ଭୁବନେଶ୍ବର: ରାଜ୍ୟରେ ପରିବେଶ ଅନୁକୂଳ ଆଉ ୬୦୦ଟି ଇଲେକ୍ଟ୍ରି ବସ୍ ଚାଲିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ସାରା ଓଡ଼ିଶାରେ ପରିବେଶ ଅନୁକୂଳ ପରିବହନକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଆସୁଛନ୍ତି। ରାଜ୍ୟରେ ଯାତ୍ରୀ ପରିବହନର ଆବଶ୍ୟକତା ପୂରଣ ପାଇଁ ୧ ହଜାର ବସ୍‌ର ଆବଶ୍ୟକତା ରହିଛି। ଏହି ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ୨୦୦ଟି ଇଲେକ୍ଟ୍ରି ବସ୍ କିଣିବାକୁ ଯାଉଛନ୍ତି। ଆଉ ୪୦୦ଟି ଇଲେକ୍ଟ୍ରି ବସ୍ କେନ୍ଦ୍ର ସରକାର ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ ୨୫ଟି ଇଲେକ୍ଟ୍ରି ବସ୍ ସମ୍ବଲପୁରରେ ଚଳାଚଳ କରିବ। ପରେ ପର୍ଯ୍ୟାୟକ୍ରମେ ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଓ ଅନୁଗୁଳ ଜିଲ୍ଲାରେ ଏହି ଇଲେକ୍ଟ୍ରି ବସ୍ ଚଳାଚଳ କରିବ।

Advertisment

କେନ୍ଦ୍ର ଦେବ ୪୦୦, ରାଜ୍ୟ କିଣିବ ୨୦୦
ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରକୁ ମିଳିବ ୨୫ ବସ୍‌

ଏହି ସେବା କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍) ଅଧୀନରେ ‘ଆମ ବସ୍’ ଯୋଜନାରେ ପରିଚାଳିତ ହେବ। ରାଜ୍ୟରେ ଇଲେକ୍ଟ୍ରି ବସ୍ ସେବାକୁ ବ୍ୟାପକ କରିବାର ପ୍ରମୁଖ ଲକ୍ଷ୍ୟ ହେଉଛି, ପ୍ରଦୂଷଣମୁକ୍ତ ପରିବେଶ ସହ ଯାତ୍ରୀମାନେ ନିରାପଦ ଓ ସ୍ବଳ୍ପମୂଲ୍ୟରେ ଯାତ୍ରା କରିବା। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଇଲେକ୍ଟ୍ରି ବସ୍ ଚଳାଚଳରେ ସାରା ଦେଶରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ଭାରତରେ ୧୪,୩୨୯ଟି ବସ୍ ଚଳାଚଳ କରୁଥିବାବେଳେ ଓଡ଼ିଶା ୪୫୦ଟି ଇଲେକ୍ଟ୍ରି ବସ୍ ଚଳାଚଳ କରି ପଞ୍ଚମ ସ୍ଥାନ ଅକ୍ତିଆର କରିଛି। ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଓ ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍ ଯୋଜନାରେ ଏହା ପରିଚାଳିତ ହେଉଛି। ଓଡ଼ିଶା ଏହି ଯୋଜନାରେ ଅଗ୍ରଣୀ ରହିଛି। ଆଉ ୬୦୦ ବସ୍ ଚଳାଚଳ ପରେ ଓଡ଼ିଶା ସବୁଜ ସହର ଓ ଅତ୍ୟାଧୁନିକ ସହରାଞ୍ଚଳ ପରିବହନ ସେବାରେ ଆଉ ପାଦେ ଆଗକୁ ବଢ଼ିବ ବୋଲି ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି।