ଅସହାୟ ମହିଳାଙ୍କୁ ମିଳୁନି  ବାର୍ଧକ୍ୟ ଭତ୍ତା, ପକ୍କା ଘର ସ୍ବପ୍ନ

ବନ୍ତଳା : ନାଁ ତାଙ୍କର ସୁଷମା ଦେହୁରୀ। ଜୀବନ କିନ୍ତୁ  ନାରଖାର, ଶୂନ୍ୟ। ପାଖରେ କେହି ନାହାନ୍ତି। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ, ଭଲ ମୁଠାଏ ଖାଇବାକୁ ଭତ୍ତାଟିଏ ମିଳିଲା ନାହିଁ। ରାଜନେତା ବା ପ୍ରଶାସନ, କାହାର ଶୁଭଦୃଷ୍ଟି ତାଙ୍କ ଉପରେ ପଡ଼ିଲା ନାହିଁ। ଏହି ଅସହାୟ ବୃଦ୍ଧାଙ୍କ ଘର ଅନୁଗୁଳ ବ୍ଲକ୍ ଖିଣ୍ଡା ଗାଁରେ। ବୟସ ୬୦ ଟପିଲାଣି।

ସୁଷମାଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ‘କାମ କରିବାକୁ ଯାଉଛି’ କହି ଘରୁ ବାହାରି ଗଲେ ଯେ ଗଲେ। ଆଉ ଫେରିଲେନି।  ଏହା ଭିତରେ ପ୍ରାୟ ୩୦ ବର୍ଷ ବିତିଗଲାଣି। ତାଙ୍କର ଖୋଜ ଖବର ନାହିଁ। ତଥାପି ସୁଷମାଙ୍କ ହାତରେ ଚୁଡ଼ି। ସ୍ବାମୀଙ୍କ ଫେରିବା ବାଟ ସେ ଚାହିଁ ବସିଛନ୍ତି।   ସନ୍ତାନ କହିଲେ ଗୋଟିଏ ମାତ୍ର ଝିଅ। ବିଭା ହୋଇଛି ଝାନ୍‌ସୀରେ। ସେ କିପରି ଅଛି ସେ ଖବର ମଧ୍ୟ ସୁଷମା ଜାଣନ୍ତି ନାହିଁ।  ପାଖାପାଖି ଅଧଗୁଣ୍ଠ  ଡିହରେ ଏକ ଝାଟିମାଟି କୁଡ଼ିଆରେ ସେ ପଡ଼ିରହିଛନ୍ତି। ଭରସା ହୋଇଛି ପଡ଼ି କାର୍ଡ଼ରେ ମ‌ାସକୁ ମିଳୁଥିବା ୩୫ କେଜି ଚାଉଳ। ବାର୍ଧକ୍ୟ ଭତ୍ତା ପାଇଁ ବିଡିଓଙ୍କୁ ଗୁହାରି କରିଥିଲେ। ଏ ଯାଏଁ ତାହା ସମ୍ଭବ ହେଲାନି। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ସୁମନ୍ତୀ ଦେହୁରୀଙ୍କୁ ପଚାରିବାରୁ ସେ କହିଛନ୍ତି ‘ସୁଷମାଙ୍କ ଭୋଟର ପରିଚୟପତ୍ର ଅନୁଯାୟୀ ତାଙ୍କ ବୟସ ୪୭ ବର୍ଷ ଓ ଆଧାର କାର୍ଡ଼  ଅନୁସାରେ ୬୨ ବର୍ଷ ହେଉଛି। ବୟସ ତାରତମ୍ୟ ହେତୁ ତାଙ୍କୁ ବାର୍ଧକ୍ୟ ଭତ୍ତା ମିଳିନାହିଁ। ଆଗାମୀ ଦିନରେ ତାଙ୍କୁ ପକ୍ଖା ଘର ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯିବ।’ ତେବେ ସୁଷମାଙ୍କ ଭୋଟର ପରିଚୟପତ୍ର ଓ ଆଧାର କାର୍ଡ଼ରେ ଜନ୍ମ ତାରିଖ ଅଲଗା ରହିବା ପାଇଁ କିଏ ଦାୟୀ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର