କେଶବ ପାଣି
ଭୁବନେଶ୍ବର: ରାଜ୍ୟର ୬୦୦ରୁ ଅଧିକ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ପରିଚାଳନା କମିଟି ତଥା ଗଭର୍ଣ୍ଣିଂ ବଡି ନାହିଁ। ଓଡ଼ିଶା ଶିକ୍ଷା ଆଇନ-୧୯୬୯ର ସେକ୍ସନ-୭ର ସବ୍‌-ସେକ୍ସନ(୬) ଆଧାରରେ ବିଜେପି ସରକାର କ୍ଷମତାକୁ ଆସିବା କ୍ଷଣି ପରିଚାଳନା କମିଟିଗୁଡ଼ିକୁ ଭାଙ୍ଗି ଦେଇଥିଲେ। ତେଣୁ ୧୦ ମାସ ହେଲା ପରିଚାଳନା କମିଟି ନ ଥିବାରୁ କଲେଜଗୁଡ଼ିକ ଏକପ୍ରକାର ନିଷ୍କ୍ରିୟ ହୋଇଯାଇଛି। ସ୍ଥାୟୀ ସଭାପତି ନ ଥିବାରୁ ଉନ୍ନତିମୂଳକ କାର୍ଯ୍ୟ ଆଦୌ ଆଗକୁ ବଢ଼ିପାରୁନି। ଭିତ୍ତିଭୂମି କାମ ମଧ୍ୟ ହୋଇପାରୁ ନାହିଁ। କଲେଜ ଅଧ୍ୟକ୍ଷମାନେ ବାରମ୍ବାର ଏ ଅଫିସ୍‌ରୁ ସେ ଅଫିସ୍‌କୁ ଦୌଡ଼ୁଥିଲେ ମଧ୍ୟ ସମସ୍ୟା ସମ୍ପର୍କରେ କେହି ବି ଶୁଣୁନାହାନ୍ତି। ଯେଉଁମାନଙ୍କୁ ଭାରପ୍ରାପ୍ତ ଦାୟିତ୍ବରେ ରଖାଯାଇଛି ସେମାନେ ମଧ୍ୟ କଲେଜ କାମ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ପରିଣାମ ସ୍ବରୂପ ଏବେ ରାଜ୍ୟର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ଅଚଳାବସ୍ଥା ଲାଗିରହିଛି। ଏଭଳି ସମୟରେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଅତିଥି ଅଧ୍ୟାପକ ଭାବେ ନିୟୋଜିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯେଉଁ ନିଷ୍ପତ୍ତି ନେଇଛି ତାହା‌ କିଭଳି କାର୍ଯ୍ୟକାରୀ ହେବ ସେନେଇ ପ୍ରଶ୍ନ ଉଠିଲାଣି।

Advertisment

୧୦ ମାସ ତଳେ ଭାଙ୍ଗିଥିଲେ, ଏଯାଏଁ ଗଢ଼ିନାହାନ୍ତି
କ୍ୟାମ୍ପସ୍‌ର ଆର୍ଥିକ, ପ୍ରଶାସନିକ ଓ ଶୈକ୍ଷିକ ଉନ୍ନତି ଠପ୍‌
ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କୁ ସମୟ ନାହିଁ

ପରିଚାଳନା କମିଟି ଭଙ୍ଗାଯିବା ସମୟରେ କୁହାଯାଇଥିଲା ଯେ ନୂତନ କମିଟି ଗଠନ ହେବା ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡିଗ୍ରି କଲେଜର ଗଭର୍ଣ୍ଣିଂ ବଡି ଓ ପରିଚାଳନା କମିଟିର ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍‌) ରହିବେ। ଯଦି କୌଣସି ଜିଲ୍ଲାରେ ଏକାଧିକ ଅତିରିକ୍ତ ଜିଲ୍ଲାପାଳ ରହିଥିବେ ସେଭଳି ସ୍ଥିତିରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ କଲେଜ ପରିଚାଳନା କମିଟି ଓ ଗଭର୍ଣ୍ଣିଂ ବଡିର ସଭାପତି ଭାବେ ମନୋନୀତ କରିବା ସହ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ଜଣାଇବେ। ‌ସେହିପରି ଜିଲ୍ଲା ସଦର ମହକୁମା ବାହାରେ ଥିବା କଲେଜଗୁଡ଼ିକରେ ଉପଜିଲ୍ଲାପାଳ ପରିଚାଳନା କମିଟି ଓ ଗଭର୍ଣ୍ଣିଂ ବଡିର ସଭାପତି ଭାବେ ରହିବେ। ପରବର୍ତୀ ବିଜ୍ଞପ୍ତି ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନେ କମିଟିର ସଭାପତି ରହି‌ବେ ବୋଲି ଉଲ୍ଲେଖ ରହିଥିଲା। ୨୦୨୪ ଡିସେମ୍ବର ୨୩ର ବିଜ୍ଞପ୍ତି ଆଧାରରେ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଦାୟିତ୍ବ ଗ୍ରହଣ କରିଥିଲେ ମଧ୍ୟ କାମ ଆଗେଇପାରୁ ନାହିଁ। ୨୦୨୫ ଆରମ୍ଭରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ଯେ  କମିଟି ଗଠନ ନେଇ ପ୍ରକ୍ରିୟା ଚାଲିଛି। ଖୁବ୍‌ଶୀଘ୍ର ଆମେ ପଦକ୍ଷେପ ନେବୁ। ହେଲେ ଏବେ ବି ଫାଇଲ୍‌ ନାଲି ଫିତା ତଳେ ପଡ଼ିରହିଛି।

ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟ ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ କଲେଜ ସଭାପତି ପରି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିବାରୁ ସେମାନେ ସମୟ ଦେଇପାରୁ ନାହାନ୍ତି। କଲେଜ ଅଧ୍ୟକ୍ଷମାନେ ଅତିରିକ୍ତ କିମ୍ବା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଛନ୍ତି। ଅଧିକାଂଶ ସ୍ଥାନରେ ଆଜି ପର୍ଯ୍ୟନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ ପାଦ କଲେଜରେ ପଡ଼ିପାରି ନାହିଁ। ଯିଏ ବି ଆସୁଛନ୍ତି ଅଧଘଣ୍ଟା ମଧ୍ୟରେ ଚାଲିଯାଇଛନ୍ତି। ଶିକ୍ଷାବିତ୍‌ ଶରତ କୁମାର କରଙ୍କ କହିବାନୁଯାୟୀ, ପରିଚାଳନା କମିଟିର ନ ଥିବାରୁ ନିୟମିତ ବୈଠକ ବି ହୋଇପାରୁ ନାହିଁ। ଏହାଦ୍ବାରା କେବଳ କଲେଜର ବିକାଶ ଠପ୍‌ ହେଉଛି ତାହା ନୁହେଁ, ବରଂ ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛି। ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି। ସୂଚନ‌ାଯୋଗ୍ୟ ଯେ ପୂର୍ବରୁ ବିଧାୟକ କିମ୍ବା ପୂର୍ବତନ ବିଧାୟକ କଲେଜର ପରିଚାଳନା କମିଟି ଓ ଗଭର୍ଣ୍ଣିଂ ବଡିର ସଭାପତି ରହୁଥିଲେ। ମାତ୍ର ୨୦୨୦ରେ ତତ୍‌କାଳିନ ବିଜେଡି ସରକାର ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ। କୌଣସି ନେତା ଯଥା ବିଧାୟକ, ପୂର୍ବତନ ବିଧାୟକ କମିଟିରେ ରହିବେ ନାହିଁ ବୋଲି ସ୍ପଷ୍ଟ କରାଯିବା ସହ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌ଙ୍କୁ ସଭାପତି ଚୟନ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା।