ଅପହରଣ କଲେ, ବିଚ୍‌ ରାସ୍ତାରେ ହାଣିଲେ, କେରଳ ଯୁବକଙ୍କଠାରୁ ୬୦ ହଜାର ଟଙ୍କା ଲୁଟ୍‌

ପୁଲିସ୍‌ କବ୍‌ଜାରେ ଦୁଇ କୁଖ୍ୟାତ ଅପରାଧୀ

ବାଲେଶ୍ବର: ବାଲେଶ୍ବର ସହର ଉପକଣ୍ଠ ସଲ୍‌ଟରୋଡର ସାରଗାଁଠାରେ ରବିବାର ଅପରାଧୀ ଗ୍ୟାଙ୍ଗ୍‌ ଆତଙ୍କ ସୃଷ୍ଟି କରିଛନ୍ତି। ଦିନ-ଦ୍ବିପ୍ରହରରେ ପୁଣି ବିଚ୍‌ ରାସ୍ତାରେ ବାଇକ୍‌ରେ ଯାଉଥିବା ଜଣେ ଯୁବକଙ୍କୁ ଅଟକାଇ ଖଣ୍ଡାରେ ଆକ୍ରମଣ ସହ ଲୁଟ୍‌ କରି ଚମ୍ପଟ ମାରୁଥିବା ସମୟରେ ପୁଲିସ ହାତରେ ଧରା ପଡ଼ିଛନ୍ତି ଦୁର୍ବୃତ୍ତ। ସେହିପରି ଆଉଏକ ଅପରାଧିକ ଘଟଣା ମଧ୍ୟ ଆଜି ଘଟିଥିଲା। ଅପରାହ୍ନ ସମୟରେ ଜଣେ ଅଣଓଡ଼ିଆ ଯୁବକଙ୍କୁ ଅଟୋରିକ୍ସାରେ ବସାଇ କିଛି ଦୁର୍ବୃତ୍ତ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଆକ୍ରମଣ ସହ ତାଙ୍କଠାରୁ ୬୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।

ପ୍ରଥମ ଘଟଣାରେ ଗୁରୁତର ଯୁବକ ସତ୍ୟଜିତ ବେହେରାଙ୍କୁ ପୁଲିସ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଖଣ୍ଡାଚୋଟ ତାଙ୍କ କାନ୍ଧ ଓ ମୁଣ୍ଡରେ ବସିଥିବାରୁ ଅବସ୍ଥା ଗୁରୁତର ଅଛି। ତାଙ୍କୁ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା‌ ଚାଲିଥିବା ଜଣାଯାଇଛି।  ସେହିପରି  ପୁଲିସ ହାତରେ ଧରାପଡ଼ିଥିବା ୨ ଅପରାଧୀ ହେଲେ ଟାଉନ ଥାନା ମାନସିଂବଜାର ଅଞ୍ଚଳର ମନୁ ଓରଫ୍‌ ମନୋଜ ବେ‌େହରା ଏବଂ ମଙ୍ଗ ଓରଫ୍‌ ମନୋଜ ଦାସ।

ପୁଲିସ ରେକର୍ଡରେ ଏମାନେ କୁଖ୍ୟାତ ତଥା ପେସାଦାର ଅପରାଧୀ ଭାବେ ଜଣାଶୁଣା। ବିଶେଷ କରି ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ଆକ୍ରମଣ ଓ ଲୁଟ୍‌ କରିବା ଏମାନଙ୍କ କାମ। ଟାଉନ୍‌ ଥାନାରେ ଏବେ ସେମାନଙ୍କ ବିରୋଧରେ ୧୦ରୁ ଅଧିକ ଅପରାଧିକ ମାମଲା ବିଚାରାଧୀନ ଅଛି। ଆଜି ସେମାନେ ସାରଗାଁ ଠାରେ ଆକ୍ରମଣ ଓ ଲୁଟ୍‌ କରି ବାଇକ୍‌ରେ ଫେରାର ହେଉଥିବା ବେଳେ ପୁଲିସ ପହଞ୍ଚି ସେମାନଙ୍କୁ ଗୋଡ଼ାଇଥିଲା। ତେବେ ଜଣେ ବାଇକ୍‌ରୁ ଡେଇଁ ବିଲ ଆଡ଼କୁ ଦୌଡ଼ି ପଳାଇଥିବା ବେଳେ ଅନ୍ୟଜଣେ ଖସିଯିବାକୁ ଉଦ୍ୟମ କରିଥିଲା। ଉଭୟଙ୍କୁ ପୁଲିସ କାବୁ କରି ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଦୁଇଟି ବାଇକ୍‌ ଓ ଗୋଟିଏ ବଡ଼ ଖଣ୍ଡା ଜବତ କରାଯାଇଛି।

ଉଲ୍ଲେଖଯୋଗ୍ୟ ପୁଲିସ ରେକର୍ଡରେ ଏପରି କୁଖ୍ୟାତ ଅପରାଧୀଙ୍କ ନାଁ ରହିଥିବା ବେଳେ ବିଭିନ୍ନ ସମୟରେ ଜେଲ୍‌‌ରୁ ବାହାରିବା ପରେ ସେମାନଙ୍କ ଗତିବିଧି ଉପରେ ପୁଲିସ କାହିଁକି ନଜର ରଖୁନି? ଯାହାଫଳରେ ସେମାନେ ବିଚ୍‌ ବଜାରରେ ଖୁଲମଖୁଲା ମାରଣାସ୍ତ୍ର ଧରି ବୁଲିବା ଏବଂ ଆକ୍ରମଣ କରିବାକୁ ସାହସ ଜୁଟାଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ସେପଟେ ସହରର ଚାନ୍ଦିପୁର ଥାନା ଅଞ୍ଚଳରେ ମଧ୍ୟ ଆଜି ଦ୍ବି-ପ୍ରହର ସମୟରେ ଆଉ ଏକ ଅପରାଧ ସହରବାସୀଙ୍କୁ ଆତଙ୍କିତ କରିଛି। ଚାନ୍ଦିପୁର ଅଞ୍ଚଳରେ ଥିବା କେଉଁ ଏକ ଚିଙ୍ଗୁଡ଼ିଫାର୍ମକୁ ଆସିଥିବା କେରଳର ଜଣେ ଯୁବକ ବାଲେଶ୍ବର ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡରେ ବସିଥିଲେ। ତାଙ୍କ ନାଁ ସ୍ମିଥ୍‌ ଦେବ୍‌ସୀ। କାନ୍ଧରେ ଏକ ବ୍ୟାଗ୍‌ ପକାଇଥିଲେ, ଯେଉଁଥିରେ ୬୦ ହଜାର ଟଙ୍କା ଥିଲା।

ତେବେ କିଛି ଯୁବକ ବସିଥିବା ଏକ ଅଟୋରିକ୍ସା ଆସି ତାଙ୍କୁ ବସିବାକୁ କହିବାରୁ ସେଥିରେ ସ୍ମିଥ୍‌ ବସିଥିଲେ। ଏହାପରେ ଅଟୋରିକ୍ସାଟି ତାଙ୍କୁ ସିଧା ପୁରୁଣା ବାଲେଶ୍ବରର ତୁଳସୀପଦା ସ୍ଥିତ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା। ସେଠାରେ ‌ଅଟୋରେ ଯାଇଥିବା ସମସ୍ତ ଯୁୁବକ ସ୍ମିଥ୍‌କୁ ତାଙ୍କ ବ୍ୟାଗ୍‌ ମାଗିଥିଲେ। ସେ ନଦେବାରୁ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ବ୍ୟାଗ୍‌ଟିକୁ ଛଡ଼ାଇ ନେଇଥିଲେ। ଏହାପରେ ସେ ଅଚେତ ଅବସ୍ଥାରେ ସେଠାରେ ପଡ଼ିଥିବା ପୁଲିସକୁ ଖବର ମିଳିବା ପରେ ପିସିଆର ଭ୍ୟାନ୍‌ ଯାଇ ତାଙ୍କୁ ଉଦ୍ଧାର କରିବା ସହ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ଏନେଇ ଚାନ୍ଦିପୁର ଥାନା ପୁଲିସକୁ ପଚାରିବାରୁ ଯେହେତୁ ଏ ସଂକ୍ରାନ୍ତୀୟ କୌଣସି ଲିଖିତ ଅଭିଯୋଗ ହୋଇନାହିଁ, ତେଣୁ ସେମାନେ କିଛି ଜାଣିନଥିବା କହିଥିଲେ।

ସମ୍ବନ୍ଧିତ ଖବର