟକ୍ଷ କିଶୋର ଦଫାଦାର ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସି ଅସୁସ୍ଥ ଛାତ୍ରୀଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝି‌ଥିଲେ।

ସମ୍ବନ୍ଧିତ ଖବର