ମାଡ଼ୁନି ଡ୍ୟାମ ପାଣି, ଅଚଳ ଉଠା ସେଚପ୍ରକଳ୍ପ: ପଡିଆ ପଡ଼ିଛି ୬୦୦ ଏକର ଜମି 

ବାହାରେ ଦାଦନ ଖଟୁଛନ୍ତି ୨୦୦ରୁ ଉର୍ଧ୍ବ ଚାଷୀ ପରିବାର, ଚାଷ ଅଭାବରୁ ଶହ ଶହ ଏକର ଜମି ପାଲଟିଲାଣି ଜଙ୍ଗଲ

ରାୟଗଡ଼ା: ଧାନ, ମାଣ୍ଡିଆ, କାନ୍ଦୁଲ, ପନିପରିବାରେ ହସୁଥିଲା କ୍ଷେତ। ଉତ୍ପାଦିତ ତିନି ଫସଲକୁ ବିକ୍ରି କରି ବେଶ୍ ଲାଭବାନ୍ ହେଉଥିଲେ ଚାଷୀ। ଗତ ୪ ବର୍ଷ ଧରି ଆଉ ଜମିକୁ ମାଡ଼ୁନି ପାଣି। ମରାମତି ଅଭାବରୁ କେନାଲ୍ ଗଛ, ଲତା, ମାଟି, କାଦୁଅରେ ପୋତି ହୋଇଯିବା ପରେ ପଡିଆ ପଡ଼ିଛି ୬୦୦ ଏକର ଜମି। ଜଳସେଚନ ସମସ୍ୟାରୁ ଚାଷ କାର୍ଯ୍ୟ ବନ୍ଦ ହେବା ପରେ ଏବେ ୨୦୦ରୁ ଉର୍ଧ୍ବ ପରିବାର ଦାଦନ ଖଟିବାକୁ ବାହାର ରାଜ୍ୟରେ।

କୃଷି ଓ କୃଷକର ବିକାଶ ପାଇଁ ସରକାର ଶହ ଶହ କୋଟିର ଯୋଜନା ହାତକୁ ନେଇଛନ୍ତି। କିନ୍ତୁ ଜଳ‌ସେଚନ ସମସ୍ୟାକୁ ନେଇ ଚାଷୀ ଦାଦନ ଖଟିବା ଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ମଦନପୁର ଗ୍ରାମରେ। ଗ୍ରାମଠୁ ୪ କିମି ଦୂର କାର୍ଣ୍ଣିପାଡୁ (କୁଲି) ନିକଟରେ ୪୦ ବର୍ଷ ତଳେ ଡ୍ୟାମ୍ ନିର୍ମାଣ କରିଥିଲେ ସରକାର। ଡ୍ୟାମ୍ ପାଣି ଦ୍ବାରା ୫ଟି ପଞ୍ଚାୟତର ହଜାର ହଜାର ଏକର ଜମି ଶସ୍ୟ ଶ୍ୟାମଳା ହେଉଥିଲା। କେନାଲ୍ ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣର ପାଣି ଜମିକୁ ମିଳୁଥିବାରୁ  ଖରିଫ୍ ଋତୁରେ ଧାନ, ରବି ଋତୁରେ ପନିପରିବା ସମେତ ଅନ୍ୟ ଚାଷ କରୁଥିଲେ ଚାଷୀ। ଚାଷ କାର୍ଯ୍ୟକୁ ଛାଡ଼ି ଚାଷୀ ଅନ୍ୟ କିଛି କାମ ପ୍ରତି ମନ ବଳାଉନଥିଲେ। ହେଲେ କେନାଲ୍ ମରାମତିରେ ଅବହେଳା ଯୋଗୁ ୨୦୧୮ ମସିହା ପରଠୁ ଜମିକୁ ପାଣି ପହଞ୍ଚିବାରେ ଅସୁବିଧା ହେଉଛି। କ୍ଷୁଦ୍ର ଜଳସେଚନ ବିଭାଗ ଡ୍ୟାମର ମରାମତି, ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିଲେ ମଧ୍ୟ ଚାଷୀଙ୍କ ଅଭିଯୋଗକୁ କର୍ଣ୍ଣାପତ କରୁନଥିବା ଅଭିଯୋଗ ହୋଇଛି। ଏପରିକି ମଦନପୁର ୨ ନଂ ପାଣି ପଞ୍ଚାୟତ ସଭାପତି ଆପୟା ତାଡ଼ିଙ୍ଗ୍ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରି କେନାଲର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି। ଅଥଚ ଆଜି ପର୍ଯ୍ୟନ୍ତ କେନାଲ୍ ସ୍ଥିତି ସୁଧୁରି ପାରୁନି। ଡ୍ୟାମ୍ ନିକଟରେ ଥିବା କୁଲି ସମେତ ଅନ୍ୟ ଗାଁକୁ ଯାଇଥିବା କେନାଲକୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ମରାମତି କରୁଥିବା ବେଳେ ମଦନପୁର କେନାଲ ନିର୍ମାଣରେ ଅବହେଳା କରୁଛନ୍ତି। ଜଳସେଚନ ବିଭାଗ ସର୍ଭେରେ ଡ୍ୟାମର ୭୦ ପ୍ରତିଶତ ଆୟକଟ ଅଞ୍ଚଳ ମଦନପୁରରେ ଥିବା ଏବଂ ଜଳସେଚନ ବାବଦରୁ ୩୫୦ ଏକର ଜମିରୁ ଜଳସେଚନ ବାବଦ ଖଜଣା ଆଦାୟ କରାଯାଉଥିବା ରେକର୍ଡରେ ଉଲ୍ଲେଖ କରାଯାଇଛି। କିନ୍ତୁ ବାସ୍ତବ ଚିତ୍ର ପୂରା ଅଲଗା। କେନାଲ୍ ନଷ୍ଟ କାରଣରୁ ୪ ବର୍ଷ ଧରି ଡ୍ୟାମ୍ ପାଣି ମଦନପୁର ଚାଷୀ ପାଇପାରୁନାହାନ୍ତି। ଚାଷ କାର୍ଯ୍ୟ ବନ୍ଦ ଥିଲେ ମଧ୍ୟ କେନାଲ୍ ମରାମତି ଆଶାରେ ପ୍ରତି ବର୍ଷ ଜଳକର ବାବଦକୁ ଏକର ପିଛା ୯୦ ଟଙ୍କା ଖଜଣା ଭରି ଚାଲିଛନ୍ତି ଚାଷୀ। ଅନ୍ୟପକ୍ଷରେ ୨୦୦୮ ମସିହାରେ ଆଗ୍ରୋ ଲିମିଟେଡ୍ ପକ୍ଷରୁ ମଦନପୁର କେନାଲ୍ ନିକଟରେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୨ଟି ଲିପ୍ଟ ପଏଣ୍ଟ୍ ନିର୍ମାଣ କରାଯାଇଥିଲା। ଯାହା ଦୀର୍ଘ ବର୍ଷ ହେଲା ଅଚଳ ହୋଇ ପଡିଛି। ଡ୍ୟାମ୍ ଓ ଉଠାଜଳସେଚନ ପାଣି ନ ମିଳିବା ପରେ ଚାଷୀ ବର୍ଷା ଉପରେ ଭରସା କରିଥିଲେ। କିନ୍ତୁ ବର୍ଷା ମଧ୍ୟ ଆବଶ୍ୟକ ପରିମାଣର ହେଉନଥିବାରୁ ଚାଷ ପାଇଁ ବିହନ କିଣି ଚାଷୀ ନିରାଶ ହେଉଛନ୍ତି। ଚାଷ ଅଭାବରୁ ଶହ ଶହ ଏକର ଜମି ଜଙ୍ଗଲରେ ପରିଣତ ହେଲାଣି। କେନାଲ୍, ଲିପ୍ଟ  ମରାମତି ପାଇଁ ଚାଷୀ କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୌଣସି ସୁଫଳ ନ ମିଳିବାରୁ ଆଜି ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଗୁହାରି ଜଣାଇଛନ୍ତି।

ସମ୍ବନ୍ଧିତ ଖବର