ଭୁବନେଶ୍ବର: ମହାଠକ ସୟଦ୍‌ ଜିଆଜୁର୍‌ ରେହମାନ୍‌। ଛଅ ଛଅଟି ରାଜ୍ୟର ୬ ହଜାରରୁ ଅଧିକ ଜମାକାରୀଙ୍କୁ ୬୦୦ କୋଟି ଟଙ୍କା ଚୂନ ଲଗାଇ ଫେରାର୍ ହୋଇଯାଇଥିଲା। ସେୟାର୍‌ ବଜାରରେ ଟ୍ରେଡିଂ କରାଇ ବାର୍ଷିକ ୨୪ ପ୍ରତିଶତରୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ଜମାକାରୀଙ୍କୁ ଫସାଇବା ପରେ ପୁଲିସରେ ମାମଲା ହେବାରୁ ସେ ପଳାଇଥିଲା। ବେଶ୍‌ କିଛି ଦିନ ବାଲାଂଦେଶ ଓ ଦୁବାଇରେ ଆତ୍ମଗୋପନ କରିବା ପରେ ଭାବିଥିଲା ମାମଲା ଥଣ୍ଡା ପଡ଼ିଗଲା। ତେଣୁ ଗତକାଲି ବିମାନ ଯୋଗେ ଦୁବାଇରୁ କୋଲକାତା ଆସୁଥିଲା। କିନ୍ତୁ ଜାଣି ନଥିଲା ଯେ ତା’ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜାରି ହୋଇଛି। କୋଲକାତା ବିମାନବନ୍ଦରରେ ବିମାନରୁ ଓହ୍ଲାଇବା ମାତ୍ରେ ଫସିଲା। ଇମିଗ୍ରେସନ୍‌ ବିଭାଗ ତାକୁ ମାଡ଼ିବସିଲା। ଖବର ପାଇ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଅର୍ଥର୍ନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ତୁରନ୍ତ ତାକୁ ଗିରଫ କରିବା ସହ ବାରାକ୍‌ପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା ଏବଂ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଥିଲା। ଆଜି ତାକୁ କଟକ ଓପିଆଇଡି କୋର୍ଟରେ ହାଜର କରାଇ ସେଠାରୁ ଚୌଦ୍ବାର ଜେଲ୍‌କୁ ପଠାଇଦିଆଯାଇଛି। ଏମିତିରେ ୬ ରାଜ୍ୟର ୬୨୧୯ ଜମାକାରୀଙ୍କୁ ୬୦୦ କୋଟିର ଚୂନ ଲଗାଇଥିବା ଟ୍ରେଡିଂ ଠକ ସୟଦ୍‌ ଜିଆଜୁର୍‌ ରେହମାନ୍‌ର ଲୁଚକାଳି ଖେଳ ସରିଛି। ଆଜିଠୁ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଅୟଂପାହାରପୁରର ବାସିନ୍ଦା ଜିଆଜୁର୍‌ ରେହମାନ୍‌ର ନୂଆ ଠିକଣା ହୋଇଯାଇଛି ଜେଲ୍‌ ହାଜତ। ତାକୁ ରିମାଣ୍ଡରେ ଆଣିବାକୁ ଇଓଡବ୍ଲ୍ୟୁ ପକ୍ଷରୁ ପ୍ରସ୍ତୁତି ଚାଲିଛି।

Advertisment

ସମଗ୍ର ଦେଶରୁ ୬୦୦ କୋଟି ଠକିଥିବା ରେହମାନ୍‌ କେବଳ ଓଡ଼ିଶାରୁ ୧୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ବେଶାଳିଆ ଗୁଣ୍ଡୁଚିପଡ଼ାର ଅରୁଣ କୁମାର ପଟ୍ଟନାୟକଙ୍କ ଲିଖିତ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ରେହମାନ୍‌ ନାଁରେ ଠକେଇ ମାମଲା ରୁଜୁ କରିଥିଲା। ଅରୁଣଙ୍କ ଅଭିଯୋଗ ଅନୁସାରେ ଏଲ୍‌ଏଫ୍‌ଏସ୍‌ ବ୍ରୋକରିଂ ଓ ପିଏମ୍‌ଏସ୍‌ ସର୍ଭିସ ସଂସ୍ଥା ଜରିଆରେ ସେୟାର ବଜାରରେ ଟ୍ରେଡିଂ କରିବା ଆଳରେ ରେହମାନ୍‌ ଠକେଇ କରିଥିଲା। ଜମାଟଙ୍କା ଉପରେ ପ୍ରତି ମାସରେ ମୂଳଧନ ଉପରେ ୨ ପ୍ରତିଶତ ହିସାବରେ ବାର୍ଷିକ ୨୪ ପ୍ରତିଶତ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ତେଣୁ ଏଭଳି ଲୋଭନୀୟ ଅଫର୍‌ରେ ନିଜେ ଅରୁଣ ଓ ତାଙ୍କ ପରିବାରର କିଛି ସଦସ୍ୟ ଲକ୍ଷାଧିକ ଟଙ୍କା ଜମାକରି ଫସିଯାଇଥିଲେ। ଜମାକରିବା ପରେ ସୁଧମୂଳ ଦେବା ବେଳକୁ ରେହମାନ୍‌ ଓ ତା’ ସଂସ୍ଥା ଉଭାନ୍‌ ହୋଇଯାଇଥିଲା। ଅରୁଣଙ୍କ ଅଭିଯୋଗ ଅନୁସାରେ ପାଖାପାଖି ୧୦୦ ଜମାକାରୀଙ୍କୁ ରେହମାନ୍‌ ଚୂନ ଲଗାଇଥିଲା। ଇଓଡବ୍ଲ୍ୟୁର ତଦନ୍ତରୁ ଜଣାପଡ଼ିଥିଲା ଯେ ଏଲ୍‌ଏଫ୍‌ଏସ୍‌ ବ୍ରୋକରିଂ ଓ ପିଏମ୍‌ଏସ୍ ସର୍ଭିସ୍‌ ଟ୍ରେଡିଂ ସଂସ୍ଥାର ମାଲିକ ତଥା ଇଣ୍ଡିଆ ହେଡ୍ ଥିଲା ରେହମାନ୍‌। ଏହି ସଂସ୍ଥା ମହାରାଷ୍ଟ୍ର ପୁନେ ରେଜିଷ୍ଟ୍ରାର୍‌ ଅଫ୍ କମ୍ପାନି(ଆର୍‌ଓସି)ରେ ପଞ୍ଜୀକୃତ ହୋଇଥିଲା। ସେହିଭଳି ତଦନ୍ତରୁ ଜଣାପଡ଼ିଥିଲା ଯେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଗୁଜରାଟରୁ ରେହମାନ୍‌ର ସଂସ୍ଥା ପାଖାପାଖି ୬୦୦ କୋଟିରୁ ଅଧିକ ଟଙ୍କା ଠକିନେଇଛି।

୨ ପତ୍ନୀ ଚଳାଉଥିଲେ ୨ ହୋଟେଲ୍‌ ଠକେଇ ଟଙ୍କାରେ ରେହମାନ୍‌ ହୋଟେଲ୍‌ ଓ ରିସର୍ଟ ଭଳି ଲାଭଜନକ ସଂସ୍ଥା କିଣିବା ସହ ଅନ୍ୟାନ୍ୟ ବାଣିଜ୍ୟିକ ସଂସ୍ଥାରେ ବିପୁଳ ଅର୍ଥ ବିନିଯୋଗ କରିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଦୁଇ ଦୁଇ ପତ୍ନୀ ହବିବା ବେଗମ୍ ଓ ରଞ୍ଜିତା ମହାଜନଙ୍କୁ ‌ନେଇ ସେ ବେଶ୍ ଅୟସ ଜୀବନଯାପନ କରୁଥିଲା। ଦୁଇ ପତ୍ନୀ ଦୁଇ ହୋଟେଲର ନିର୍ଦ୍ଦେଶକ ଥିଲେ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ ତ୍ରିପାଠୀଙ୍କଠାରୁ ସୂଚନା ମିଳିଛି। ପୂର୍ବରୁ ସେବି ପକ୍ଷରୁ ତା’ ସଂସ୍ଥାର ବ୍ରୋକରିଂ ଲାଇସେନ୍‌ସକୁ ୫ ବର୍ଷ ପାଇଁ ବାତିଲ କରାଯାଇଥିଲା। ତଥାପି ସେ ବେଆଇନ ଭାବେ ଜମାକାରୀଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲା। ସେବି ପକ୍ଷରୁ ତା’ ଉପରେ କଟକଣା ଲାଗିବା ପରେ ‌ସେ ବାଲେଶ୍ବର ଜିଲ୍ଲା ସୋରରେ ମୁଖ୍ୟ କାର୍ଯ୍ୟାଳୟ କରିଥିଲା। ମାତ୍ର ଇଓଡବ୍ଲ୍ୟୁରେ ମାମଲା‌ ହେବା ପରେ ସେ ପ୍ରଥମେ ବାଲାଂଦେଶ ଓ ପରେ ଦୁବାଇ ପଳାଇଥିଲା। ଇଓଡବ୍ଲ୍ୟୁ ଏସ୍‌ପି ଶ୍ରୀ ତ୍ରିପାଠୀଙ୍କ ସୂଚନାନୁସାରେ ରେହମାନ୍‌ ଗ୍ୟାଙ୍ଗ୍‌ର ମିର୍ଜା ତାହିର୍‌ ଏବେ ବି ଫେରାର୍ ଅଛି। ତାକୁ ଗିରଫ କରାଯିବା ପାଇଁ ଉଦ୍ୟମ ଜାରି ରହିଛି।