ତେଲୁଗୁ ପଢ଼ୁଛନ୍ତି ୬୦୦ ଓଡ଼ିଆ ପିଲା, ୭ ଗ୍ରାମକୁ ଅକ୍ତିଆରରେ ରଖିଛି ଆନ୍ଧ୍ର

କୋରାପୁଟ : ସେମାନେ ହେଉଛନ୍ତି ଓଡ଼ିଆ ପିଲା। ହେ‌େଲ, ବିବାଦୀୟ ପରିସ୍ଥିତିରେ ଆନ୍ଧ୍ର ଦଖଲକୁ ଆସିବା ପରେ ତେଲୁଗୁ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ପାଖାପାଖି ୬୦୦ଜଣ ଓଡ଼ିଆ ପିଲା ଏବେ ତେଲୁଗୁ ପଢ଼ୁଛନ୍ତି। ଯାହାର ଏକ ଚିତ୍ର ଦେଖିବାକୁ ମିଳିଛି ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ୭ଟି ଗ୍ରାମରେ। ଗୋଟିଏପଟେ ସ୍ଥାନୀୟ ପ୍ରଶାସନ ଏହି ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରୁନଥିବାବେଳେ ଅନ୍ୟପଟେ ସବୁପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ଫଳରେ, ଓଡ଼ିଆ ଭାଷା ପ୍ରତି ମମତ୍ବ କିମ୍ବା ରାଜ୍ୟ ପ୍ରତି ଥିବା ନିଜର ଆନ୍ତରିକତା ପଛରେ ପକାଇ ଏହି ୭ଟି ଗ୍ରାମର ଲୋକମାନେ ଏବେ ଆନ୍ଧ୍ରମୁହାଁ ହୋଇଛନ୍ତି।

କୋଟିଆ ଗ୍ରାମପୁଞ୍ଜକୁ ନେଇ ବିବାଦ ଲାଗିରହିଛି। ଓଡ଼ିଶା ସରକାର ତଥା କୋରାପୁଟ ଜିଲ୍ଲା ପ୍ରଶାସନ ବିରୋଧ କରିବା ସତ୍ତ୍ବେ ଆନ୍ଧ୍ରପ୍ରଦେଶ କର୍ଣ୍ଣପାତ କରୁନାହିଁ। କିଛିଦିନ ତଳେ ପଟ୍ଟାଙ୍ଗି ବ୍ଲକ୍‌ ତଳଗୋଲୁରୁ ପଞ୍ଚାୟତର ବାଙ୍ଗାରିଗୁଡ଼ି ଗ୍ରାମରେ ଅନୁପ୍ରବେଶ କରି ଗ୍ରାମବାସୀଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବାସହ ଏଠାରେ ଚାଲିଥିବା ଏକ କଲଭର୍ଟ କାମକୁ ବିରୋଧ କରିଥିଲା। ଏବେ ପ୍ରାୟ ଦେଢ଼ ବର୍ଷ ହେଲା ଏହି ବ୍ଲକ୍‌ର ଅମ୍ପାବାଲି ପଞ୍ଚାୟତର ୭ଟି ଗାଁରେ ଆନ୍ଧ୍ର ପଶି ଗ୍ରାମବାସୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରୁଛି। ଏଥିସହ ଏହି ୭ଖଣ୍ଡ ଗ୍ରାମର ପ୍ରାୟ ୬୦୦ ଛାତ୍ରଛାତ୍ରୀଙ୍କୁ ପାଚିପେଣ୍ଟା ବିଦ୍ୟାଳୟରେ ତେଲୁଗୁ ଭାଷାରେ ପାଠ ପଢ଼ାଉଛି। ଆନ୍ଧ୍ର ଦଖଲରେ ଥିବା ଏହି ଗ୍ରାମଗୁଡ଼ିକ ହେଲା; ଜାମୁଗୁଡ଼ା, ସାପରାଇଗୁଡା, ସିଡିମେଟା, ପଣସଗୁଡା, ଏରାମାଟିଗୁଡା, ଟାଟାମାଉଡି ଓ ଝିଙ୍କରଗୁଡା।

ମିଳିଥିବା ସୂଚନା ଅନୁସାରେ, ଏହି ଗ୍ରାମର ଲୋକମାନଙ୍କ ନିକଟରେ ଉଭୟ ରାଜ୍ୟର ଭୋଟ୍‌ ପରିଚୟ ପତ୍ର, ରାସନ କାର୍ଡ, ଆଧାର କାର୍ଡ , ଜଙ୍ଗଲଜମି ପଟ୍ଟା ଭଳି ସରକାରୀ କାଗଜପତ୍ର ରହିଛି ରହିଛି। ହେଲେ, ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସ୍ଥାନୀୟ ବ୍ଳକ୍‌ କି ଜିଲ୍ଲା ପ୍ରଶାସନ ସେଠାରେ ପହଞ୍ଚି ପାରୁନାହିଁ। ଏପରିକି, ୭ଟି ଗ୍ରାମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଦ୍ୟାବଧି ସ୍କୁଲ୍‌ ପ୍ରତିଷ୍ଠା କରାଯାଇନାହିଁ। ଏହାର ସୁଯୋଗ ନେଇ ପାଚିପେଣ୍ଟାଠାରେ ଆନ୍ଧ୍ରପ୍ରଦେଶ ସରକାର ୩ଟି ସ୍କୁଲ୍‌ ପ୍ରତିଷ୍ଠା କରିଛନ୍ତି। ପ୍ରାୟ ଦେଢ଼ବର୍ଷ ହେଲା ଏହିସବୁ ସ୍କୁଲ୍‌ ପ୍ରତିଷ୍ଠା କରାଯାଇଥିବାବେଳେ ଏଠାରେ ୬୦୦ ଜଣ ଓଡ଼ିଆ ପିଲା ପଢ଼ୁଛନ୍ତି। ବିଶେଷକରି, କରୋନା ସମୟରୁ ଏହି ରାଜ୍ୟ ନିରନ୍ତର ଉଦ୍ୟମ ଚଳାଇ ଆସିଛି। ଓଡ଼ିଆ ପିଲାମାନଙ୍କୁ ଛାତ୍ରାବାସରେ ରଖି ମାଗଣାରେ ପାଠ ପଢ଼ାଉଛନ୍ତି ଆନ୍ଧ୍ର ସରକାର। ବହିପତ୍ରଠାରୁ ପୋଷାକପତ୍ର ପର୍ଯ୍ୟନ୍ତ ସବୁପ୍ରକାର ସୁବିଧା ଦେଉଛନ୍ତି। ପ୍ରତି ପିଲାକୁ ବର୍ଷକୁ ୧୫,୦୦୦ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ୍‌ ଦେଉଥିବା ବି ଜଣାପଡ଼ିଛି।

ଉପ‌ରୋକ୍ତ ୭ଟା ଗ୍ରାମର ନିକଟବର୍ତ୍ତୀ ଆମ୍ଫାବାଲି ଗୋଟିଏ ଓଡ଼ିଆ ସ୍କୁଲ୍‌ ଅଛି। ମାତ୍ର, ୧୦କିଲୋମିଟର ଦୂର ହୋଇଥିବାରୁ ଏଠାକାର ପିଲାମାନେ ଓଡ଼ିଆ ସ୍କୁଲ୍‌କୁ ଯାଉନାହାନ୍ତି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ରେ ଗତ ଦୁଇଦିନ ତଳେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ବ୍ଲକ କାର୍ଯ୍ୟାଳୟରେ ପହଁଚି ବ୍ଲକ୍‌ର ସମସ୍ତ ସରକାରୀ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଗତ ଆର୍ଥିକବର୍ଷରେ କୋଉ ବିଭାଗରେ କ’ଣସବୁ ସରକାରୀ ଯୋଜନାରେ କାର୍ଯ୍ୟ ହୋଇଛି, କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ଆଗାମୀ ବର୍ଷ ପାଇଁ କ’ଣ ସବୁ ଯୋଜନା ରଖାଯାଇଛି, ତା’ର ତଦାରଖ କରିଥିବା ଜଣାପଡ଼ିଛି। ଏଥିରେ ସମସ୍ତ ବ୍ଲକ ଅଧିକାରୀଙ୍କ ସମେତ ଏଡିଏମ ଓ ରାମେଶ୍ୱର ପ୍ରଧାନ, ଜିଲ୍ଲା ପ୍ଲାନିଂ ଅଧିକାରୀ, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ। ତେବେ, ନିର୍ଦ୍ଦିଷ୍ଟ ଭାବେ ଏହି ଅଞ୍ଚଳ ପ୍ରତି ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ, କେବଳ ଓଡ଼ିଆପିଲାଙ୍କୁ ଶିକ୍ଷା ନୁହେଁ, ଏହି ୭ଟା ଗ୍ରାମରେ ବସବାସ କରୁଥିବା ୬୦୦ରୁ ଉର୍ଦ୍ଧ୍ବ ପରିବାକୁ ସମସ୍ତ ପ୍ରକାାର ସୁବିଧା ଯୋଗାଇ ଆସୁଛି। ନିଜ ରାଜ୍ୟର ଆମ୍ମାବାଡ଼ି ଯୋଜନାରେ ବି ସାମିଲ କରିଛି। କିନ୍ତୁ, ପରିତାପର ବିଷୟ ଏହିକି ଯେ ପ୍ରଶାସନ ପକ୍ଷରୁ ଅଦ୍ୟାବଧି ଏରାମାଟିଗୁଡାରୁ ଟାଟାମାଉଡି ଗାଁକୁ ଅଦ୍ୟାବଧି ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ତେଣୁ ଅଞ୍ଚଳବାସୀ ଘାଟିରାସ୍ତାରେ ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏହି ୭ଟି ଗାଁ ମଧ୍ୟରୁ ଜାମୁଗୁଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବା ବେଳେ ବିଦ୍ୟୁତ, ମୋବାଇଲ ନେଟୱର୍କ ଓ ବିଦ୍ୟାଳୟ ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଯାହାର ସୁଯୋଗ ନେଉଛି ଆନ୍ଧ୍ର। ଏବଂ ଓଡ଼ିଆ ପିଲାଙ୍କୁ ନିଜ ସ୍କୁଲ୍‌ରେ ପାଠ ପଢ଼ାଇ ଓଡ଼ିଆ ଭାଷାର ବିଲୋପ ପାଇଁ ସମସ୍ତପ୍ରକାର ଉଦ୍ୟମ ଚଳାଇଛି।

 

ସମ୍ବନ୍ଧିତ ଖବର