ପୁରୀ : ଅନାବନା ଜଙ୍ଗଲରେ ପଡ଼ିରହିଛି ବୀରତ୍ବର ସ୍ମାରକୀ ବହନ କରୁଥିବା ବୀରଶିଳା। ପୂର୍ବ ଗଙ୍ଗବଂଶ ସମୟର କଳାକୃତି ଆଜି ପ୍ରତ୍ନତାତ୍ତ୍ବିକ ଅବଶେଷ। ହେଲେ ଗୁରୁତ୍ବ ଦେଉଛି କିଏ? କଣାସ ବ୍ଲକ୍ର ତିପୁରୀ ଗ୍ରାମରେ ବିପର୍ଯ୍ୟସ୍ତ ଭାବେ ପଡ଼ି ରହିଛି ପ୍ରାୟ ୬୦ରୁ ଅଧିକ ବୀରଶିଳା ଓ ଐତିହ୍ୟ କଳାକୃତି। ବିଡ଼ମ୍ବନା ହେଲା, ଏହି ନିର୍ଦ୍ଦିଷ୍ଟ ସ୍ଥାନରୁ ମାତ୍ର ଗୋଟିଏ ବୀରଶିଳାକୁ ନେଇ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯାଉଛି। ମାତ୍ର ସେହିଭଳି ବହୁ ବୀରଶିଳାକୁ ବିପର୍ଯ୍ୟସ୍ତ ଅବସ୍ଥାରେ ଛାଡ଼ି ଦେଇଛି ପ୍ରତ୍ନତତ୍ତ୍ବ ବିଭାଗ। ‘ରିଡିସ୍କଭର ଲଷ୍ଟ ହେରିଟେଜ୍ ଗ୍ରୁପ’ ଏବଂ ‘ହେରିଟେଜ୍ ଆଣ୍ଡ କଲ୍ଚର କ୍ଲବ୍, ଆଇଆଇଟିଟିଏମ୍’ ପକ୍ଷରୁ ଚାଲିଥିବା ଐତିହ୍ୟ ସନ୍ଧାନ ଅଭିଯାନରେ ଏହି ଐତିହ୍ୟକୁ ଚିହ୍ନଟ କରାଯାଇଛି।
ଐତିହ୍ୟ ଗବେଷକ ଦୀପକ ନାୟକଙ୍କ କହିବା ମୁତାବକ, ବୀରଶିଳାଗୁଡ଼ିକର ଐତିହ୍ୟ ଗୁରୁତ୍ବ ରହିଛି। ପୂର୍ବ ଗଙ୍ଗବଂଶ ସମୟରେ ବୀରତ୍ବର ପ୍ରତୀକ ଭାବେ ଯୋଦ୍ଧାମାନଙ୍କୁ ପଥର ଖୋଦିତ କାରୁକାର୍ଯ୍ୟରେ ପ୍ରଦର୍ଶିତ କରାଯାଇଛି। ଖୋଦିତ କାରୁକାର୍ଯ୍ୟରେ ଜଣେ ଯୋଦ୍ଧାଙ୍କ ହାତରେ ଖଡ୍ଗ ଓ ଅନ୍ୟ ହାତରେ ଢାଲ ଥିବା ଦେଖିବାକୁ ମିଳୁଛି। ତେଣୁ ଅତୀତର ଏହି ବୀରତ୍ବ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଥିବାରୁ ଏହାକୁ ପ୍ରଦର୍ଶିତ କରାଯିବା ଉଚିତ୍ ବୋଲି ସେ କହିଛନ୍ତି। ଏହାର ଐତିହାସିକ ଗୁରୁତ୍ବ ବାବଦରେ ମତ ରଖି ସେ କହିଛନ୍ତି, ପୂର୍ବ ଗଙ୍ଗବଂଶ ସମୟରେ କଣାସ ଅଞ୍ଚଳ ସିରାଇ ଦଣ୍ଡପାଟ ଭାବେ ନାମିତ ଥିଲା। ଏହି ବୃହତ୍ ଅଞ୍ଚଳ ଉନ୍ନତ ଭୂଖଣ୍ଡ ଭାବେ ପରିଚିତ ଥିଲା। ମାଦଳାପାଞ୍ଜି ମୁତାବକ, ମଦନ ମହାଦେବ ସିରାଇ ଦଣ୍ଡପାଟର ସହଜପରି କଟକକୁ ରାଜଧାନୀ ଭାବେ ବାଛିଥିଲେ। ଏହି ଅଞ୍ଚଳର ସାମରିକ ଗୁରୁତ୍ବ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରିଥିଲା।
ପ୍ରାୟ ୧୧ଶହରୁ ୧୨ଶହ ଖ୍ରୀଷ୍ଟାବ୍ଦ ମଧ୍ୟରେ ପୂର୍ବ ଗଙ୍ଗ ରାଜତ୍ବ ସମୟରେ ଏହି ଅଞ୍ଚଳରେ ଯୁଦ୍ଧ ହୋଇଥିଲା। ପୂର୍ବରୁ ଏହି ଅଞ୍ଚଳ ସୋମବଂଶୀ ଶାସକଙ୍କ ନିୟନ୍ତ୍ରଣାଧୀନ ଥିଲା। ଯେବେ ପୂର୍ବ ଗଙ୍ଗ ସମ୍ରାଟ ରାଜାରାଜ ଓ ତାଙ୍କ ପୁତ୍ର ଚୋଡ଼ଗଙ୍ଗ ଦେବ ଓଡ଼ିଶାକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ରକ୍ତାକ୍ତ ଯୁଦ୍ଧ କରିଥିଲେ। ବିଜୟୀ ମଧ୍ୟ ହୋଇଥିଲେ। ସେଠାରେ ଥିବା ଏକ ପଥର ଖୋଦେଇ କଳାରେ ବନପତିଙ୍କୁ ଚିତ୍ରିତ କରାଯାଇଛି। ବନପତି ପୂର୍ବ ଗଙ୍ଗ ରାଜତ୍ବ ସମୟରେ ମିଲିଟାରି ଜେନେରାଲ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ। ସେ ବଙ୍ଗ, ଖିମିଡ଼ି, କୋଶଳ, ଓଡ୍ର ଦେଶ ସମେତ ଚନ୍ଦ୍ରମପାଟପୁର, ନିରାକାରପୁର, ଗଡ଼ଖରଡ଼ା, ମାଳିସାହି, ତିପୁରୀ ଦଖଲ କରିଥିଲେ। ସମ୍ଭବତଃ ଏହି ରକ୍ତାକ୍ତ ବିଜୟର ସ୍ମାରକୀ ସ୍ବରୂପ ବହୁ ବୀରଶିଳା ନିର୍ମିତ ହୋଇଥିବା ବେଳେ ଏବେ ସେଇ ଯୁଦ୍ଧର ସ୍ମାରକୀ ବଣବୁଦାରେ ପଡ଼ିରହିଛି।
ବୀରଶିଳାରେ ଯୋଦ୍ଧାଙ୍କ ହାତରେ ଖଡ୍ଗ ଓ ଢାଲ ରହିଥିବା ବେଳେ କିଛି କାରୁକାର୍ଯ୍ୟରେ ଲିଙ୍ଗ ପୂଜାର ଚିତ୍ରଣ ହୋଇଛି। ତେବେ ବୀରଶିଳାଗୁଡ଼ିକ ଏଣେତେଣେ ବିଛେଇ ହୋଇ ପଡ଼ିଥିବା ବେଳେ ଖୋଲାମେଲାରେ ପଡ଼ି କିଛି ଭାଙ୍ଗିରୁଜି ଗଲାଣି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏସବୁର ପ୍ରତ୍ନତାତ୍ତ୍ବିକ ମୂଲ୍ୟବୋଧ ରହିଥିବାରୁ ଓ ବିରଳ କଳାକୃତି ହୋଇଥିବାରୁ ଚୋରି ହେବାର ସମ୍ଭାବନା ରହିଛି। ମାତ୍ର ଏଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ପାଇଁ ଆନ୍ତରିକତା ପ୍ରକାଶ ନପାଇବା ଦୁଃଖର ବିଷୟ ବୋଲି କହିଛନ୍ତି ଗବେଷକ ଶ୍ରୀ ନାୟକ। କିଛି ବୀରଶିଳା ଗ୍ରାମର ମଧ୍ୟ ଭାଗରେ ନିର୍ମିତ ହୋଇଥିବା ଏକ ଘରକୁ ସ୍ଥାନାନ୍ତର ହୋଇଛି। ସେଥିମଧ୍ୟରୁ ଗୋଟିଏ ବୀରଶିଳା ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି। ମାତ୍ର ସେହିଭଳି ବହୁ ବୀରଶିଳା ଏଣେତେଣେ ପଡ଼ି ନଷ୍ଟ ହେବାକୁ ବସିଲାଣି। ଯଦି ଏହି ଅଞ୍ଚଳ ମଧ୍ୟରେ ଖନନ କାର୍ଯ୍ୟ କରାଯାଏ ତେବେ ସେଇଭଳି ବହୁ କଳାକୃତି ମିଳିପାରିବ ବୋଲି ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଐତିହ୍ୟ ପ୍ରୀତି ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି ବୋଲି ଆଇଆଇଟିଟିଏମ୍ର ଆସୋସିଏଟ୍ ପ୍ରଫେସର୍ ଆଦ୍ୟାଶା ଦାସ କହିଛନ୍ତି।