ଭୁବନେଶ୍ବର: ପୂର୍ବତଟ ରେଳ ସମ୍ଭାବ୍ୟ ବାତ୍ୟା ‘ମିଗ୍‌ଜୋମ୍‌’ ଏବଂ ଏହାର ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ନେଇ ରେଳଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇଛି। ‘ପୂର୍ବତଟ ରେଳ’ର ମହାପ୍ରବନ୍ଧକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଗୋଟିଏ ୨୪ ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ବାତ୍ୟା ସଂପର୍କରେ ପୂର୍ବ ପ୍ରସ୍ତୁତି ପାଇଁ ନିରୀକ୍ଷଣ କରାଯାଇଛି। ସେହିପରି ଯାତ୍ରୀମାନଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ଏ ପର୍ଯ୍ୟନ୍ତ ୬୦ଟି ଟ୍ରେନ୍‌ ବାତିଲ କରାଯାଇଛି। ଏଥିରେ ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରୁଥିବା କିଛି ଟ୍ରେନ୍‌ ଏବଂ ଅନ୍ୟ ଜୋନରୁ ଆସୁଥିବା କିଛି ଟ୍ରେନ୍‌ ମଧ୍ୟ ସାମିଲ ଅଛି।

Advertisment

ପୂର୍ବତଟ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ଅଶୋକ କୁମାର ମିଶ୍ର କହିଛନ୍ତି, ବାତ୍ୟା ପ୍ରଭାବରେ ହେବାକୁ ଥିବା ବର୍ଷା ଯୋଗୁଁ କ୍ଷୟକ୍ଷତି ପାଇଁ ମଧ୍ୟ ଇଷ୍ଟ କୋଷ୍ଟ ରେଲୱେ ପ୍ରସ୍ତୁତ ଅଛି। ଅଧିକ ବର୍ଷା ହୋଇ ଅଚାନକ ବନ୍ୟା ଆସିଲେ ରେଳ ଧାରଣା ଏବଂ ସିଗ୍ନାଲିଂ ଯନ୍ତ୍ରପାତି ନଷ୍ଟ ହେଲେ କେମିତି ଯଥାଶୀଘ୍ର ମରାମତି କରାଯାଇ ପାରିବ ସେଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି।

ବାତ୍ୟା ଘନୀଭୂତ ହେଲା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ସମୁଦ୍ର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ହେବାର ସମ୍ଭାବନା ରହିଛି। ଏହାପରେ ଦିଗ ବଦଳାଇ ଉତ୍ତର ଦିଗରେ ଗତି କରିବା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସମାନ୍ତରାଳ ଭାବେ ଗତି କରିବ। ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ମଚ୍ଛଲିପଟନମ୍‌ ମଧ୍ୟରେ ଡିସେମ୍ବର ୫ ପୂର୍ବାହ୍ନରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ସର୍ବାଧିକ ୯୦ରୁ ୧୦୦ କିମି ତଥା ଝଟ୍‌କା ପବନ ୧୧୦ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅର୍ଥାତ୍ ପୂର୍ବାପେକ୍ଷା ପବନର ବେଗ ସାମାନ୍ୟ ବଢ଼ିବ।

ପୂର୍ବରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ‌ଯେ ବାତ୍ୟା ପ୍ରଭାବରେ ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ କୋହଲା ପାଗ ଦେଖିବାକୁ ମିଳିଛି। ୪ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସେସବୁ ସ୍ଥାନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ୭ରୁ ୧୧ସେମି ବର୍ଷା ହୋଇପାରେ। ପୁରୀ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଜଗତ୍‌ସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହେବ। ୫ ଓ ୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ(୭ରୁ ୨୦ ସେମି) ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବାକୁ ଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ।

ଶ୍ରୀ ବିଶ୍ବାସ କହିଛନ୍ତି ଯେ, ୬ରୁ ୭ ତାରିଖ ପୂର୍ବାହ୍ନ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ୭ରୁ ୧୧ ସେମି ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ବର୍ଷା ପ୍ରଭାବରେ ପନିପରିବା ଚାଷ ବହୁ ପରିମାଣରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅସ୍ଥାୟୀ ଜଳବନ୍ଦୀ ସମସ୍ୟା, କଚ୍ଚା ରାସ୍ତା ଧୋଇଯିବା, କଚ୍ଛା ଘର କାନ୍ଥ ଭୁଶୁଡ଼ିବା ପରି ସମସ୍ୟା ହୋଇପାରେ। ତେଣୁ ଅସୁରକ୍ଷିତ କଚ୍ଛା ଘରେ ନ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି ପବନ କଥା ଦେଖିବା, ୪ ତାରିଖ ସନ୍ଧ୍ୟାରୁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତ୍‌ସିଂହପୁର ଉପକୂଳରେ ଜିଲ୍ଲାରେ ଘଣ୍ଟା ପ୍ରତି ୩୫ରୁ ୪୫ କିମି ଓ ଝଟକା ପବନର ବେଗ ୫୫ କିମି ‌ଛୁଇଁପାରେ। ଧୀରେ ଧୀରେ ପବନର ବେଗ ବଢ଼ିବା ସହ ୫ ତାରିଖ ସନ୍ଧ୍ୟାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ଏବଂ ସ୍ଥଳ ବିଶେଷରେ ୬୦ କିମି ହୋଇପାରେ। ୫ ତାରିଖରେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ଓ ଝଟକା ପବନର ବେଗ ୫୦ କିମି ହେବ। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନେ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି। ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି।