ଗତ ୬ବର୍ଷ ମଧ୍ୟରେ ଓଡ଼ିଶାର ଚାଷୀଙ୍କୁ ମୋଦୀ ସରକାର ଦେଇଥିବା ସହାୟତା ନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ବର: ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଅମଳରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ କରାଯାଇଛି। ବିଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ, ଫସଲ ବୀମା ଜରିଆରେ ମୋଟ ୬୦, ୮୩୬.୯୭ କୋଟି ଟଙ୍କା ଦିଆଯାଇଛି ବୋଲି ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଚାଷୀଙ୍କୁ ସଶକ୍ତ କରିବା ପାଇଁ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଆମ ଚାଷୀମାନଙ୍କ ପାଇଁ ଚାଷର ସମ୍ଭାବ୍ୟ ବ୍ୟବହାରକୁ ବଢ଼ାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପଦକ୍ଷେପ ନିଆଯାଇଛି।

ମୋଦୀ ସରକାର ୨୦୧୪-୧୫ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଚାଷୀଙ୍କ ଠାରୁ ଏମଏସପି ମୂଲ୍ୟ ବାବଦରେ ଧାନ କିଣି ବ୍ୟାଙ୍କ ଖାତାକୁ ସିଧାସଳଖ ୫୩ହଜାର ୬୮୦.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗତ ୬ବର୍ଷ ମଧ୍ୟରେ ଏମଏସପିର ଦ୍ରୁତ ବୃଦ୍ଧି ଚାଷୀମାନଙ୍କୁ ଅଧିକ ଲାଭ ଦେଇଛି।

ବର୍ଷ ୨୦୧୩-୧୪ରେ ଧାନର ଏମଏସପି ମୂଲ୍ୟ ୧୩୧୦ଟଙ୍କା ଥିଲା ବେଳେ ବର୍ଷ ୨୦୧୪-୧୫ରେ ଯଥାକ୍ରମେ ୧୩୬୦ଟଙ୍କା, ବର୍ଷ ୨୦୧୫-୧୬ରେ ୧୪୧୦ଟଙ୍କା, ବର୍ଷ ୨୦୧୬-୧୭ରେ ୧୪୭୦ଟଙ୍କା, ବର୍ଷ ୨୦୧୭-୧୮ରେ ୧୫୫୦ଟଙ୍କା, ବର୍ଷ ୨୦୧୮-୧୯ରେ ୧୭୫୦ଟଙ୍କା, ବର୍ଷ ୨୦୧୯-୨୦ରେ ୧୮୧୫ଟଙ୍କା ଏବଂ ବର୍ଷ ୨୦୨୦-୨୧ରେ ଧାନର ଏମଏସପି ମୂଲ୍ୟ ୧୮୬୮ଟଙ୍କାକୁ ବୃଦ୍ଧି ହୋଇଛି।

ଚଳିତ ଆର୍ଥିକ ବର୍ଷର ନଭେମ୍ବର ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ ଉପକୃତ ହୋଇଛନ୍ତି। ଫସଲ କରିବା ପାଇଁ ଅତିରିକ୍ତ ସହଯୋଗ ଏବଂ ପରିବାରର ଭରଣପୋଷଣ ପାଇଁ ୨୦୧୮-୧୯ ଠାରୁ ଚାଷୀଙ୍କ ସିଧାସଳଖ ବ୍ୟାଙ୍କ ଖାତାକୁ ୨ହଜାର ୭୩୧.୮୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ବର୍ଷ ୨୦୧୮-୧୯ରେ ଯଥାକ୍ରମେ ୧୯୪.୭୫କୋଟି, ବର୍ଷ ୨୦୧୯-୨୦ରେ ୧୬୮୬.୫୮ କୋଟି ଏବଂ ୨୦୨୦-୨୧ ନଭେମ୍ବର ମାସ ସୁଦ୍ଧା ୮୫୦.୩୫ କୋଟି ଟଙ୍କା ସମସ୍ତ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି।

୨୦୧୬-୧୭ଠାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଓଡ଼ିଶାର ୨୦.୯୪ ଲକ୍ଷ ଚାଷୀଙ୍କୁ ମୋଟ ୪,୪୨୪,୮୫ କୋଟି ଟଙ୍କା ଦିଆଯାଇଛି। ମୋଦୀ ସରକାର ଆମ ଅର୍ଥନୀତିର ମେରୁଦଣ୍ଡ ସୁଦୃଢ଼ କରିବା ଏବଂ ଓଡ଼ିଶା ସମେତ ସମଗ୍ର ଦେଶରେ ଚାଷୀଙ୍କ କଲ୍ୟାଣ ପାଇଁ ସଂକଳ୍ପବନ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର