ସଂକଟରେ ୬ଶହ ଏକର ଅମୃତ ଭଣ୍ଡାର

ସତ୍ୟନାରାୟଣ ରାଉତରାୟ

ପୁରୀ: ବିଷ‌ାକ୍ତ ହେଉଛି ଅମୃତ ଭଣ୍ଡାର। ପୁରୀ ମାଟି ଗର୍ଭରେ ସାଇତା ତାଳବଣିଆ ମଧୁର ଜଳଭଣ୍ଡ‌ାରକୁ ବହୁଛି ଗ୍ୟାଲନ ଗ୍ୟାଲନ ବର୍ଜ୍ୟ ଜଳ। ଗଦା ହେଉଛି କୁଢ଼କୁଢ଼ ଅଳିଆ। ଜବରଦଖଲ ସହ ହେଉଛି ନିର୍ମାଣ କାର୍ଯ୍ୟ। ସହରୀକରଣ ବ୍ୟାପିବା ଯୋଗୁ ଆଉ ରିଚାର୍ଜ ହୋଇପାରୁନି ମଧୁର ଜଳ ଭଣ୍ଡାର। ୧୯୩୧ ମସିହାରେ ବ୍ରିଟିସ୍‌ ସରକାର ତାଳବଣିଆ ଓ ବଳିଆପଣ୍ଡାରେ ମଧୁର ଜଳଭଣ୍ଡାରର ସନ୍ଧାନ ପାଇବାପରେ ଏହାକୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ। ସମୁଦ୍ରଠାରୁ ମାତ୍ର ଅଳ୍ପ କେଇ ମିଟର ଦୂରରେ ଏଭଳି ଅମୃତର ସନ୍ଧାନ ପାଇବା ଖୋଦ୍‌ ବ୍ରିଟିସ ସରକାରଙ୍କୁ ବି ଚକିତ କରିଦେଇଥିଲା। ପ୍ରକୃତି ମାତାର ଏହି ଦାନ ପୁରୀବାସୀଙ୍କ ପାଇଁ କୌଣସି ବରଦାନଠୁ କମ୍‌ ନୁହେଁ। ଅଥଚ ସହରୀକରଣ ଓ ବିକାଶର ଶିଡ଼ି ଚଢ଼ୁଚଢ଼ୁ ମାଟି ତ‌ଳେ ଥିବା ଅମୃତ ଧାରାକୁ ଅଣଦେଖା କରିଚାଲିଛନ୍ତି ପ୍ରଶାସନ ଓ ଅସଚେତନ ନାଗରିକ।

୧୯୩୧ ମସିହାରେ ବାଲୁଖଣ୍ଡର ତାଳବଣିଆ ଓ ବଳିଆପଣ୍ଡାରେ କିଛି ଅଞ୍ଚଳକୁ ‘ସ୍ବତନ୍ତ୍ର ଅଞ୍ଚଳ’ ଭାବେ ଗେଜେଟ୍‌ ନୋଟିଫିକେସନ୍‌ ହୋଇଥିଲା। ୨୦୦୦ ମସିହାରେ ରାଜ୍ୟ ସରକାର ଏହାକୁ ସଂରକ୍ଷିତ ଅଞ୍ଚଳ ଘୋଷଣା କଲେ। ୨୦୧୬ ମସିହାରେ ସେଣ୍ଟ୍ରାଲ୍‌ ଗ୍ରାଉଣ୍ଡ ୱାଟର୍‌ ବୋର୍ଡ ଏହି ୨ ଅଞ୍ଚଳକୁ ପ୍ରାକୃତିକ ଭୂତଳ ଜଳ ରିଚାର୍ଜ ଅଞ୍ଚଳ ଭାବେ ସଂରକ୍ଷିତ ଘୋଷଣା କଲେ। ପରବର୍ତ୍ତୀ ସମୟରେ ନ୍ୟାସନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର ପୂର୍ବାଞ୍ଚଳ ବେଞ୍ଚ୍‌ ମଧୁର ଜଳଭଣ୍ଡାର ସଂକ୍ରାନ୍ତରେ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନ‌ିର୍ଦ୍ଦେଶ ଦେଇଥିଲେ। କୌଣସି ନିର୍ମାଣ ସ୍ଥଳରେ ଜିଲ୍ଲାପାଳଙ୍କ ଅନୁମତି ବିନା ବୋରିଂ ହେବନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଅଥଚ, ତାଳବଣିଆରେ ୧୦୦ ଏକରରେ ଜଙ୍ଗଲ କରିବା ଛଡ଼ା ପ୍ରଶାସନ ପକ୍ଷରୁ ଆଉ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଗଲା ନାହିଁ।
ଅପରପକ୍ଷେ, ପ୍ରକୃତି ଭେଟି ଦେଇଥିବା ଅମୃତ ଭଣ୍ଡାରକୁ ବିଷାକ୍ତ କରୁଛି ସ୍ଥାନୀୟ ଅଞ୍ଚଳରୁ ବହି ଆସୁଥିବା ନର୍ଦ୍ଦମା ଜଳ। ସହର ସାରା ସ୍ବେରେଜ‌୍ ଲାଇନ୍‌ ବିଛା ହୋଇଛି, କିନ୍ତୁ ମଧୁର ଜଳ ସଂଲଗ୍ନ ଅଞ୍ଚଳରେ ସ୍ବେରେଜ ଲାଇନ୍‌ ନଥିବାରୁ ଘରର ବର୍ଜ୍ୟଜଳ ନାଳ ଦେଇ ମଧୁର ଜଳ ଭଣ୍ଡାର ଅଞ୍ଚଳରେ ମାଡ଼ୁଛି। ତାଳବଣିଆ ସଂଲଗ୍ନ ସିଦ୍ଧମହାବୀର ଅଞ୍ଚଳ, ବ୍ୟାଙ୍କ କଲୋନି, ମୈତ୍ରୀ ବିହାର, ହରିହର ନଗର, ସତ୍ୟନଗର, ମଧୁସୂଦନ ନଗର, ମାରୁତି ନଗର ଭଳି ଜନବସତିରେ ହଜାର ହଜାର ପରିବାର ବସବାସ କରୁଛନ୍ତି। ମାତ୍ର, ଏଯାଏ ସେଠାରେ ସ୍ବେରେଜ୍‌ ଲାଇନ୍‌ ବ୍ୟବସ୍ଥା ହୋଇନାହିଁ।

ପୌରସଂସ୍ଥା କର୍ତ୍ତୃପକ୍ଷଙ୍କ କହିବା ମୁତାବକ, ଏହି ଅଞ୍ଚଳରେ ଘର କରିଥିବା ବ୍ୟକ୍ତିବିଶେଷ ମଧୁର ଜଳ ଭଣ୍ଡାରକୁ ବର୍ଜ୍ୟଜଳ ଛାଡ଼ିଲେ ଅବା ଦୂଷିତ କଲେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବେ। ତେବେ ଅଞ୍ଚଳବାସୀ କହିଛନ୍ତି, ପୌରପାଳିକା ନିଜ ଦାୟିତ୍ବ ତୁଲାଉନାହିଁ। ବାରମ୍ବାର ଦୌଡ଼ୁଥିଲେ ମଧ୍ୟ ସ୍ବେରେଜ୍‌ ଲାଇନ୍‌ ବ୍ୟବସ୍ଥା କରାଯାଉନାହିଁ। ତେଣୁ ବାସିନ୍ଦାମାନେ ଅନ୍ୟ ଉପାୟ ନପାଇ ନାଳକୁ ବର୍ଜ୍ୟଜଳ ଛାଡ଼ୁଛନ୍ତି।

‘ପାଣି’ ଅନୁଷ୍ଠାନର ଆବାହକ ଉମାକାନ୍ତ ମହାନ୍ତି କହିଛନ୍ତି, ବ୍ରିଟିସ ଅମଳରୁ ତାଳବଣିଆର ୪୪୮ ଏକର ଅଞ୍ଚଳ ଓ ବଳିଆପଣ୍ଡାର ୨୦୭ ଏକର ଅଞ୍ଚଳକୁ ମଧୁର ଜଳଭଣ୍ଡାର ଭାବେ ଚିହ୍ନଟ କରାଯାଇ ଏହାର ସଂରକ୍ଷଣ ଦିଗରେ ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ, କିଛିବର୍ଷ ମଧ୍ୟରେ ପ୍ରାୟ ୨ରୁ ଅଢ଼େଇଫୁଟ ହ୍ରାସ ପାଇଛି। ଭୂତଳ ଜଳସ୍ତର ହ୍ରାସ ଯୋଗୁ ସମୁଦ୍ର ପାଣି ମିଶିବା ଆଶଙ୍କା ଦେଖା ଦେଇଛି। ବଳିଆ ପଣ୍ଡା ଅଞ୍ଚଳରେ ମଧୁର ଜଳ ଭଣ୍ଡାର ନିକଟବର୍ତୀ ଅଞ୍ଚଳରେ କିଛି ବ୍ୟକ୍ତିବିଶେଷଙ୍କ ଟ୍ୟୁବୱେଲ୍‌ରୁ ଲୁଣି ପାଣି ବାହାରୁଛି। ଏହା ଆମ ପାଇଁ ସତର୍କ ଘଣ୍ଟି ସଦୃଶ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର