ଯାଜପୁର/କବାଟବନ୍ଧ: ଯାଜପୁର ଜିଲ୍ଲାର ଅନ୍ୟତମ ଜୀବନରେଖା ଚଣ୍ଡିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥ ମରଣଯନ୍ତାରେ ପରିଣତ ହୋଇଛି। ୧୯୬୫ ମସିହାରେ ପାରାଦୀପଠାରୁ ଦୈତାରୀ ଜାତୀୟ ରାଜପଥ ନିର୍ମାଣ ହୋଇଥିଲା। ସେ ମଧ୍ୟରୁ ଚଣ୍ଡିଖୋଲ-ଡୁବୁରି ୩୯ କିଲୋମିଟର ରାସ୍ତାର ସଂପ୍ରସାରଣ ଓ ନୂତନ ନିର୍ମାଣରେ ଚରମ ଅବହେଳା ପାଇଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଆନ୍ଦୋଳନ ସତ୍ତ୍ବେ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ତତ୍ପରତା ନାହିଁ। ମାତ୍ରାଧିକ ଭାରୀଯାନ ଚଳାଚଳ ଯୋଗୁଁ ପ୍ରାୟ ୬୦ ବର୍ଷ ପୁରୁଣା ଚଣ୍ଡିଖୋଲ ଓଭରବ୍ରିଜ୍ ଓ ଜେନାପୁର ନିକଟରେ ବ୍ରାହ୍ମଣୀ ସେତୁ ଉପରେ ଚାପ ବଢ଼ିବାରେ ଲାଗିଛି। ବ୍ରାହ୍ମଣୀ ସେତୁ ଦୁର୍ବଳ ହୋଇପଡ଼ିଥିବାରୁ ଗତବର୍ଷ ମରାମତି କରାଯାଇଥିଲା। ଏନ୍‌ଏଚଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ଜିପି ବର୍ମା ଏହି ପୋଲ ଦୁଇଟିର ଆୟୁଷ ଆଉ ୧୦ ବର୍ଷ ଅଛି ବୋଲି କହୁଛନ୍ତି। ତେବେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହା ବିପଦରେ ଥିବା ଅନୁମାନ କରାଯାଉଛି।

Advertisment

୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ-ଡୁବୁରି-ସୁକିନ୍ଦା-ଭୁବନ-କାମାକ୍ଷାନଗର ପର୍ଯ୍ୟନ୍ତ ନିର୍ମାଣ ପାଇଁ ୨୦୧୮ ପୂର୍ବରୁ ଟେଣ୍ଡର ହୋଇ କାମ ଆରମ୍ଭ ହୋଇଥିଲା। ଡୁବୁରିରୁ ଭୁବନ ଓ ଭୁବନରୁ କାମାକ୍ଷାନଗର ଜାତୀୟ ରାଜପଥ ନିର୍ମାଣ କାମ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଅଥଚ ଇସ୍ପାତ ରାଜଧାନୀ କଳିଙ୍ଗନଗର ସହିତ ଯୋଗାଯୋଗ କରୁଥିବା ଟେଣ୍ଡରର ପ୍ରଥମ ଭାଗ(ରିଚ୍) ଚଣ୍ଡିଖୋଲରୁ ଡୁବୁରି ୩୯କିମି ରାସ୍ତା ନିର୍ମାଣ ବର୍ଷ ବର୍ଷ ଧରି ପକାଇ ରଖାଯାଇଛି। ୫୫୦ କୋଟି ଟଙ୍କାର କାମ ୨୦୨୦ ରେ ଶେଷ କରିବାକୁ ଠିକାସଂସ୍ଥାକୁ ସମୟ ଧାର୍ଯ୍ୟ ହୋଇଥିଲା। ସମୟ ଅବଧି ଶେଷ ପରେ ଆଉ ୩ ବର୍ଷ ବିତିଥିଲେ ମଧ୍ୟ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜେନାପୁରଠାରେ ନୂତନ ବ୍ରାହ୍ମଣୀ ସେତୁର ନିର୍ମାଣ ଅତ୍ୟନ୍ତ ମନ୍ଥର ହୋଇଛି। ୨୨ଟି ପିଲାର୍ ମଧ୍ୟରୁ ମାତ୍ର ଗୋଟିଏ ତିଆରି ହୋଇଛି। ପୁରୁଣା ସେତୁ ଦୁର୍ବଳ ହୋଇପଡ଼ିଥିବାରୁ ଏହା କୌଣସି ସମୟରେ ଭୁଶୁଡ଼ିଯିବାର ଆଶଙ୍କା ରହିଛି।

ଗତବର୍ଷ ଏହି ପୁରୁଣା ସେତୁର ମରାମତି କରାଯାଇଥିଲା। ଅନୁରୂପ ଭାବେ ଚଣ୍ଡିଖୋଲ ଓଭରବ୍ରିଜ୍ କାମ ମଧ୍ୟ ଅଧୁରା ରହିଛି। ପୁରୁଣା ଓଭରବ୍ରିଜ୍‌ ଭୁଶୁଡ଼ିଲେ ପାରାଦୀପ-ଡୁବୁରି ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ କୋଲକାତାରୁ ଚେନ୍ନାଇ ସଡ଼କପଥରେ ଗୁରୁତର ବିଭ୍ରାଟ ସୃଷ୍ଟି ହେବାର ଆଶଙ୍କା ରହିଛି। ମନ୍ଥର ନିର୍ମାଣ ସାଂଗକୁ ରାସ୍ତାରେ ପାହାଡ଼ ଭଳି କାରଖାନା ପାଉଁଶ ଗଦା ହୋଇଥିବାରୁ ଏହା ପବନରେ ଉଡ଼ି ପ୍ରଦୂଷଣ ବଢ଼ାଉଛି। ପାଉଁଶ ପାଇଁ ଅଞ୍ଚଳବାସୀ କଲବଲ ହେଉଛନ୍ତି। ଚଣ୍ଡିଖୋଲ-ଡୁବୁରି ରାସ୍ତାକୁ ନେଇ ଆନ୍ଦୋଳନ କରୁଥିବା ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ ବେହେରା କହନ୍ତି, ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉନାହାନ୍ତି। ଠିକାଦାର ଓ ପେଟି ଠକାଦାର ମନମୁଖୀ ଭାବେ କାମ କରୁଛନ୍ତି। ଶୋଚନୀୟ ରାସ୍ତାରେ ଦୁର୍ଘଟଣା ଘଟି ଶହଶହ ପରିବାର ଉଜୁଡ଼ି ଯାଉଛି। ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ସହିତ ଜନସ୍ବାର୍ଥ ମାମଲା କରାଯିବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି।