ରା.ଉଦୟଗିରି: ୧୦ ବର୍ଷ କି ୨୦ ବର୍ଷ ନୁହେଁ, ଦୀର୍ଘ ୬୦ ବର୍ଷ ହେଲା ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ପୁଟୁରୁପଡ଼ା ପଞ୍ଚାୟତ ଅଧୀନ କେ.ନୂଆସାହି ଗ୍ରାମରେ ପକ୍କାରାସ୍ତା ତଥା ପିଚୁରାସ୍ତାଟିଏ ତିଆରି ହୋଇପାରୁନି। ଗାଁ ପ୍ରତିଷ୍ଠା ପରଠୁ ପକ୍କାରାସ୍ତା ଯେମିତି ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି। ଆଉ ରାସ୍ତା ନଥିବାରୁ ଗ୍ରାମବାସୀ ସ୍ବାସ୍ଥ୍ୟସେବା ସମେତ ବିଭିନ୍ନ ମୌଳିକ ସୁବିଧାରୁ ଆଜି ବି ବଞ୍ଚିତ ହୋଇ ରହିଛନ୍ତି।
୧୨ ବର୍ଷ ତ‌ଳେ ତଥା ୨୦୧୨ ମସିହାରେ ଜୟଶ୍ବରୀ ଗମାଙ୍ଗ ନାମକ ଜଣେ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। କିନ୍ତୁ ସପ୍ତାହକ ପରେ ଶିଶୁକନ୍ୟାଟି ହଠାତ୍ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲା। ଆଉ ରାସ୍ତା ନଥିବାରୁ ତାକୁ ଠିକ୍ ସମୟରେ ଡାକ୍ତରଖାନାକୁ ଅଣାଯାଇ ପାରି ନଥିଲା। ଫଳରେ ଶିଶୁକନ୍ୟାଟି ଆଖି ବୁଜି ଦେଇଥିଲା। ତଥାପି ରାଜ୍ୟ ସରକାର ଓ ପ୍ରଶାସନକୁ ଚେତା ପଶୁନି। ରାସ୍ତାର ଅବସ୍ଥା ସେତେବେଳେ ଯେମିତି ଥିଲା, ଆଜି ବି ସେମିତି ରହିଛି। ଗ୍ରାମବାସୀ ଉଚିତ ସ୍ବାସ୍ଥ୍ୟସେବା ପାଇପାରୁନାହାନ୍ତି।

Advertisment

ଅନ୍ୟପକ୍ଷରେ ୨୦୦୪ ମସିହାରେ ରାମଗିରିର ତତ୍କାଳୀନ ବିଧାୟକ ଭରତ ପାଇକ ସିସି ରୋଡ୍ ପାଇଁ ଅନୁଦାନ ଦେଇଥିଲେ। କିନ୍ତୁ ଏହାମଧ୍ୟରେ ୨୦ ବର୍ଷରୁ ଅଧିକ ସମୟ ବିତିସାରିଛି। ଆଉ ବେତରସିଙ୍ଗିଠୁ ଠାରୁ କେ.ନୂଆସାହି ପର୍ଯ୍ୟନ୍ତ ୪ କିଲୋମିଟର ରାସ୍ତା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି। ସେହିପରି ୨୦୦୯ ମସିହାରୁ ଗ୍ରାମବାସୀ ବ୍ରହ୍ମପୁରର ତତ୍କାଳୀନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଏବଂ ଗଜପତି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନି। ଫଳରେ ପ୍ରତିବର୍ଷ ଗ୍ରାମବାସୀ ବର୍ଷାଦିନେ ନିଜେ ଶ୍ରମଦାନ କରି ରାସ୍ତାକୁ ସଜାଡ଼ୁଛନ୍ତି। ତେବେ ରାସ୍ତାରେ ଯାନବାହନ ଚଳାଚଳ କରିବା କଷ୍ଟସାଧ୍ୟ ହେଉଛି। କେ.ନୂଆସାହି ଗ୍ରାମବାସୀଙ୍କ ଦାବି ହେଉଛି, ବେତରସିଙ୍ଗ ପଞ୍ଚାୟତର ପିଚୁ ସଡ଼କରୁ କେ.ସୁବଲଡ଼ା ଭାୟା କେ.ନୂଆସାହି ୮ କିଲୋମିଟର ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ କରାଯାଉ। ଏହି ୮କିଲୋମିଟର ରାସ୍ତା ତିଆରି ହେଲେ ରା.ଉଦୟଗିରି, ନୂଆଗଡ଼ ଓ ରାୟଗଡ଼ ବ୍ଲକର କୁରୁମ, ବାହାଡାପଡ଼ା, ସର୍ଗିସାହି, ଏଲାସିଙ୍ଗ, ଖିଲାଙ୍ଗ, ଝୁଲାସାହି, କିନ୍ତେସାହି, ଆଲାଜୋଲ, ଗୟଳଯୁବା, ଅମେଡ଼ା ଭଳି ୧୭ଟି ଗ୍ରାମର ୧୦ ହଜାରରୁ ଅଧିକ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ପ୍ରକାଶ ଚନ୍ଦ୍ର ଦଳବେହେରା, ଗୋର୍ସାଙ୍ଗ ମଣ୍ଡଳ, ମଙ୍ଗଳା ଦଳବେହେରା, ବିଶ୍ୱନାଥ ମଣ୍ଡଳ, ସୋମନାଥ ଦଳବେହେରା, ବସୁମତୀ ରଇତ ଓ ରେଣୁକା ଦଳବେହେରା ପ୍ରମୁଖ କହିଛନ୍ତି। ପୁଟୁରୁପଡ଼ା ସରପଞ୍ଚ ଚୈତନ୍ୟ ଭୂୟାଁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସର୍ଭେ ଚାଲିଛି। ଖୁବ୍‌ଶୀଘ୍ର ପିଚୁରାସ୍ତା ତିଆରି ନେଇ ଆଶାବାଦୀ।