ଭୁବନେଶ୍ୱର: ଭବିଷ୍ୟତରେ ଅଧିକ ବିଦ୍ୟୁତ୍‌ ଶକ୍ତି ଚାହିଦା ପୂରଣ ଲକ୍ଷ୍ୟରେ କେନ୍ଦ୍ର ସରକାର ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ସରୁ ୫୦୦ ଗିଗାୱାଟ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ମୁଖୀଗୁଡ଼ାରେ ୬୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପ୍‌ଡ ଷ୍ଟୋରେଜ୍ ପ୍ରକଳ୍ପ ପରିଚାଳନା ପରାମର୍ଶ ସେବା ପାଇଁ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏବଂ ୱାପକୋସ୍ ଲିମିଟେଡ୍ ମଧ୍ୟରେ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉନ୍ନୟନ କମିସନର ଅନୁ ଗର୍ଗ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଜଳସମ୍ପଦ ବିଭାଗ, ଶକ୍ତି ବିଭାଗ, ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍‌ର ନିର୍ଦ୍ଦେଶକ, ୱାପକସ୍‌ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। 

Advertisment

ଏହି ବିଶାଳ ଶକ୍ତି ସଂରକ୍ଷଣ ପ୍ରଣାଳୀରେ ଗ୍ରିଡ୍‌ରେ ଥିବା ତଳ ଜଳଭଣ୍ଡାରରୁ ଉପର ଜଳଭଣ୍ଡାରକୁ ପାଣି ପମ୍ପ ସାହାଯ୍ୟରେ ଉଠାଯାଏ ଏବଂ ସର୍ବାଧିକ ବିଦ୍ୟୁତ୍ ଚାହିଦା ସମୟରେ ବିଦ୍ୟୁତ ଉତ୍ପାଦନ ପାଇଁ ସେହି ପାଣିକୁ ତଳକୁ ଛଡ଼ାଯାଏ। ଓଏଚ୍‌ପିସି ଏହାର ୬୦୦ ମେଗାୱାଟ୍‌ ପାରମ୍ପରିକ ଜଳ ବିଦ୍ୟୁତ୍ ଗୃହ ସହିତ ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିକଟରେ ଏକ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ନିର୍ମାଣ କରୁଛି। ଏହି ସହଭାଗିତା ଦକ୍ଷତା ବୃଦ୍ଧି କରିବା ସହିତ ଓଡ଼ିଶାର ଶକ୍ତି କ୍ଷେତ୍ରକୁ ଆଗକୁ ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଅପର ଇନ୍ଦ୍ରାବତୀ ପମ୍ପ୍‌ଡ ଷ୍ଟୋରେଜ୍ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ୱାପକୋସ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି।